ସପ୍ତମଥର ପାଇଁ ଆଜି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନିତୀଶ କୁମାର

ପାଟନା : ବିହାର ମୁଖ୍ୟମନ୍ତ୍ରୀ ଭାବେ ନିତୀଶ କୁମାର ସପ୍ତମଥର ପାଇଁ ଆଜି ଶପଥ ଗ୍ରହଣ କରିବେ। ଅପରାହ୍ଣ ୪.୩୦ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ରାଜ୍ୟପାଳ ଫଗୁ ଚୌହାନ୍‍ ଶ୍ରୀ କୁମାର ଓ ତାଙ୍କ ମନ୍ତ୍ରୀ ପରିଷଦର ଅନ୍ୟାନ୍ୟ ସଦସ୍ୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ତେବେ ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି।

ସର୍ବାଧିକ ୩୬ଜଣ ମନ୍ତ୍ରୀଙ୍କୁ କ୍ୟାବିନେଟରେ ସାମିଲ୍‍ କରାଯାଇ ପାରିବ। ମନ୍ତ୍ରୀମାନଙ୍କ ସଂଖ୍ୟାକୁ ନେଇ ବିଜେପି ଓ ଜେଡିୟୁ ମଧ୍ୟରେ ଆଲୋଚନା ଜାରି ରହିଛି। ଏହାଛଡା ହିନ୍ଦୁସ୍ଥାନୀ ଆୱାମ୍‍ ମୋର୍ଚ୍ଚା (ହାମ୍‍) ଓ ବିକାଶଶୀଳ ଇନସାନ୍‍ ପାର୍ଟି (ଭିଆଇପି) ଭିଆଇପି ଦଳରୁ ଜଣେ ଲେଖାଏଁ ବିଧାୟକଙ୍କୁ  ମନ୍ତ୍ରୀ କରିବା ପାଇଁ ନିଷ୍ପତି ନିଆଯାଇଛି।

ରବିବାର ଜେଡିୟୁ ନେତା ନିତୀଶ କୁମାର ସର୍ବସମ୍ମତି କ୍ରମେ ରାଜ୍ୟରେ ଏନ୍‍ଡିଏର ବିଧାୟକ ଦଳ ନେତାଭାବେ ମନୋନୀତ ହୋଇଥିଲେ। ପାଟନାଠାରେ ଅନୁଷ୍ଠିତ ଏନ୍‍ଡିଏର ଏକ ମିଳିତ ବୈଠକରେ ଏହି ନିଷ୍ପତି ନିଆଯାଇଥିଲା। ପୂର୍ବରୁ ଜେଡିୟୁର ନବନିର୍ବାଚିତ ବିଧାୟକମାନେ ନିତୀଶ କୁମାରଙ୍କୁ ଦଳର ନେତାଭାବେ ନିର୍ବାଚିତ କରିଥିଲେ। ଶ୍ରୀ କୁମାରଙ୍କ ସରକାରୀ ବାସଭବନଠାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବିଧାନସଭା ବାଚସ୍ପତି ନିର୍ବାଚନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।
ତାରକିଶୋର ପ୍ରସାଦ ବିଜେପି ବିଧାୟକ ଦଳର ନେତା ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିବାବେଳେ ରେଣୁ ଦେବୀ ଉପନେତା ଭାବେ ମନୋନୀତ ହୋଇଛନ୍ତି।  କାଟିହାରର ଚାରିଥର ବିଧାୟକ ତାରକିଶୋର ପ୍ରସାଦଙ୍କୁ ବିଜେପି ବିଧାୟକ ଦଳର ନେତା ଭାବେ ମନୋନୀତ କରାଯାଇଥିବାରୁ, ଦଳର ଏହି ପଦକ୍ଷେପ ଏହା ମଧ୍ୟ ସୂଚାଇ ଦେଇଛି ଯେ ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ପଦବୀ ପାଇଁ  ତାରକିଶୋର ପ୍ରସାଦଙ୍କୁ ଦାୟିତ୍ବ ଦିଆଯାଇପାରେ। ସେହିପରି ବେତିଆର ବିଧାୟକ ରେଣୁ ଦେବୀଙ୍କୁ ବିଜେପି ବିଧାୟକ ଦଳର ଉପନେତା ଭାବେ ଘୋଷଣା କରାଯାଇଛି। ତେଣୁ ବିଶ୍ୱାସ କରାଯାଉଛି ଯେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏନଡିଏ ସରକାରରେ ରେଣୁ ଦେବୀଙ୍କୁ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି।

ତୋବେ ବିହାରରେ ଏନ୍‍ଡିଏ ନେତାଭାବେ ନିର୍ବାଚିତ ହେବା ପରେ ଶ୍ରୀ କୁମାର କହିଥିଲେ ଯେ, ସେ ବିହାରର ମୁଖ୍ୟମନ୍ତ୍ରୀ
ହେବାପାଇଁ ଚାହୁଁନଥିଲେ କିନ୍ତୁ ବିଜେପିର ଅନୁରୋଧକ୍ରମେ ସେ ରାଜ୍ୟରେ ଏନଡିଏକୁ ନେତୃତ୍ୱ ଦେବା ପାଇଁ ସହମତ ହୋଇଛନ୍ତି।
ଏନ୍‍ଡିଏର ଏହି ମିଳିତ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ଥିଲେ। ବିଜେପିର ନବନିର୍ବାଚିତ ବିଧାୟକମାନଙ୍କ ସହ ଆଲୋଚନା ପରେ ଉପମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ନିଷ୍ପତି ନିଆଯିବ ବୋଲି ଶ୍ରୀ ସିଂହ କହିଛନ୍ତି। ସୂଚନାଯୋଗ୍ୟ, ବିହାର ବିଧାନସଭା ନିର୍ବାଚନରେ ଏନ୍‍ଡିଏ ୧୨୫ଟି ଆସନରେ ବିଜୟୀ ହୋଇ ପୂର୍ଣ୍ଣ  ଖ୍ୟାଗରିଷ୍ଠତା
ହାସଲ କରିଛି। ଜଣେ ସ୍ୱାଧୀନ ବିଧାୟକ ସୁମିତ୍‍ ସିଂ ମଧ୍ୟ ଏନ୍‍ଡିଏକୁ ସମର୍ଥନ କରିଛନ୍ତି।

 

Comments are closed.