ରାଜ୍ୟରେ ବାଟବଣା ଅନଲାଇନ ଶିକ୍ଷା

ଭୁବନେଶ୍ୱର: ରାଜ୍ୟରେ କରୋନା କଟକଣା ଯୋଗୁଁ ବିଦ୍ୟାର୍ଥୀଙ୍କୁ ଅନଲାଇନ ଶିକ୍ଷା ପ୍ରଦାନ ଚାଲିଛି। ତେବେ କେତେ ବିଦ୍ୟାର୍ଥୀ ଅନଲାଇନରେ ଶିକ୍ଷା ପାଉଛନ୍ତି ଓ କେତେ ବିଦ୍ୟାର୍ଥୀ ବଞ୍ଚିତ ହୋଇଛନ୍ତି ସେ ସମ୍ବନ୍ଧରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଖରେ କୌଣସି ସ୍ପଷ୍ଟ ସୂଚନା ନାହିଁ। ରାଜ୍ୟରେ ଅନଲାଇନ ଶିକ୍ଷାକୁ ନେଇ ଗୋଳମାଳିଆ ସ୍ଥିତି ଉପୁଜିଛି। ତେବେ ସବୁଠାରୁ ଆଶ୍ଚର୍ୟ୍ୟର କଥା ହେଉଛି, ଏପ୍ରିଲରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ (ଓସେପା) ପକ୍ଷରୁ ରାଜ୍ୟବ୍ୟାପୀ ହ୍ବାଟ୍ସଆପ୍ ଗ୍ରୁପ୍ ଜରିଆରେ ‘ଓଡ଼ିଶା ଶିକ୍ଷା ସଂଯୋଗ’ କାର୍ୟ୍ୟକ୍ରମ ଆରମ୍ଭ କରିବାକୁ ନିର୍ଦେଶ ଦିଆଯାଇଥିଲା। ଏହାକୁ ମେ’ ୪ରୁ ଜୁନ୍ ୧୩ ପର୍ୟ୍ୟନ୍ତ କାର୍ୟ୍ୟକାରୀ କରିବାକୁ ସବୁ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ଓ ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ନିର୍ଦେଶ ଦିଆଯାଇଥିଲା। ଜୁନ୍ ୧୩ରେ କାର୍ୟ୍ୟକ୍ରମ ସାରିବାକୁ ତାରିଖ ଧାର୍ୟ୍ୟ କରାଯାଇଥିଲା। ଇତିମଧ୍ୟରେ ୪ ମାସ ବିତିଥିଲେ ମଧ୍ୟ ପୁନର୍ବାର ଏହାକୁ ଜାରି ରଖିବାକୁ କୌଣସି ବିଇଓ ଓ ଡିଇଓଙ୍କୁ ନିର୍ଦେଶ ଦିଆଯାଇନି। ଏହା ଦ୍ବାରା ବହୁ ସ୍ଥାନରେ ଯୋଜନା ବାଟବଣା ହୋଇଛି। କାର୍ୟ୍ୟକ୍ରମକୁ ଜାରି ରଖିବାକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି।

ଅନ୍ୟପକ୍ଷରେ ପ୍ରଥମରୁ ଅଷ୍ଟମ ବିଦ୍ୟାର୍ଥୀଙ୍କୁ ‘ରେଡିଓ ପାଠଶାଳା’ କାର୍ୟ୍ୟକ୍ରମରେ ରେଡିଓରେ ପଢାଯାଉଛି। ଦଶମ ଓ ଦ୍ବାଦଶ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ଦୂରଦର୍ଶନ ଚ୍ୟାନେଲରେ ଶିକ୍ଷା ପ୍ରଦାନ କରାଯାଇଛି। ତେବେ ଟିଭି ଓ ରେଡିଓରେ କେତେ ପିଲା ପାଠ ପଢୁଛନ୍ତି ତା’ର ସ୍ପଷ୍ଟ ସୂଚନା ବିଭାଗ ନିକଟରେ ନାହିଁ। ଓଡ଼ିଶା ଶିକ୍ଷା ସଂଯୋଗ କାର୍ୟ୍ୟକ୍ରମ ଆରମ୍ଭ କରାଯାଇଥିଲେ ମଧ୍ୟ ଏହାକୁ ସଠିକ୍ ଭାବେ ତଦାରଖ ତଥା ସମୀକ୍ଷା କରାଯାଉନି। ଫଳତଃ କାର୍ୟ୍ୟକ୍ରମର ସୁଫଳ ମିଳିପାରୁନି। ବହୁ ବିଦ୍ୟାଳୟରେ ହ୍ବାଟ୍ସଗ୍ରୁପ୍ ଜରିଆରେ ଚାଲିଥିବା କାର୍ୟ୍ୟକ୍ରମ ‘ଓଡ଼ିଶା ଶିକ୍ଷା ସଂଯୋଗ’ ଦିଗହରା ହେଉଥିବା ଦେଖିବାକୁ ମିଳିଛି। ଏହା ବ୍ୟତୀତ ଅନଲାଇନ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ଏଯାବତ୍ କୌଣସି ଯୋଜନା ଆରମ୍ଭ କରାଯାଇନି।

ବିଦ୍ୟାଳୟ ପୂଜା ଛୁଟି ପର୍ୟ୍ୟନ୍ତ ବନ୍ଦ ଥିବାବେଳେ କେବେ ଖୋଲିବ ଅନିଶ୍ଚିତତା ଲାଗିରହିଛି। କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆସି ନଥିବାରୁ ପ୍ରାରମ୍ଭିକ ପର୍ୟ୍ୟାୟରେ କେବଳ ଉଚ୍ଚ ଶ୍ରେଣୀର ଛାତ୍ରଛାତ୍ରୀଙ୍କର ବିଦ୍ୟାଳୟ ଖୋଲିବାକୁ ସରକାରୀ ସ୍ତରରେ ଲକ୍ଷ୍ୟ ରଖାଯାଇଛି। ଏଭଳି ସ୍ଥତିରେ କିଭଳି ଭାବେ ଛାତ୍ରଛାତ୍ରୀ ସଠିକ୍ ଭାବେ ଶିକ୍ଷା ପାଇ ପାରିବେ ତାକୁ ନେଇ ଅଭିଭାବକ ଓ ବିଦ୍ୟାର୍ଥୀ ଚିନ୍ତା ପ୍ରକଟ କରିଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ରାଜ୍ୟରେ ପ୍ରାୟ ୩୦ ଲକ୍ଷରୁ ଊର୍ଦ୍ଧ୍ବ ବିଦ୍ୟାର୍ଥୀ ଅନଲାଇନରେ ପାଠ ପଢୁଛନ୍ତି। ‘ଓଡ଼ିଶା ଶିକ୍ଷା ସଂଯୋଗ’ କାର୍ୟ୍ୟକ୍ରମ’କୁ ନେଇ ଆସିଥିବା ଅଭିଯୋଗକୁ ଅନୁଧ୍ୟାନ କରାଯିବ। ରାଜ୍ୟରେ ରେଡିଓ ଓ ଟିଭି ଭଳି ବିଭିନ୍ନ କାର୍ୟ୍ୟକ୍ରମ ଜରିଆରେ ସଫଳତାର ସହ ଅନଲାଇନରେ ପାଠ ପଢାଯାଇଛି ବୋଲି ସେ କହିଛନ୍ତି।

Comments are closed.