ଦିଲ୍ଲୀରେ ଖ୍ରୀଷ୍ଟମାସ, ନୂଆବର୍ଷ ପାଳନ ମନା

ନୂଆଦିଲ୍ଲୀ : କରୋନାର ଓମିକ୍ରନ ପ୍ରଜାତି ଭୂତାଣୁର ସଂକ୍ରମଣ ବୃଦ୍ଧିକୁ ନେଇ ଦିଲ୍ଲୀ ସରକାର ଖ୍ରୀଷ୍ଟମାସ ଓ ନୂଆବର୍ଷ ଉତ୍ସବ ପାଳନକୁ ନିଷିଦ୍ଧ କରିଛନ୍ତି। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଡିଡିଏମଏ)ଙ୍କ ନିର୍ଦେଶ ଅନୁଯାୟୀ ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଇଁ କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କିମ୍ବା ଜନସମାଗମ ହୋଇପାରିବ ନାହିଁ। ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର) ଅଞ୍ଚଳରେ ଏହି ନିର୍ଦେଶକୁ କଡାକଡି କାର୍ଯ୍ୟକାରୀ କରିବାକୁ ଜିଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ଏହା ସହିତ କରୋନା ସଂକ୍ରମଣକୁ ରୋକିବାକୁ ଦିଲ୍ଲୀରେ ସମସ୍ତ ନିୟମ ଯେପରିକି ସାମାଜିକ ଦୂରତା ରକ୍ଷା କରିବା, ତୁଣ୍ଡି ବାନ୍ଧିବାକୁ କଡାକଡି ପାଳନ କରିବା ଲାଗି ଜିଲାପାଳ ଓ ପୁଲିସ ଉପାୟୁକ୍ତଙ୍କୁ ନିର୍ଦେଶ ଦିଆଯାଇଛି। ତୁଣ୍ଡି ବାନ୍ଧିନଥିବା ଲୋକଙ୍କୁ ଦୋକାନ ବଜାର ଓ କାର୍ଯ୍ୟାଳୟକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ। ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା ୫୭ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି। ଅନ୍ୟପକ୍ଷରେ ଦିଲ୍ଲୀରେ ଗତ ୨୪ଘଣ୍ଟାରେ ୧୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହା ଗତ ୬ମାସ ମଧ୍ୟରେ ସର୍ବାଧିକ । ଅନ୍ୟପଟେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୨୦ରେ ପହଞ୍ଚିଥିବାବେଳେ ଏହା ୧୭ଟି ରାଜ୍ୟକୁ ବ୍ୟାପିଗଲାଣି ।

ହରିୟାଣାରେ ଟିକା ନେଇ ନଥିଲେ ବସ୍‌ ଯାତ୍ରା, ବ୍ୟାଙ୍କ, ଦୋକାନ ବଜାର ପ୍ରବେଶ ମନା

ଚଣ୍ଡିଗଡ : କରୋନା ଟିକାକରଣ ଅଭିଯାନକୁ ସଫଳ କରିବା ଲାଗି ହରିୟାଣା ସରକାର କଠୋର ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ୨୦୨୨ ଜାନୁଆରୀ ୧ ତାରିଖ ସୁଦ୍ଧା ଯେଉଁମାନେ ସମ୍ପୂର୍ଣ୍ଣ ଦୁଇପାନ ଟିକା ନେଇ ନଥିବେ ସେମାନଙ୍କୁ ସର୍ବସାଧାରଣସ୍ଥାନକୁ ପ୍ରବେଶ ଅନୁମତି ମିଳିବ ନାହିଁ। ଟିକା ନେଇ ନଥିବା ଲୋକଙ୍କୁ ସର୍ବସାଧାରଣ ବସ୍‌ ଯାତ୍ରା, ବିବାହ ଉତ୍ସବ, ହୋଟେଲ, ବ୍ୟାଙ୍କ, ସପିଙ୍ଗ ମଲ୍‌ ଓ ସରକାରୀ କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। ରାଜ୍ୟ ସରକାରଙ୍କ ଏହି ନିର୍ଦେଶ ସମ୍ପର୍କରେ ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ୍ ଆଜି ସୂଚନା ଦେଇଛନ୍ତି। ହରିୟାଣାର ଗୁରୁଗ୍ରାମ ଜିଲାରେ ସମସ୍ତଙ୍କୁ ସମ୍ପୂର୍ଣ୍ଣ ଦୁଇପାନ ଟିକା ମିଳିଛି।

ଟିକା ନେଇ ନଥିଲେ ପଞ୍ଜାବରେ ସରକାରୀ ଚାକିରିଆଙ୍କ ଦରମା ବନ୍ଦ

କରୋନା ଟିକାକରଣ ଅଭିଯାନକୁ ତ୍ବରାନ୍ବିତ କରିବା ଲାଗି ପଞ୍ଜାବ ସରକାର ବଡ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଯେଉଁ ସରକାରୀ ଚାକିରିଆମାନେ ଟିକା ନେଇ ନଥିବେ ସେମାନଙ୍କ ଦରମା ବନ୍ଦ କରାଯିବ। ସରକାରୀ ଚାକିରିଆଙ୍କୁ ସେମାନଙ୍କ ଟିକା ପ୍ରମାଣପତ୍ରକୁ ଏଚଆରଏମଏସ୍‌ ପୋର୍ଟାଲରେ ଅପଲୋଡ କରିବାକୁ କୁହାଯାଇଛି। ଯେଉଁମାନେ ଟିକା ପ୍ରମାଣପତ୍ର ଅପଲୋଡ କରିବେ ନାହିଁ ସେମାନଙ୍କୁ ଦରମା ମିଳିବ ନାହିଁ। ଓମିକ୍ରନ ପ୍ରଜାତି ଭୂତାଣୁର ସଂକ୍ରମଣ ବ୍ୟାପୁଥିବାବେଳେ ଟିକାକରଣ ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି।

Comments are closed.