ଲକ୍‌ଡାଉନ୍ ହେବନି‌, ଟିକା ଉତ୍ସବ ପାଇଁ ପ୍ରସ୍ତାବ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦ୍ରୁତ ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ମୋଦୀ ସଂକ୍ରମଣ ବୃଦ୍ଧିକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହିତ ଏହାକୁ ନିୟନ୍ତ୍ରଣ ଲାଗି ତ୍ବରିତ ଓ ଦୃଢ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଲୋକଙ୍କ ଅବହେଳା ଯୋଗୁଁ ସଂକ୍ରମଣ ବୃଦ୍ଧି ପାଉଛି। ​‌େ​‌ଲାକେ କରୋନା ଭୂତାଣକୁ ସହଜରେ ନେଉଛନ୍ତି। ଏପରି କି କେତେକ ରାଜ୍ୟରେ ପ୍ରଶାସନ ମଧ୍ୟ ଏ ଦିଗରେ କୋହଳତା ପ୍ରଦର୍ଶନ କରୁଛନ୍ତି ବୋଲି ସେ କହିଛନ୍ତି। ତେବେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ସ୍ବାବ ପରୀକ୍ଷା ବଢାଇବା ସହିତ କରୋନା କଟକଣାକୁ କଡାକଡି ପାଳନ କରିବାକୁ ମୋଦୀ ମୁଖ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି। ଏ ଦିଗରେ ରାଜ୍ୟ ସରକାରଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କାମ କରିବାକୁ ସେ କହିଛନ୍ତି। କରୋନା ସ୍ବାବ ପରୀକ୍ଷା କ୍ଷେତ୍ରରେ ପ୍ରଶାସନକୁ ଅଧିକ ସକ୍ରିୟ କରିବାକୁ ହେବ। ସଂକ୍ରମିତଙ୍କ ସଂଖ୍ୟା ଯେତେ ବଢିଲେ ମଧ୍ୟ ପରୀକ୍ଷା ବଢାଇବା ହେବ। ଜଣେ ସଂକ୍ରମିତଙ୍କ

ସଂସ୍ପର୍ଶରେ ଆସିଥିବା ଅତିକମ୍‌ରେ ୩୦ ଜଣଙ୍କୁ ଚିହ୍ନଟ କରି ସେମାନଙ୍କ ନମୁନା ପରୀକ୍ଷା କରାଯାଉ। ୭୨ଘଣ୍ଟା ମଧ୍ୟରେ ଏହି କଣ୍ଟାକ୍ଟ ଟ୍ରେସିଂ କରାଯାଉ। ପରୀକ୍ଷା ପାଇଁ ଠିକ୍ ନମୁନା ସଂଗ୍ରହ ଉପରେ ଧ୍ୟାନ ଦେବାକୁ ମୋଦୀ କହିଛନ୍ତି। ମୋଦୀ କହିଛନ୍ତି ଯେ କରୋନା ସଂକ୍ରମଣ ଆରମ୍ଭ ସମୟରେ ଏହାକୁ ନିୟନ୍ତ୍ରଣ ପାଇଁ ଆମ ପାଖରେ ଭିତ୍ତିଭୂମି ନଥିଲା। ତେଣୁ ଆମେ ତାଲାବନ୍ଦକୁ ଆପଣାଇଥିଲୁ। ଏବେ ଆମ ପାଖରେ ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ଭିତ୍ତିଭୂମି ରହିଛି; ତେଣୁ ତାଲାବନ୍ଦର ଆବଶ୍ୟକତା ନାହିଁ। ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ‘ନାଇଟ୍ କର୍ଫ୍ୟୁ’ ପରିବର୍ତ୍ତେ ‘କରୋନା କର୍ଫ୍ୟୁ’ ଆପଣାଇବାକୁ ହେବ। ମୋଦୀ କହିଛନ୍ତି ପୂର୍ବରୁ ଆମ ପାଖରେ ଅଭିଜ୍ଞତା ନଥିଲା, ଭିତ୍ତିଭୂମି ନଥିଲା ଓ ଔଷଧ ନଥିଲା। ଲୋକଙ୍କ ସହଯୋଗ, ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ କରୋନା ପରିଶ୍ରମ ଯୋଗୁଁ ଆମେ କରୋନାକୁ ନିୟନ୍ତ୍ରଣ କରିଥିଲେ। ଏହା ସତ୍ତ୍ବେ ଆମେ ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ସଫଳ ହେଇଥିଲେ; ଏଥର ମଧ୍ୟ ସଫଳ ହେବା।

ସଂକ୍ରମଣ ନିୟନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀ ଟିକାକରଣ ଉପରେ ଗୁରୁତ୍ବ ଦେଇଛନ୍ତି। ଏଥିପାଇଁ ଏପ୍ରିଲ ୧୧ ତାରିଖରୁ ୧୪ ତାରିଖ ପର୍ୟ୍ୟନ୍ତ ଦେଶରେ ଟିକା ଉତ୍ସବ ପାଳନ ଲାଗି ଆହ୍ବାନ ଦେଇଛନ୍ତି। ଏହି ଟିକା ଉତ୍ସବ ମାଧ୍ୟମରେ ଦେଶର ୪୫ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ନାଗରିକଙ୍କୁ ଟିକାକରଣ କରାଯିବ। ଏପ୍ରିଲ ୧୧ ହେଉଛି ଜ୍ୟୋତିବା ଫୁଲେଙ୍କ ଜନ୍ମଦିନ ଓ ଏପ୍ରିଲ ୧୪ ହେଉଛି ବାବା ସାହେବ ଆମ୍ବେଦକରଙ୍କ ଜନ୍ମଦିନ। ଜ୍ୟୋତିବା ଫୁଲେ ଜଣେ ସମାଜ ସଂସ୍କାରକ, ଦାର୍ଶନିକ ଓ ଚିନ୍ତାନାୟକ। ସେ ମହାତ୍ମା ଫୁଲେ ନାମରେ ମଧ୍ୟ ପରିଚିତ। ସେ ଏପ୍ରିଲ ୧୧, ୧୮୨୬ରେ ଜନ୍ମ ଗ୍ରହଣ କରିଥିଲେ।

କରୋନା ଦ୍ବିତୀୟ ଲହର ଆରମ୍ଭ ପରଠାରୁ ମୋଦୀ ମାସକ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଦ୍ବିତୀୟ ସମୀକ୍ଷା ବୈଠକ କରିଛନ୍ତି। ସଂକ୍ରମଣ ନିୟନ୍ତ୍ରଣ ସହିତ କରୋନା ଟିକାକରଣ ସମ୍ପର୍କରେ ମୋଦୀ ସମୀକ୍ଷା କରିଥିଲେ। ବୈଠକରେ ମୋଦୀଙ୍କ ସହିତ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନୁପସ୍ଥିତ ଥିଲେ। ମମତାଙ୍କ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବ ବୈଠକରେ ପ୍ରତିନିଧିତ୍ବ କରିଥିଲେ। ଏହା ପୂର୍ବରୁ ମୋଦୀ ମାର୍ଚ୍ଚ ୧୭ରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ବୈଠକ କରିଥିଲେ।

Comments are closed.