ଆନ୍ଦୋଳନରେ କୌଣସି କୃଷକଙ୍କ ମୃତ୍ୟୁ ହୋଇନି

ନୂଆଦିଲ୍ଲୀ : ବର୍ଷ ବ୍ୟାପୀ ଆନ୍ଦୋଳନ ସମୟରେ ଏଥିରେ ସାମିଲ କୌଣସି କୃଷକଙ୍କର ମୃତ୍ୟୁ ଘଟି ନାହିଁ। ପୁଲିସ କାର୍ଯ୍ୟାନୁଷ୍ଠାନରେ ମଧ୍ୟ ଜଣେ ହେଲେ କୃଷକଙ୍କର ମୃତ୍ୟୁ ହୋଇ ନାହିଁ ବୋଲି ଦୋହରାଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। ଗତ ସପ୍ତାହରେ ତୋମାର ଲୋକସଭାରେ ଦେଇଥିବା ଏହି ଉତ୍ତର ଶୁକ୍ରବାର ରାଜ୍ୟସଭାରେ ଦୋହରାଇଛନ୍ତି। ମୃତ କୃଷକଙ୍କ ପାଇଁ ସରକାର କ୍ଷତିପୂରଣ ପ୍ରଦାନ କରିବେ କି ନାହିଁ ବୋଲି ଆମ୍‌ ଆଦ୍‌ମୀ ପାର୍ଟି ସାଂସଦ ସଞ୍ଜୟ ସିଂହ ଓ କଂଗ୍ରେସ ସାଂସଦ ଧିରଜ ପ୍ରସାଦ ସାହୁଙ୍କ ପ୍ରଶ୍ନର ଉତ୍ତରରେ ତୋମାର କହିଛନ୍ତି ଯେ ପୁଲିସ କାର୍ଯ୍ୟାନୁଷ୍ଠାନରେ ଆନ୍ଦୋଳନରତ ଜଣେ ହେଲେ କୃଷକଙ୍କର ମୃତ୍ୟୁ ଘଟି ନାହିଁ। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ତୋମାର କହିଛନ୍ତି ଯେ ଏମ୍‌ଏସ୍‌ପି ପାଇଁ ସରକାର ପୂର୍ବରୁ ନୀତି ଧାର୍ଯ୍ୟ କରିଛନ୍ତି। ମୋଟ ୨୨ଟି ଫସଲ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହୋଇଛି। କୃଷକମାନଙ୍କ ଦାବି ଉପରେ କମିଟି ଗଠନ କରାଯାଇଛି। ସୂଚନାଯୋଗ୍ୟ ଯେ ତିନି କୃଷି ଆଇନ ପ୍ରତ୍ୟାହାର ଓ ଏମ୍‌ଏସ୍‌ପି ଦାବିରେ ୪୦ଟି କୃଷକ ସଂଗଠନ ପକ୍ଷରୁ ଚାଲିଥିବା ଆନ୍ଦୋଳନ ଗୁରୁବାର ପ୍ରତ୍ୟାହୃତ ହୋଇଛି। ବର୍ଷେ ଧରି ଚାଲିଥିବା ଆନ୍ଦୋଳନରେ ୭୦୦ କୃଷକଙ୍କ ମୃତ୍ୟୁ ହୋଇଥିବା ସେମାନଙ୍କ ସଂଗଠନ ଦାବି କରୁଛନ୍ତି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଲୋକସଭାରେ ମୃତ କୃଷକଙ୍କ ତାଲିକା ଉପସ୍ଥାପନ କରିଛନ୍ତି।

Comments are closed.