କାମ ଦେଉନି କଟକଣା, ବଢ଼ିଚାଲିଛି ସଂକ୍ରମଣ : ଏଥର ହେବନି ଦଶହରା, ବାଲିଯାତ୍ରା

କଟକ : ଯାବତୀୟ କଟକଣା ସାଙ୍ଗକୁ କଡ଼ା ଆଇନ ଓ ଦଣ୍ଡ ବ୍ୟବସ୍ଥା ସତ୍ତ୍ବେ କଟକ ସହର ସମେତ ସମଗ୍ର ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିଚାଲିଛି। କିଛି ଅମାନିଆ ଲୋକଙ୍କ ପାଇଁ ଆଜି ସମସ୍ତଙ୍କୁ ସମଦଶା ଭୋଗିବାକୁ ପଡ଼ୁଛି। ଫଳରେ କରୋନାର ଏହି କ୍ଷିପ୍ର ଗତିକୁ ରୋକିବା ପାଇଁ କଟକ ଜିଲା ପ୍ରଶାସନ କଠୋର ନୀତି ଆପଣାଇବାକୁ ବାଧ୍ୟ ହୋଇଛି। କଟକଣା ଓ ଦଣ୍ଡ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଥିବାବେଳେ କଟକ ସହରର ପ୍ରସିଦ୍ଧ ଦଶହରା ଓ ବାଲିଯାତ୍ରାକୁ ଚଳିତବର୍ଷ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜିଲା ପ୍ରଶାସନ।

ଐତିହାସିକ କଟକ ସହରର ପ୍ରସିଦ୍ଧ ଦୁର୍ଗାପୂଜା ଉପରେ କଟକ ଜିଲାପାଳ ଭବାନୀଶଙ୍କର ଚୟନୀ କଟକଣା ଜାରି କରିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୂଜା ମଣ୍ଡପରେ ସାର୍ବଜନୀନ ପୂଜା ବାରଣ କରାଯାଇଛି। କୌଣସି ମଣ୍ଡପରେ ମା’ ଦୁର୍ଗାଙ୍କ ପ୍ରତିମା ପୂଜା ହୋଇପାରିବ ନାହିଁ। ଘରେ ମା’ଙ୍କ ପୂଜା ବିଧି ଅନୁଯାୟୀ କରିହେବ ବୋଲି ଜିଲାପାଳ ଶ୍ରୀ ଚୟନୀ କହିଛନ୍ତି। ଦୁର୍ଗା ପୂଜା ବନ୍ଦ ହେବା ପରେ ବାଲିଯାତ୍ରା ଆୟୋଜନକୁ ନେଇ ଆଶଙ୍କା ପ୍ରକାଶ ପାଇଛି।

ପ୍ରକାଶ ଯେ, ଭାଇଚାରା ସହର କଟକରେ ଦୁର୍ଗାପୂଜାର ସ୍ୱତନ୍ତ୍ରତା ରହିଛି। ପ୍ରତିବର୍ଷ ସହରରେ ପ୍ରାୟ ୧୬୦ରୁ ଊର୍ଦ୍ଧ୍ବ ମଣ୍ଡପରେ ମା’ ଦୁର୍ଗାଙ୍କ ମୂର୍ତ୍ତି ପୂଜା ପାଇଥାଏ। ଏଥିପାଇଁ ପ୍ରାୟ ଏକମାସ ପୂର୍ବରୁ ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ। ନନ୍ଦ ଉତ୍ସବରୁ ମା’ଙ୍କ ମୂର୍ତ୍ତି ନିର୍ମାଣ ପାଇଁ ମାଟି ଉଠା କାର୍ଯ୍ୟ ଆରମ୍ଭ ହୋଇଥାଏ। ଚଳିତବର୍ଷ କରୋନା ମହାମାରୀ ପାଇଁ ମାଟି ଉଠା ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିଲା। ମାତ୍ର ୧୦ଜଣ କର୍ମକର୍ତ୍ତା ମାଟିଉଠା କାର୍ଯ୍ୟରେ ସାମିଲ ହେବେ ବୋଲି ନିର୍ଦେଶ ଜାରି କରାଯାଇଥିଲା। ମାଟିଉଠା କାର୍ଯ୍ୟ ପରେ ଦୁର୍ଗାପୂଜା ଆୟୋଜନ ନେଇ ଆଶା ସୃଷ୍ଟି ହୋଇଥିଲା। ଏମିତିକି ଅନେକ ପୂଜା କମିଟି ମା’ଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଦେଇଥିଲେ। ଏବେ ପ୍ରଶାସନର କଟକଣା ପୂଜା କମିଟିଗୁଡିକର ପ୍ରସ୍ତୁତିରେ ପାଣି ପୂରାଇ ଦେଇଛି।

ସେହିପରି ଗତବର୍ଷ ରାଜ୍ୟ ମହୋତ୍ସବର ମାନ୍ୟତା ପାଇ ଧୂମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଥିବା କଟକ ବାଲିଯାତ୍ରା ମଧ୍ୟ ଏବର୍ଷ ପାଇଁ କରୋନା କଟକଣା ଭିତରେ ବଳିପଡ଼ିଛି। କରୋନା ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତ୍ବକୁ ବିଶେଷ ଗୁରୁତ୍ବ ଦିଆଯାଉଥିବାବେଳେ ବାଲିଯାତ୍ରା ଭଳି ଜଳଗହଳିପୂର୍ଣ୍ଣ ମହୋତ୍ସବରେ ଏହି ନିୟମକୁ ପାଳନ କରିବା ଦୁରୂହ ବ୍ୟାପାର ହୋଇପଡ଼ିବ। ତେଣୁ ଜିଲା ପ୍ରଶାସନ ଏଥରର କଟକ ବାଲିଯାତ୍ରାକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।

 

Comments are closed.