ମୁଖ୍ୟମନ୍ତ୍ରୀ ହେବା ପାଇଁ ନୀତୀଶଙ୍କ ଦୁଇ ସର୍ତ୍ତ

ପାଟନା: ବିହାରରେ ନୂଆ ସରକାର ଗଠନ ପାଇଁ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଏନଡିଏର ବୈଠକ ଆୟୋଜନ କରାଯାଇଛି। ଆସନ୍ତା ୧୫ତାରିଖ, ରବିବାର ମଧ୍ୟାହ୍ନ ୧୨ଟା ୩୦ରେ ପାଟନାରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ଏନ୍‌ଡିଏର ସମସ୍ତ ବିଧାୟକ ଉପସ୍ଥିତ ରହିବେ। ବୈଠକର ନିଷ୍ପତ୍ତି ଅନୁସାରେ ଶପଥଗ୍ରହଣ ଉତ୍ସବର କାର୍ଯ୍ୟକ୍ରମ ଧାର୍ଯ୍ୟ ହେବ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶୁକ୍ରବାର ରାଜ୍ୟପାଳ ଫଗୁ ଚୌହାଣଙ୍କୁ ଭେଟି ନିଜର ଇସ୍ତଫାପତ୍ର ଦେଇଛନ୍ତି। ରାଜ୍ୟପାଳ ତାଙ୍କୁ ନୂଆ ସରକାର ଗଠନ ପର୍ଯ୍ୟନ୍ତ କାର୍ଯ୍ୟଭାର ସମ୍ଭାଳିବାକୁ ପରାମର୍ଶ ଦେଇଛନ୍ତି।

ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ଦଳ ଦୁର୍ବଳ ହୋଇଯାଇଥିବାରୁ ସେ ଆଉ ମୁଖ୍ୟମନ୍ତ୍ରୀ ହେବାକୁ ଚାହାନ୍ତି ନାହିଁ ବୋଲି ଏନ୍‌ଡିଏ ନେତାଙ୍କୁ ଜଣାଇ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ରବିବାର ବୈଠକରେ ମୁଖ୍ୟମନ୍ତ୍ରୀ ପଦ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ। ଶୁକ୍ରବାର ନୀତୀଶଙ୍କ ଅଧ୍ୟକ୍ଷତାରେ ଏନ୍‌ଡିଏ ବିଧାୟକମାନଙ୍କର ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ପରେ ନୀତୀଶ ଉପରୋକ୍ତ ସୂଚନା ଦେଇଛନ୍ତି। ପୂର୍ବରୁ ଏନଡିଏ ଜିତିଲେ ନୀତୀଶ କୁମାର ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେପି ବାରମ୍ବାର ଘୋଷଣା କରିଛି। ଏବେ ସେ ଏଥିପାଇଁ ଆଗ୍ରହୀ ନ ଥିବା କହିଛନ୍ତି। ତାଙ୍କୁ ଏଥିପାଇଁ ରାଜି କରାଇବାକୁ ଏନଡିଏ ବୈଠକରେ ପ୍ରୟାସ କରାଯାଇଥିବା ପ୍ରକାଶ। ଏମିତିକି ଏନ୍‌ଡିଏର ସହଭାଗୀ ଦଳ ବିଜେପି, ହମ୍ ଓ ବିକାଶଶୀଳ ଇନ୍‌ସାନ୍‌ ପାର୍ଟି ବା ଭିଆଇପିର ନେତାମାନେ ନୀତୀଶଙ୍କ ଘରେ ପହଞ୍ଚିଥିଲେ ବୋଲି କୁହାଯାଉଛି। ସୂଚନାନୁଯାୟୀ, ନୀତୀଶ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପାଇଁ ବିଜେପି ଆଗରେ ଦୁଇଟି ସର୍ତ୍ତ ରଖିଛନ୍ତି। ପ୍ରଥମଟି ହେଲା ଚିରାଗ ପାଶ୍ବାନଙ୍କୁ ଏନଡିଏରୁ ବିଦା କରିବା ଓ ଦ୍ବିତୀୟଟି ହେଲା ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର କ୍ଷମତା ସଙ୍କୁଚିତ ନ କରିବା। ବିଜେପି ତାଙ୍କର ଏହି ଦୁଇଟି ସର୍ତ୍ତ ମାନିବାକୁ ରାଜି ଥିବା ସୂଚନା ମିଳିଛି।

ଏଲ୍‌ଜେପି ନେତା ଚିରାଗଙ୍କ ଉପରେ ନୀତୀଶ ଭୀଷଣ କ୍ଷୁବ୍ଧ ଅଛନ୍ତି। ‌ତାଙ୍କ ଯୋଗୁଁ ଜେଡି(ୟୁ)କୁ ୨୫ରୁ ୩୦ଟି ଆସନ ହରାଇବାକୁ ପଡ଼ିଛି ବୋଲି ନୀତୀଶ କହିଛନ୍ତି। ନିର୍ବାଚନ ସମୟରେ ସେ ଏଭଳି ଆଶଙ୍କା ସମ୍ପର୍କରେ ବିଜେପିକୁ ଅବଗତ କରିଥିଲେ; କିନ୍ତୁ ଦଳ ଏହାକୁ ହାଲୁକା ଭାବେ ନେଇଥିଲା। ଚିରାଗଙ୍କ ପ୍ରତି ବିଜେପି କଠୋର ହୋଇଥିଲେ ଏଭଳି ଅବସ୍ଥା ହୋଇ ନ ଥା’ନ୍ତା ବୋଲି ସେ କହିଛନ୍ତି। ସେଥିଯୋଗୁଁ ସେ ଚିରାଗଙ୍କୁ କେନ୍ଦ୍ରୀୟ ଏନ୍‌ଡିଏରୁ ବାହାର କରିବା ଲାଗି ଜିଦ୍ ଧରିଛନ୍ତି। ନୀତୀଶଙ୍କ ମତରେ ଚିରାଗଙ୍କ ଯୋଗୁଁ ତାଙ୍କ ଦଳ ତୃତୀୟ ସ୍ଥାନକୁ ଖସିଛି। ଏବେ ସେ ବିଜେପି ଦୟାରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏହାଦ୍ବାରା ତାଙ୍କର କ୍ଷମତା କ୍ଷୁଣ୍ଣ ହେବ। ବିଜେପିର ବଡ଼ ଭାଇ ପଣିଆ ତାଙ୍କୁ ନିଷ୍ପତ୍ତି ନେବାରେ ବାଧକ ସାଜିବ। ଅଧିକ ଆସନ ପାଇଥିବାରୁ ନୂଆ ମୁଖ୍ୟମନ୍ତ୍ରୀ ବାଛିବାକୁ କିଛି ବିଜେପି ନେତା କହିବା ଆରମ୍ଭ କରିଥିବାରୁ ନୀତୀଶ କ୍ଷୁବ୍ଧ ଅଛନ୍ତି ଓ ଭବିଷ୍ୟତରେ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ନ ହେବା ପାଇଁ ଏବେଠାରୁ ରାସ୍ତା ସଫା କରୁଛନ୍ତି।

Comments are closed.