ବିଶ୍ୱର ଶ୍ରେଷ୍ଠ ୧୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତର ସ୍ଥାନ ନାହିଁ

ନୂଆଦିଲ୍ଲୀ: ଦେଶର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ପାଇଁ ସରକାର ଅନେକ ଯୋଜନା କରୁଥିଲେ ମଧ୍ୟ ବିଶ୍ୱର ଶ୍ରେଷ୍ଠ ୧୦୦ ବିଶ୍ୱବିଦ୍ୟାଳୟ ଭାରତର କୌଣସି ଶିକ୍ଷାନୁଷ୍ଠାନ ସ୍ଥାନ ପାଇପାରି ନାହିଁ। କ୍ବାକ୍ବାରେଲି ସାଇମଣ୍ଡସ୍‌ (କ୍ୟୁଏସ୍‌) ନାମକ ଉଚ୍ଚ ଶିକ୍ଷା କନସଲଟାନ୍ସି ପକ୍ଷରୁ ୨୦୨୦ ବର୍ଷ ପାଇଁ ପ୍ରସ୍ତୁତ କରାଯାଇଥିବା ବିଶ୍ବର ଶ୍ରେଷ୍ଠ ୧୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତର ସ୍ଥାନ ନାହିଁ। ତେବେ ଆଇଆଇଟି ବମ୍ବେ, ଆଇଆଇଟି ଦିଲ୍ଲୀ ଓ ଆଇଆଇଏସ୍‌ସି (ବାଙ୍ଗାଲୋର) ଶ୍ରେଷ୍ଠ ୨୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛନ୍ତି। ଆଇଆଇଟି ବମ୍ବେ ୧୫୨ତମ ସ୍ଥାନରେ ରହିଥିବାବେଳେ ଆଇଆଇଟି ଦିଲ୍ଲୀ ୧୮୨ ତମ ସ୍ଥାନରେ ରହିଛି। ଆଇଆଇଟି ବମ୍ବେ କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ଭାରତର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ବିବେଚିତ ହୋଇଛି।

୨୦୧୯ରେ କ୍ୟୁଏସ ବିଶ୍ୱବିଦ୍ୟାଳୟ ତାଲିକାରେ ଆଇଆଇଟି ବମ୍ବେ ୧୯୨ତମ ସ୍ଥାନରେ ଥିଲା। ଏ ବର୍ଷ ଏହା ୧୦ଟି ସ୍ଥାନ ଉପରକୁ ଉଠିଛି। ଆଇଆଇଟି ଦିଲ୍ଲୀ ଗତବର୍ଷ ଅପେକ୍ଷା ୧୦ଟି ସ୍ଥାନ ତଳକୁ ଖସିଛି। ତେବେ କ୍ୟୁଏସ୍‌ ବିଶ୍ୱବିଦ୍ୟାଳୟ ତାଲିକା ୨୦୨୦ରେ ଭାରତର ୨୩ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛନ୍ତି। ୪ଟି ଶିକ୍ଷାନୁଷ୍ଠାନ ସେମାନଙ୍କ ପୂର୍ବ ସ୍ଥିତିରେ ଉନ୍ନତି ଆଣିଥିବାବେଳେ ୭ଟିର ସ୍ଥିତିରେ ଅବନତି ଘଟିଛି। ଓପି ଜିନ୍ଦଲ ଗ୍ଲୋବାଲ ଭାରତର ଏକମାତ୍ର ଶିକ୍ଷାନୁଷ୍ଠାନ ଭାବେ ନୂଆ କରି ଏହି ତାଲିକାରେ ସ୍ଥାନ ପାଇଛି। ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଆଇଆଇଟି ବମ୍ବେର ସ୍ଥିତିରେ ଉନ୍ନତି ଆସିଛି।

ଗବେଷଣା କ୍ଷେତ୍ରରେ ଆଇଆଇଟି ବମ୍ବେ ବିଶ୍ୱର ଦ୍ଵିତୀୟ ଶିକ୍ଷାନୁଷ୍ଠାନ ବିବେଚିତ ହୋଇଛି। ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାର ପ୍ରଥମ ସ୍ଥାନରେ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏମଆଇଟି) ରହିଥିବାବେଳେ ଦ୍ଵିତୀୟ ସ୍ଥାନରେ ଷ୍ଟାଣ୍ଡଫୋର୍ଡ ଓ ତୃତୀୟ ସ୍ଥାନରେ ହାବାର୍ଡ ବିଶ୍ୱବିଦ୍ୟାଳୟ ରହିଛି। କ୍ରମାଗତ ୮ବର୍ଷ ଧରି ଏମଆଇଟି ବିଶ୍ୱବିଦ୍ୟାଳୟ ତାଲିକାର ପ୍ରଥମ ସ୍ଥାନରେ ରହିଆସୁଛି। ଶ୍ରେଷ୍ଠ ୧୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ଆମେରିକାର ୫ଟି ଶିକ୍ଷାନୁଷ୍ଠାନ ରହିଥିବାବେଳେ ଇଂଲଣ୍ଡର ୪ଟି ଓ ସୁଇଜରଲ୍ୟାଣ୍ଡର ଗୋଟିଏ ଶିକ୍ଷାନୁଷ୍ଠାନ ରହିଛି। ସେହିପରି ଶ୍ରେଷ୍ଠ ୨୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ଚୀନର ୧୯ଟି ଶିକ୍ଷାନୁଷ୍ଠାନ ରହିଛି।

Comments are closed.