ଗରୁଡ଼ବସା ୧୩୨କେଭି ନୂତନ ଗ୍ରୀଡ଼ରୁ ସଂଯୋଗ ବିଳମ୍ବ: ସମସ୍ୟାରେ ବଡ଼ସାହି, ମାଣତ୍ରୀ ଓ ପୁରୁଣାବାରିପଦା ବିଦ୍ୟୁତ ଷ୍ଟ୍ରକ୍‍ଚର

ବଡ଼ସାହି : କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଅନୁସାରେ ବୃଦ୍ଧିପାଉଛି ବିଦ୍ୟୁତ ବ୍ୟବହାର। ବଢ଼ିଚାଲିଛନ୍ତି ଉପଭୋକ୍ତା, ବୃଦ୍ଧି ଘଟୁଛି ବିଦ୍ୟୁତ ଦେୟ ସମ୍ପର୍କିତ ରାଜସ୍ୱ। ମାତ୍ର ତଦନୁଯାୟୀ ବିଭାଗୀୟ ଭିତ୍ତିଭୂମି ଠାରୁ ଆରମ୍ଭ କରି ସେବା ଯୋଗାଣର କ୍ଷମତା ବୃଦ୍ଧିରେ ଘଟୁଛି ବିଳମ୍ବ। ବିଳମ୍ବ ପାଇଁ ଗୋଟିଏ ପଟେ ଉପଭୋକ୍ତା ନିରବଚ୍ଛିନ୍ନ ସେବା ପାଇବାରୁ ବଞ୍ଚିତ ହେଉଥିବା ବେଳେ ଅନ୍ୟପଟେ ବାରମ୍ବାର ବିଦ୍ୟୁତ ସେବା ବ୍ୟାହତ ପାଇଁ ସ୍ୱଳ୍ପ ସଂଖ୍ୟକ କର୍ମଚାରୀ ତତ୍‍କ୍ଷଣାତ ଦାୟିତ୍ୱ ନିର୍ବାହ କରିନପାରି ପ୍ରତ୍ୟେହ ଉପଭୋକ୍ତାଙ୍କ ଶରବ୍ୟର ଶିକାର ହେଉଛନ୍ତି।

