ସର୍ବନିମ୍ନ ସହାୟକ ମୂଲ୍ୟ ହ୍ରାସ ମନ୍ତବ୍ୟକୁ ଖଣ୍ଡନ କଲେ ନିତିନ ଗଡକରୀ

ଏଭଳି ଖବର ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ

ନୂଆଦିଲ୍ଲୀ : ସର୍ବନିମ୍ନ ସହାୟକ ମୂଲ୍ୟ ହ୍ରାସ କରିବା ନେଇ ଶ୍ରୀ ଗଡକରୀ ମନ୍ତବ୍ୟ ଦେଇଛନ୍ତି ବୋଲି ପ୍ରକାଶିତ ଗଣମାଧ୍ୟମ ଖବରକୁ ସଡକ, ପରିବହନ, ରାଜମାର୍ଗ ଓ ଏମଏସଏମଇ ମନ୍ତ୍ରୀ ନିତିନ ଗଡକରୀ ଦୃଢ ଭାବେ ଖଣ୍ଡନ କରିଛନ୍ତି । ଏଭଳି ଖବର ଅସତ୍ୟ, କପୋଳକଳ୍ପିତ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ କହିଛନ୍ତି । ଏ ସମ୍ପର୍କରେ ମନ୍ତବ୍ୟ ଦେଇ ଶ୍ରୀ ଗଡକରୀ କହିଛନ୍ତି ଯେ, ଚାଷୀମାନଙ୍କ ଆୟ କିପରି ଅଧିକରୁ ଅଧିକ ହେବ ସେଥିପାଇଁ ସେ ସବୁବେଳେ ଚେଷ୍ଟା କରି ଆସିଛନ୍ତି । ଫସଲର ସହାୟକ ମୂଲ୍ୟ ଘୋଷଣା ବେଳେ ସେ ନିଜେ ଉପସ୍ଥିତ ଥିଲେ ଏବଂ ଏହାକୁ ହ୍ରାସ କରିବା ନେଇ ମନ୍ତବ୍ୟ ଦେବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ, ଚାଷୀମାନଙ୍କ ଆୟ ବୃଦ୍ଧି ସବୁବେଳେ ଭାରତ ସରକାରଙ୍କ ପ୍ରଥମିକତା ରହିଆସିଛି ଓ ଏହାକୁ ଭିତ୍ତିକରି ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି ।  ବିଭିନ୍ନ କିସମର ଫସଲ ଉତ୍ପାଦନ କରାଯାଇ ଚାଷୀମାନଙ୍କୁ ଅଧିକ ଲାଭ ଦିଆଯାଇପାରିବ, ଉଦାହରଣ ସ୍ୱରୂପ ତୈଳ ବୀଜ ଅଧିକ ଉତ୍ପାଦନ କରାଯାଇପାରିଲେ ଏହାର ଉଜ୍ଵଳ ଭବିଷ୍ୟତ ରହିଛି । କାରଣ ଭାରତ ପ୍ରାୟ ୯୦ ହଜାର କୋଟି ଟଙ୍କା ଏହାର ଆମଦାନୀ ବାବଦକୁ ଖର୍ଚ୍ଚ କରିଥାଏ । ସେହିପରି ଧାନ, ଚାଉଳ, ଗହମ ଓ ଅନ୍ୟାନ୍ୟ ଶସ୍ୟରୁ ଇଥାନଲ ଉତ୍ପାଦନ ହେଲେ ଏହା ଚାଷୀମାନଙ୍କୁ ଅଧିକ ମୂଲ୍ୟ ପ୍ରଦାନ କରିବା ସହ ଦେଶର ଆମଦାନୀ ଖର୍ଚ୍ଚ ମଧ୍ୟ ରୋକାଯାଇପାରିବ । ଏହାଛଡା ଜୈବିକ ତୈଳ ମଧ୍ୟ ଅଧିକ ପରିମାଣରେ ପରିବେଶକୁ ସୁହାଇବ, ବୋଲି ସେ କହିଛନ୍ତି ।

Comments are closed.