ବଦଳିବନି ପିସିସି ନେତୃତ୍ବ – ଚେଲାକୁମାର

ଭୁବନେଶ୍ୱର: କଂଗ୍ରେସର ପ୍ରଭାରୀ ଓଡ଼ିଶା ଗସ୍ତରେ ଆସିଥିବାବେଳେ ଗୁରୁବାର ଦଳର ୨୦ ଜଣ ପୂର୍ବତନ ବିଧାୟକ ଚେଲାକୁମାରଙ୍କୁ ଭେଟି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସଂଗଠନ ଦୁର୍ବଳ ହେଉଛି ବୋଲି କହିବା ସହ ନେତୃତ୍ବ ପରିବର୍ତ୍ତନ ପାଇଁ ଦାବି କରିଥିଲେ। ଅସନ୍ତୁଷ୍ଟମାନଙ୍କ ଏହି ଦାବି ଉପରେ ଚେଲାକୁମାର ପିସିସି ପରିବର୍ତ୍ତନ ପାଇଁ ସମୟ ନଷ୍ଟ ନକରି ଦଳ ସୁଦୃଢ଼ ନିମନ୍ତେ କାର୍ୟ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ପୂର୍ବରୁ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନଙ୍କୁ ବଦଳାଯାଇଛି ହେଲେ ଦଳକୁ ସେଭଳି କିଛି ସଫଳତା ମିଳିନାହିଁ ବୋଲି ଚେଲାକୁମାର କହିଛନ୍ତି। ଅସନ୍ତୁଷ୍ଟମାନେ ଦଳର ସ୍ଥିତି ସମ୍ପର୍କରେ ପ୍ରଭାରୀଙ୍କୁ ଅବଗତ କରାଇଛନ୍ତି।

୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପିସିସି ସଭାପତି ପରିବର୍ତ୍ତନ ପାଇଁ ଦଳର ତୁଙ୍ଗ ନେତା ଓ ନେତ୍ରୀ ଦାବି ଉଠାଇଥିଲେ। ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ଅବଗତ କରାଇବା ସହ କଂଗ୍ରେସକୁ ଓଡ଼ିଶାରେ ସୁଦୃଢ଼ କରାଇବାକୁ ହେଲେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ପରିବର୍ତ୍ତନ କରାଯିବା ଆବଶ୍ୟକ ବୋଲି କହିଥିଲେ। ଦୁର୍ବଳ ନେତୃତ୍ୱ, ଦିଶାହୀନ ସଂଗଠନ ଦଳକୁ ଦୁର୍ବଳ କରିବାକୁ ବସିଛି। ୨୦୨୦ରେ ଦୁଇଟି ଉପ ନିର୍ବାଚନରେ କଂଗ୍ରେସ ପରାଜୟ ବରଣ କରିଛି। ଆଗକୁ ପିପିଲି ଉପ ନିର୍ବାଚନ, ପଞ୍ଚାୟତ ଓ ପୌର ନିର୍ବାଚନ ହେବାକୁ ଅଛି। ବେଳ ଥାଉ ଥାଉ ନେତୃତ୍ୱ ପରିବର୍ତ୍ତନ ନ ହେଲେ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିତାରେ ସମର୍ଥ ହେବନାହିଁ ବୋଲି ସେମାନେ ଚେଲାଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। କରୋନା ମହାମାରୀ ଯୋଗୁଁ କଂଗ୍ରେସରେ ପିସିସି ପରିବର୍ତ୍ତନ ଅଭିଯାନ ଥମିଥିଲା। ଏକ ବର୍ଷ ପରେ ଶତାଧିକ ଅସନ୍ତୁଷ୍ଟ ଏକାଠି ହୋଇ କଂଗ୍ରେସରେ ନିରଞ୍ଜନ ହଟାଅ ଅଭିଯାନକୁ ପୁନର୍ବାର ଉଜ୍ଜୀବିତ କରିଛନ୍ତି। ଦଳର ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ, ପୂର୍ବତନ ମନ୍ତ୍ରୀ ଓ ଜିଲା କମିଟି ସଭାପତିମାନେ ଗତ ୧୦ ତାରିଖରେ ଏକାଠି ହୋଇଥିଲେ। ଆଗାମୀ ଦିନରେ ଦିଲ୍ଲୀ ଯାଇ ପିସିସି ପରିବର୍ତ୍ତନ ପାଇଁ ରାହୁଳ ଗାନ୍ଧୀଙ୍କୁ ସାକ୍ଷାତ କରିବୁ ବୋଲି ଅସନ୍ତୁଷ୍ଟ ନେତା କହିଛନ୍ତି।

ଅନ୍ୟପକ୍ଷରେ ଗୁରୁବାର ସନ୍ଧ୍ୟାରେ କଂଗ୍ରେସ ଭବନରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଓ ଦଳର ବିଧାୟକମାନେ ପ୍ରଭାରୀ ଚେଲାକୁମାରଙ୍କ ସହ ବସି ସଂଗଠନ ଓ ଦଳର ରଣନୀତି ନେଇ ଆଲୋଚନା କରିଛନ୍ତି। ଚେଲାକୁମାର ଦଳର ବିଧାୟକଙ୍କୁ କହିଛନ୍ତି ଯେ ଓଡ଼ିଶାରେ ବିଜେଡି ଓ ବିଜେପିର ମିଳିତ ସରକାର ଚାଲିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ ନୀତି ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ତରାପ୍ରସାଦ ବାହିନୀପତି, ବିଧାୟକ ସନ୍ତୋଷ ସିଂ ସାଲୁଜା, ବିଧାୟକ ମହମ୍ମଦ ମୋକିମ, ରମେଶ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ।

Comments are closed.