ଜେଡିୟୁ-ବିଜେପି ମେଣ୍ଟରେ ନାହିଁ ଫାଟ, ଜିତିବେ ୨୦୦ ଆସନ : ନିତିଶ କୁମାର

0

ପାଟନା : ବିହାର ମୁଖ୍ୟମନ୍ତ୍ରୀ ତଥା ସଂଯୁକ୍ତ ଜନତା ଦଳ (ଜେଡିୟୁ) ଅଧ୍ୟକ୍ଷ ନିତିଶ କୁମାର ଆସନ୍ତା ବର୍ଷ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଏନଡିଏ ବଡ଼ ବିଜୟ ହାସଲ କରିବ ବୋଲି ଶୁକ୍ରବାର ଦାବି କରିଛନ୍ତି।

ନିତିଶ କହିଛନ୍ତି ଯେ ଜେଡିୟୁ ତାର ସହଯୋଗୀ ବିଜେପି ମେଣ୍ଟରେ ଫାଟ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଲୋକଙ୍କ ଅବସ୍ଥା ଖରାପ ହେବ। ଜେଡିୟୁ-ବିଜେପି ମେଣ୍ଟରେ କୌଣସି ଫାଟ ନାହିଁ କି ମନୋମାଳିନ୍ୟ ନାହିଁ। ଆସନ୍ତା ବିଧାନସଭା ନିର୍ବାଚନରେ ଏନଡିଏକୁ ୨୦୦ରୁ ଅଧିକ ଆସନ ମିଳିବ। ଅନେକ ଲୋକ ଭାବୁଛନ୍ତି ଯେ ଆମ ମେଣ୍ଟରେ କିଛି ଗଡ଼ବଡ଼ (ସମସ୍ୟା) ଅଛି। ଏମିତି କିଛି ଗଡ଼ବଡ଼ ନାହିଁ ଓ ଯେଉଁମାନେ ଫାଟ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ଅବସ୍ଥା ଖରାପ ହେବାକୁ ଯାଉଛି। ଜେଡିୟୁର ଏକ ବୈଠକକୁ ସମ୍ବୋଧିତ କରି ନିତିଶ ଏହା କହିଛନ୍ତି। ଏହାସହ ତାଙ୍କ ବିରୋଧରେ କରାଯାଉଥିବା ବ୍ୟକ୍ତିଗତ ଆକ୍ଷେପ ଉପରେ କୌଣସି ପ୍ରତିକ୍ରିୟା ନଦେବାକୁ ସେ ନିଜ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଅନୁରୋଧ କରିଛନ୍ତି। ବ୍ୟକ୍ତିଗତ ଟିପ୍ପଣୀ ଉପରେ ପ୍ରତିକ୍ରିୟା ନଦେବାକୁ ସେ ଜେଡିୟୁର ମୁଖପାତ୍ରଙ୍କୁ ପରାମର୍ଶ ଦେଇଛନ୍ତି। ନିତିଶ କୁମାର ୨୦୧୦ ବିଧାନସଭା ନିର୍ବାଚନ କଥା ମନେପକାଇବାକୁ କହିଥିଲେ। ସେତେବେଳେ ଆମେ ବହୁମତ ପାଇବୁ ନାହିଁ ବୋଲି ଆଶଙ୍କା କରାଯାଉଥିଲା। ମାତ୍ର ଆମେ ୨୪୩ରୁ ୨୦୬ ଆସନରେ ବିଜୟ ଲାଭ କରିଥିଲୁ। ଆସନ୍ତା ବର୍ଷ ଆମେ ୨୦୦ରୁ ଅଧିକ ଆସନ ଜିତିବୁ ବୋଲି ନିତିଶ କହିଛନ୍ତି।

Leave A Reply