ମୟୂରଭଞ୍ଜ ଜିଲାର ବଡ଼ସାହି, ମାଣତ୍ରୀ ଓ ପୁରଣାବାରିପଦା ନେସ୍କୋ ବିଦ୍ୟୁତ ସେକ୍ସନ କ୍ଷେତ୍ରରେ ଏହା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଅଞ୍ଚଳରେ ବିଦ୍ୟୁତ ସେବାର ମୂଳଦୁଆ ପଡ଼ିବା ଆରମ୍ଭରୁ ବାରିପଦା ଫିଡ଼ରରୁ ବେତନଟୀ ଷ୍ଟ୍ରକଚର ମାଧ୍ୟମରେ ମିଳୁଛି ବିଦ୍ୟୁତ ସେବା। ବଡ଼ସାହି ସେକ୍ସନ ଅଧୀନରେ ବର୍ତ୍ତମାନ ୧୬ହଜାର ଉପଭୋକ୍ତା ଥିବା ବେଳେ ମାଣତ୍ରୀ ସେକ୍ସନ ଅଧୀନରେ ପୁରୁଣା ବାରିପଦା ଷ୍ଟ୍ରକଚରକୁ ମିଶାଇ ଅଛନ୍ତି ୧୪ହଜାର ୬୦୦ଜଣ ଉପଭୋକ୍ତା। କ୍ରମବର୍ଦ୍ଧିଷ୍ଣୁ ଉପଭୋକ୍ତାଙ୍କୁ ଉଚିତ ସେବା ପ୍ରଦାନ ପାଇଁ ବିଭାଗର ସଂସ୍କାର ମୂଳକ କାର୍ଯ୍ୟରେ ଜନସାଧାରଣଙ୍କ ବାରମ୍ବାର ଦାବି ପରେ ବେତନଟୀ ଗରୁଡ଼ବସା ଠାରେ ନିର୍ମାଣ ହୋଇଛି ୧୩୨କେଭି ନୂତନ ଗ୍ରୀଡ଼। ସେଠାରୁ ବରକନ୍ଦ, ବେତନଟୀ-୧, ବେତନଟୀ-୨ ଓ ବଡ଼ସାହିକୁ ବିଦ୍ୟୁତ ସେବା ଯୋଗାଇଦେବା ପାଇଁ ୩୩କେଭି ଲାଇନର ନୂତନ ଜ୍ଞାନକୌଶଳର ଖୁଣ୍ଟ, ତାର ଓ ଯନ୍ତ୍ରାଂଶ ସ୍ଥାପନ କାର୍ଯ୍ୟ ୨ବର୍ଷ ପୂର୍ବରୁ ଆରମ୍ଭ ହୋଇଛି। ଭିନ୍ଧ୍ୟା ଟେଲି ଲିଙ୍କ(ଭିଟିଏଲ) ନାମକ ଏକ ଆନ୍ତଃରାଜ୍ୟ ଠିକା ସଂସ୍ଥା ଜରିଆରେ ସ୍ଥାନୀୟ ଠିକାଦାର ଏହି କାର୍ଯ୍ୟ କରୁଛନ୍ତି। ସେମାନଙ୍କ ଦ୍ୱାରା ଗ୍ରୀଡ଼ ପାଖ ସଂଯୋଗ ବ୍ୟତୀତ ବେତନଟୀରୁ ବଡ଼ସାହି ଯାଏଁ କାର୍ଯ୍ୟ ସରିଥିବା ବେଳେ ରେଲୱେ ଲାଇନ ନିକଟରେ ଭୂତଳ ପାରି କାର୍ଯ୍ୟ ଆରମ୍ଭ ହୋଇନାହିଁ। ବିଳମ୍ବ ହେଲେ ହେଁ ଦକ୍ଷିଣପୂର୍ବ ରେଳପଥ ନିକଟରୁ ଏହାର ମଞ୍ଜୁରି ମିଳିବା ପରେ କାର୍ଯ୍ୟର ଅଗ୍ରଗତି ହେଉନାହିଁ। ଯାହା ଫଳରେ ବଡ଼ସାହି-ବେତନଟୀର ବାଘମରା ନିକଟରୁ ବାରମ୍ବାର ତାର ଚୋରି ହେଉଛି। ଏପରି ସ୍ଥଳରେ ଏହି ଲାଇନ ଉପରେ ବଡ଼ସାହି ୩୩କେଭି ଲାଇନ ନୂତନ ସଂଯୋଗରୁ ବଞ୍ଚିତ ରହିଛି। ସେହିପରି ସେଠାରୁ ଲିଙ୍କ ପାଉଥିବା ପୁରୁଣାବାରିପଦା ଷ୍ଟ୍ରକଚର ମଧ୍ୟ ନିରବଚ୍ଛିନ୍ନ ସେବାରୁ ବଞ୍ଚିତ ରହିଛି। ଫଳରେ ପୂର୍ବବତ ଦୁର୍ବଳ ସେବାରେ ଜନସାଧାରଣ ଅତିଷ୍ଠ ହେଲେଣି। ମେଘ ପବନ ଆସିବା ପୂର୍ବରୁ ସାମାନ୍ୟ ପତ୍ର ହଲିଲେ ବିଦ୍ୟୁତ ସେବା ଦୀର୍ଘ ଘଣ୍ଟା ଧରି ଏପରିକି ସନ୍ଧ୍ୟାରେ ଗଲେ ତହିଁ ପରଦିନ ଆସୁଛି। ବଡ଼ସାହି କନିଷ୍ଠଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଟେଲିଫୋନ କାର୍ଯ୍ୟ କରୁନାହିଁ। ଯନ୍ତ୍ରୀଙ୍କ ଧର୍ମଘଟ ପାଇଁ ସେ ବିଭାଗୀୟ ମୋବାଲ ନଂ ମଧ୍ୟ ସରେଣ୍ଡର କରିଥିବାରୁ ଉପଭୋକ୍ତା ସୂଚନା ପାଇବା ଦୁରରେ ଥାଉ, ତତ୍କାଳ ସୁବିଧା ବା ଅଭିଯୋଗରୁ ବଞ୍ଚିତ ରହିଛନ୍ତି। ବିଦ୍ୟୁତ ଉପଭୋକ୍ତା ବାବଦକୁ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ କରାଯାଉଛି ବୋଲି ତାଳପଦାର କୃଷି ବୈଜ୍ଞାନିକ ଜଗନ୍ନାଥ ପାତ୍ର ଅଭିଯୋଗ କରିଛନ୍ତି। ସେହିପରି ଅତିରିକ୍ତ ବ୍ୟୟ ବରାଦରେ ଗରୁଡ଼ବସା ନୂତନ ଗ୍ରୀଡ଼ରୁ ମାଣତ୍ରୀ ଷ୍ଟ୍ରକଚରକୁ ବେତନଟୀ ଷ୍ଟ୍ରକଚର  ବ୍ୟତୀତ ସ୍ୱାଧୀନ ଭାବେ ୮କିମି ବାଇପାସ କନେକ୍ସନ ଶୁଖିଲାହାର ପର୍ଯ୍ୟନ୍ତ ଦିଆଯାଇଥିବା ବେଳେ ତାହା ଅନୁମୋଦନ ହୋଇନି। ଫଳରେ ବେତନଟୀ ଷ୍ଟ୍ରକଚର ଯାନ୍ତ୍ରିକ ତ୍ରୁଟି ପାଇଁ ମାଣତ୍ରୀ ଅନ୍ଧକାରରେ ରହୁଥିବା ବେଳେ ମାଣତ୍ରୀ ଷ୍ଟ୍ରକଚର ଫଲଟି ପାଇଁ ବେତନଟୀ ଅନ୍ଧକାର ହେଉଛି। ଏହି ସମସ୍ୟା ପାଇଁ ବାରିପଦା ଅଧୀକ୍ଷଣ ଯନ୍ତ୍ରୀ ତୁରନ୍ତ ଦୃଷ୍ଟି ଦେବାକୁ ସଚେତନ ଉପଭୋକ୍ତାଙ୍କ ପକ୍ଷରୁ ଦାବି ହେଉଛି। ଏନେଇ ବାରିପଦା ଅଧୀକ୍ଷଣ ଯନ୍ତ୍ରୀ କହନ୍ତି ତାଲାବନ୍ଦ କଟକଣା ପାଇଁ କାର୍ଯ୍ୟର ଅଗ୍ରଗତି ହୋଇପରିନାହିଁ। ତେବେ ଖୁବ ଶୀଘ୍ର କାର୍ଯ୍ୟ ଶେଷ ହେବ। ମାଣତ୍ରୀ ପାଇଁ ଅତିରିକ୍ତ ପ୍ରସ୍ତାବ ବ୍ୟୟ ଅଟକଳ ବାହାରେ ହୋଇଥିବାରୁ ପରବର୍ତ୍ତୀ ଯୋଜନାରେ କାର୍ଯ୍ୟ କରାଯିବ ବୋଲି ପ୍ରତିଶୃତି ପ୍ରଦାନ କରିଛନ୍ତି।

Comments are closed.