ମିଳୁନି ସରକାରୀ ସହାୟତା, ଅର୍ଦ୍ଧାହାରରେ ଅସହାୟ ମହିଳା

ବେଗୁନିଆ: ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି ଲୋକମାନଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବାପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଉଥିବା ବେଳେ ଅଧିକାରୀମାନେ ଆନ୍ତରିକତାର ସହ କେତେଦୂର କାର୍ଯ୍ୟ କରୁଛନ୍ତି ତାହା ତଳ ସ୍ତରରେ ଦେଖିବାକୁ କେହିନାହିଁ। ବେଗୁନିଆ ବ୍ଲକ ବାଘମାରି ପଂଚାୟତର ବାଘମାରି ତଳସାହିର ସ୍ବର୍ଗତ ପରମାନନ୍ଦଙ୍କ ପଣ୍ଡାଙ୍କ ବିଧବା ପତ୍ନୀ ନୀଳମଣି ପଣ୍ଡା (୭୧) ସ୍ୱାମୀଙ୍କ ମୃତ୍ୟୁ ପରେ ଅର୍ଦ୍ଧାହାରରେ ରହୁଥିବାରୁ ଗତ ଜାନୁୟାରୀ ୫ ତାରିଖରେ ଅନଲାଇନ ଯୋଗେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଦୁର୍ଦଶା ସମ୍ପର୍କରେ ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସେହିଦିନ ଓ ଆର /୧୦୭/ଇ /୨୦୨୦/୦୦୦୦୨ ରେଜିଷ୍ଟ୍ରସନ ନମ୍ବର ଥିବା ଚିଠି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟକୁ କାର୍ଯାନୁଷ୍ଠାନ ନିମନ୍ତେ ଆସିଥିଲା।
ଇତି ମଧ୍ୟରେ କେହି ତାଙ୍କର ଦୁଃଖ ନ ବୁଝିବାରୁ ସେ ଅନ୍ତୋଦୟ ଯୋଜନାରେ ୩୫ କିଲୋ ଚାଉଳ ପାଇବା ପାଇଁ ବାରଦୁଆର ଶୁଣ୍ଡିପିଣ୍ଡା ହେଉଥିବା ଦେଖିବାକୁ ମିଳୁଛି। ତାଙ୍କର ସ୍ୱାମୀ ଗତବର୍ଷ ଅକ୍ଟୋବର ୧୮ ତାରିଖରେ ୭୫ ବର୍ଷ ବୟସରେ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ବେଳେ ସେମାନେ ନିଃସନ୍ତାନ ଅଟନ୍ତି। ସ୍ୱାମୀଙ୍କ ମୃତ୍ୟୁ ପରେ ବିଧବା ଭତ୍ତା ହିଁ ତାଙ୍କର ବଂଚିବା ପାଇଁ ଏକ ମାତ୍ର ସମ୍ବଳ। ସ୍ୱାମୀ ମରିଯିବା ପରେ ତାଙ୍କର କେହି ସାହା ଭରସା ନ ଥିବାରୁ ଏବେ ସେ ଦୁଇ ଓଳି ପେଟ ପୁରା ଗଣ୍ଡେ ଖାଇ ବଂଚିବା ତାଙ୍କ ପକ୍ଷେ କଷ୍ଟ କର ହୋଇପଡିଛି। ଫଳରେ ସେ ଦୈନନ୍ଦିନ ପରର ହାତ ଟେକାକୁ ଚାହିଁ ସମୟ ଅତିବାହିତ କରୁଛନ୍ତି।
ଏପରିକି ପଂଚାୟତ ସରପଞ୍ଚ ଶଶୀ ବିଶ୍ୱାଳ ଏବଂ ସମ୍ପୃକ୍ତ ୱାର୍ଡର ୱାର୍ଡମେମ୍ବର ମାଳତୀ ଦାସ ଗତ ଜୁଲାଇ ମାସ ୨୪ ତାରିଖରେ ଚିଠି ନମ୍ବର ୧୦୯୭ରେ ଏହି ଗରିବ, ଅସହାୟ ଏବଂ ନିରାଶ୍ରୟା ମହିଳାଙ୍କୁ ଅନ୍ତୋଦୟ ଯୋଜନାରେ ୩୫ କିଲୋ ଚାଉଳ ଯୋଗାଇଦେବା ପାଇଁ ବିଡ଼ିଓଙ୍କୁ ଅନୁରୋଧ କରିଥିଲେ ମଧ୍ୟ ବ୍ଲକ କର୍ତୃପକ୍ଷ ବିଭିନ୍ନ ପ୍ରକାର ଆଳ ଦେଖାଇବା ସହିତ ସାଇଟ ଖୋଲୁନାହିଁ ତେଣୁ କିଛି କାମ ହୋଇପାରୁନାହିଁ ବୋଲି କହିଥିଲେ। ବର୍ତ୍ତମାନ ନିରାଶ୍ରୟା ବିଧବା ମହିଳା ଜଣକ ପ୍ରଶାସନଠାରୁ ନ୍ୟାୟ ନପାଇ ଅର୍ଦ୍ଧାହାରରେ କାଳ କଟୁଥିବାର ଜଣାପଡିଛି।