ବିକାଶର ବିକଳ ଚିତ୍ର : ଶତାଧିକ ବର୍ଷର ଗାଁକୁ ନାହିଁ ରାସ୍ତା

ରେଙ୍ଗଲିକେମ୍ପ : ଅତାବିରା ବ୍ଲକ ମନାପଡା ପଞ୍ଚାୟତ ଅଧିନରେ ରହିଛି ବିଶାଳ ଟିକ୍ରା । ଶତାଧିକ ବର୍ଷର ଏହି ଗ୍ରାମରେ ରହନ୍ତି  ପ୍ରାୟ ଶହେରୁ ଉର୍ଦ୍ଧ୍ବ  ଲୋକ । ୫୩ନଂ ଜାତୀୟ ରାଜପଥ କଡ଼ରେ ଥିବା ସୁକୁଟା ପାଲି ଛକରୁ ମାତ୍ର ୭୦୦ ମିଟର ଦୂର। ହେଲେ ଆଜି ଏହି ଗାଁକୁ ପକ୍କା ରାସ୍ତା ଟିଏ ହୋଇପାରିନାହିଁ । ଗ୍ରାମୀଣ ବିକାଶ ଯୋଜନାରେ ସରକାର ବିଜୁଳି, ରାସ୍ତା ଓ ପାନୀୟ ଜଳ ଆଦି ମୌଳିକ ସୁବିଧା ଯୋଗାଇ ଦେଉଥିବା ବେଳେ ଆଜି ମଧ୍ୟ ଏହି ଗାଆଁ କୁ ରାସ୍ତା ହେଇନଥିବା ବଡ ଆଶ୍ଚର୍ଯ୍ୟ ର କଥା । ଛକ ରୁ ମାତ୍ର ୫୦୦ ମିଟର ଗଲାପରେ ରହିଛି ଏକ ଛୋଟ ନାଳ । ୧୯୯୭ ମସିହାରେ ଏହି ନାଳ ଉପରେ ୬-୩ ର ବାରଟି  ସିମେଣ୍ଟ ନଳ ବସାଯାଇ ଉପରେ ମାଟି ପକାଯାଇଥିଲା ,ଲୋକେ ଯିବା ଆସିବା କରିବା ପାଇଁ । ହେଲେ ମାଟି ସବୁ ବର୍ଷାରେ ଧୋଇ ହୋଇ ଚାଲିଗଲାଣି । ଏବେ ତା ଉପର ଦେଇ ଆଉ ଟ୍ରାକ୍ଟର ମଧ୍ୟ ଯିବା ଆସିବା କରିପାରୁନି। ଚାଷୀଙ୍କ ଧାନ ବୋଝେଇ  ଟ୍ରାକ୍ଟରେ ଏହି ପୋଲ ଦେଇ ଯାଇପରୁନି। ଲୋକେ ଛୋଟ ଗାଡ଼ିରେ ଥର ଥର କରି ନେବା ଆଣିବା କରୁଛନ୍ତି । ଯାହା ଫଳରେ ସମୟ ସହ ଅଧିକ ଅର୍ଥ  ମଧ୍ୟ ଖର୍ଚ୍ଚ ହେଉଛି । ଏହି ଗାଆଁରେ ରହିଛି ଏକ ମଠ। ଯାହା ଶ୍ରୀରାମ ବାବା ମଠ ନାମରେ ପରିଚିତ । ପ୍ରତି ନିର୍ବାଚନ  ସମୟରେ ବିଭିନ୍ନ ଦଳର ରାଜନେତା ମାନେ ଏହି ମଠରେ ସଭା ସମିତି କରନ୍ତି । ଆଉ ପ୍ରଥମେ ଏହି ରାସ୍ତା କଥା ହିଁ ଆଲୋଚନା ହୁଏ। ସମସ୍ତେ ରାସ୍ତା କାମ ଆଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ଭୋଟ ମାଗିଥାନ୍ତି । କିନ୍ତୁ ଭୋଟ ସରିଲା ପରେ ସମସ୍ତେ ଭୂଲି ଯାଆନ୍ତି ନିଜର ପ୍ରତିଶ୍ରୁତି । ଶହ ଶହ ବର୍ଷ ଧରି ଗଢି ଉଠିଥିବା ଏହି ଜନବସତି ଆଜି ମଧ୍ୟ ରାସ୍ତା ପାଇଁ ହନ୍ତସନ୍ତ । ଏହି ମଠରେ ଅନେକ ଥର ଗ୍ରାମସଭା ହୋଇଛି । ସେଇ ସଭାରେ ମଧ୍ୟ ତାଲିକାରେ ଏହି ରାସ୍ତା କାମ ପହିଲା ନଂ ରେ ରହିଥାଏ। କିନ୍ତୁ କାମଟି ସବା ଶେଷରେ ମଧ୍ୟ ହୋଇନଥାଏ । ବର୍ଷା ହେଲେ ଏହି ପୋଲ ଦେଇ ପଥଚାରୀ ମଧ୍ୟ ଯିବା ପାଇଁ ଭୟ କରେ  ଗୋଡ଼ ଫସିଯିବାର ଆଶଙ୍କାରେ । ଗ୍ରାମର ଯୁବ ପିଢୀଏବେ ଏବେ ସ୍ୱର ଉତ୍ତୋଳନ କରିଛନ୍ତି ଏହି ରାସ୍ତା ପାଇଁ । ଆସନ୍ତା ପଞ୍ଚାୟତ ନିର୍ବାଚନରେ ଯଦି ଏହି ରାସ୍ତା ନିର୍ମାଣ ନ ହୁଏ, ରାସ୍ତାର ଆଲୋକି କରଣ ନ ହୁଏ, ତେବେ ଆଉ କେବେ କୌଣସି ଦଳ କୁ ଭୋଟ ଦେବେନି। ଭୋଟ ବର୍ଜନ କରିବାକୁ ବାଧ୍ୟ ହେବେ ବୋଲି  ମତ ପ୍ରକାଶ କରିଛନ୍ତି । ଗ୍ରାମର ବିକାଶ ଅମର ଏକମାତ୍ର ଲକ୍ଷ୍ୟ ବୋଲି  ଏହି ଯୁବ ପୀଢ଼ି କହିଛନ୍ତି।

Comments are closed.