ଗର୍ଭବତୀ ଓ ପ୍ରସୂତିଙ୍କୁ କରୋନା ଟିକା ମନା

ଭୁବନେଶ୍ୱର: କରୋନା ମହାମାରୀ କାଳରେ ଗର୍ଭଧାରଣ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ସାଧାରଣ ସମୟ ଅପେକ୍ଷା ଏହି ସମୟରେ ଗର୍ଭଧାରଣ କଲେ କେତେକ ସମସ୍ୟା ଦେଖାଦେଇଥାଏ। ସମୟ ପୂର୍ବରୁ ଶିଶୁ ଜନ୍ମ ହୋଇଥାଏ। ଏହାବାଦ୍‍ ଯେଉଁ ଶିଶୁ ଜନ୍ମ ହୁଏ ତା’ର ବିକାଶରେ ତାରତମ୍ୟ ଦେଖାଦେଇଥାଏ ବୋଲି କଟକ ବଡ଼ ଡାକ୍ତରଖାନାର ପ୍ରସୂତି ବିଭାଗ ପ୍ରଫେସର ଡା.ତୁଷାରଜ୍ୟୋତି କୁମାର କର କହିଛନ୍ତି।

ଡା.କରଙ୍କ ପରାମର୍ଶ ଅନୁଯାୟୀ, ମହିଳାମାନେ ଗର୍ଭାବସ୍ଥାରେ ଏବଂ ପ୍ରସୂତି ପରେ ସଙ୍ଗେ ସଙ୍ଗେ ଟିକା ନେବା ଉଚିତ୍‍ ନୁହେଁ। ଯଦି ଗର୍ଭ ଥିବା ଅବସ୍ଥାରେ ଗୋଟିଏ ପାନ ଟିକା ମହିଳା ନେଇଥିବେ, ତେବେ ଶିଶୁ ଜନ୍ମ ହେବାର ଅତି କମ୍‌ରେ ୬ମାସ ପରେ ଟିକା ନେବାକୁ ହେବ। ଯଦି ଆଦୌ ଟିକା ନେଇ ନଥିବେ ତେବେ ଶିଶୁ କ୍ଷୀର ଛାଡିବା ପରେ ଟିକା ନେବାର ଆବଶ୍ୟକତା ରହିଛି। ସେ କହିଥିଲେ ଯେ କରୋନା ସମୟରେ ଗର୍ଭ ଧାରଣ କଲେ ବିଭିନ୍ନ ପ୍ରକାର ଜଟିଳତା ଦେଖାଦେଇଥାଏ। ବିଶେଷକରି ଫୁସଫୁସ୍‍ ଜନିତ ଦୁର୍ବଳତା ଅନୁଭୂତ ହୋଇଥାଏ। ତେଣୁ ଏହି ଜଟିଳ ପରିସ୍ଥିତିରେ ଗର୍ଭଧାରଣ କରିବା ପୂର୍ବରୁ ସବୁ ଦିଗ ପ୍ରତି ଧ୍ୟାନଦେବାର ଆବଶ୍ୟକତା ରହିଛି। କେତେକ କ୍ଷେତ୍ରରେ ମହିଳାମାନେ ଗର୍ଭ ନଷ୍ଟ କରୁଥିବା ନଜରକୁ ଆସୁଛି। ତେବେ ଗର୍ଭାବସ୍ଥା ବେଳେ ଅତି କମ୍‌ରେ ତିନିଥର ‘ଅଲଟ୍ରାସାଉଣ୍ଡ’ କରାଯିବା ଉଚିତ୍‍। ତିନିମାସରେ ଥରେ କେତୋଟି ଶିଶୁ ଗର୍ଭରେ ରହିଛି ଜାଣିବା ପାଇଁ, ୫ମାସରେ ଥରେ ଶିଶୁ ବିକଳାଙ୍ଗ କି ନାହିଁ ଜାଣିବା ପାଇଁ ଏବଂ ୯ମାସରେ ଶେଷଥର ପାଇଁ ଅଲଟ୍ରାସାଉଣ୍ଡ କରାଯିବାର ଆବଶ୍ୟକତା ରହିଛି। ଗର୍ଭାବସ୍ଥାରେ ଥିବା ମହିଳାମାନେ ପ୍ରତିମାସରେ ସ୍ୱାସ୍ଥ୍ୟ ପରୀକ୍ଷା ନ କରାଇ ଦୁଇମାସରେ କଲେ ଚଳିବ ବୋଲି ବୋଲି ଡା. କର ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ଏସ୍‍ଆଇଏଚଏଫଡବ୍ଲ୍ୟୁ ନିର୍ଦେଶକ ଡା. ଅମରେନ୍ଦ୍ର ମହାନ୍ତିଙ୍କ ପ୍ରଶ୍ନର ଉତ୍ତରରେ ଶିଶୁ ବିଶେଷଜ୍ଞ ଡା. ପ୍ରଭାକର ମିଶ୍ର କହିଥିଲେ ଯେ, ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ମଧ୍ୟରେ ପ୍ରାୟ ୨୦ ପ୍ରତିଶତ ଶିଶୁ ଓ କିଶୋର/କିଶୋରୀ ସଂକ୍ରମିତ ହୋଇଛନ୍ତି। ସାଧାରଣ ବ୍ୟକ୍ତିଙ୍କ ଅପେକ୍ଷା ଶିଶୁମାନଙ୍କ ସୁସ୍ଥ କ୍ଷମତା ଅଧିକ। ତେବେ ଶିଶୁ ଓ କିଶୋର ମାନେ କରୋନା ନିୟମ ଠିକଣା ଭାବେ ପାଳନ କରନ୍ତିନାହିଁ, ତେଣୁ ସଂକ୍ରମିତ ହୋଇଥାନ୍ତି। ଶିଶୁମାନଙ୍କ ଠାରେ ରୋଗର ଲକ୍ଷଣ ଭିନ୍ନ ରହିଥାଏ। ପେଟବଥା ସାଙ୍ଗକୁ ତରଳ ଝାଡା, ଜିଭ ଓ ଆଖି ନାଲି ପଡିବା ଭଳି ଲକ୍ଷଣ ଦେଖାଦିଏ। ଆଗାମୀ ଦିନରେ ୧୨ରୁ ୧୭ବର୍ଷ ବୟସ୍କର ଶିଶୁଙ୍କୁ ଟିକା ଦେବା ପାଇଁ ପରୀକ୍ଷା ନିରୀକ୍ଷା ଚାଲିଛି। ଗବେଷଣା ପରେ ତାହା ସ୍ପଷ୍ଟ ହେବ ବୋଲି ଡା. ମିଶ୍ର କହିଥିଲେ।

Comments are closed.