୧୦୦ ଏମ୍‌ବିବିଏସ୍‌ ଆସନରେ ନାମ ଲେଖାକୁ ଏନ୍‌ଏମ୍‌ସିର ଅନୁମୋଦନ

ପୁରୀ ଶ୍ରୀ ଜଗନ୍ନାଥ ଭେଷଜ ମହାବିଦ୍ୟାଳୟ

କଟକ/ଭୁବନେଶ୍ୱର : ଆସନ୍ତା ଶିକ୍ଷାବର୍ଷଠାରୁ ପୁରୀ ଶ୍ରୀ ଜଗନ୍ନାଥ ଭେଷଜ ମହାବିଦ୍ୟାଳୟରେ ଏମବିବିଏସ ପାଠ୍ୟକ୍ରମରେ ଶିକ୍ଷାଦାନ ଆରମ୍ଭ ହେବ। ଜାତୀୟ ଭେଷଜ ପରିଷଦ(ଏନଏମସି) ୧୦୦ ଏମ୍‍ବିବିଏସ୍‍ ଆସନରେ ନାମ ଲେଖାଇବା ପାଇଁ ଅନୁମୋଦନ ପ୍ରଦାନ କରିଥିବା ଜଣାପଡ଼ିଛି। ଏନଏମସି ଅନୁମୋଦନ ଦେବା ପରେ ଆସନ୍ତା ଶିକ୍ଷାବର୍ଷରୁ ପୁରୀ ଶ୍ରୀ ଜଗନ୍ନାଥ ଭେଷଜ ମହାବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ ହେବା ସ୍ପଷ୍ଟ ହୋଇଛି। ପୁରୀରେ ଭେଷଜ ମହାବିଦ୍ୟାଳୟରେ ନାମ ଲେଖାକୁ ଏନଏମସି ଅନୁମୋଦନ ଦେବା ଫଳରେ ରାଜ୍ୟରେ ସରକାରୀ ଭେଷଜ ମହାବିଦ୍ୟାଳୟରେ ଏମବିବିଏସ ସିଟ ସଂଖ୍ୟା ୧୦୫୦ରୁ ୧୧୫୦କୁ ବୃଦ୍ଧି ପାଇଛି। ବର୍ତ୍ତମାନ କଟକ ବଡ ଡାକ୍ତରଖାନା, ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ
ଏବଂ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଭେଷଜ ମହାବିଦ୍ୟାଳୟରେ ୨୫୦ ଲେଖାଏଁ ଏମବିବିଏସ ଆସନ ରହିଥିବାବେଳେ ମୟୂରଭଞ୍ଜ ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ, ବାଲେଶ୍ୱରସ୍ଥିତ ଫକୀର ମୋହନ ଭେଷଜ ମହାବିଦ୍ୟାଳୟ ଓ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟରେ ୧୦୦ ଲେଖାଏଁ ଏମବିବିଏସ ଆସନ ରହିଛି। ପୁରୀ ଭେଷଜ ମହାବିଦ୍ୟାଳୟରେ ୧୦୦ ଏମବିବିଏସ ଆସନରେ ନାମ ଲେଖାକୁ ଏନଏମସି ଅନୁମତି ଦେବା ପରେ ରାଜ୍ୟ ସରକାର ଖୁବଶୀଘ୍ର ୫୦ରୁ ଊର୍ଦ୍ଧ୍ବ ଡାକ୍ତର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଏଥିସହିତ ବିଭିନ୍ନ ଭେଷଜ ମହାବିଦ୍ୟାଳୟରେ ଟ୍ରମା ୟୁନିଟ୍‍ କାର୍ଯ୍ୟକ୍ଷମ ପାଇଁ ୧୫୦କୋଟି ଟଙ୍କାର ସ୍ୱତନ୍ତ୍ର ବଜେଟ ପ୍ରସ୍ତୁତ କରିଛନ୍ତି। ଖୁବଶୀଘ୍ର ସରକାର ଏ ସମ୍ପର୍କରେ ଘୋଷଣା କରିବେ ବୋଲି ସୂଚନା ମିଳିଛି।

Comments are closed.