ନିଷ୍କାମ କର୍ମଯୋଗ

0

ମହାରାଷ୍ଟ୍ରର ପ୍ରଖ୍ୟାତ ସନ୍ଥ ଥିଲେ ଏକନାଥ। ତାଙ୍କ ଜୀବନର ଏକ ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗ। ଏକଦା ସନ୍ଥ ଏକନାଥ ପୈଠନ୍‌ରେ ପହଞ୍ଚି ସେଠାର ବିଭିନ୍ନ ସ୍ଥାନ ବୁଲିବା ଭିତରେ ଏକ ଗଳି ଭିତର ଦେଇ ଯାଉଥିଲେ। ଯିବା ସମୟରେ ଦେଖିବାକୁ ପାଇଲେ ଜଣେ ନାପିତର କ୍ଷୌରଗୃହ। ନାପିତ ଜଣେ ବ୍ୟକ୍ତିଙ୍କୁ କ୍ଷୌର କରୁଥାନ୍ତି। ଧର୍ମବିଶ୍ବାସୀ ଥିବା କାରଣରୁ କ୍ଷୌର ସମୟରେ ଗ୍ରାହକଙ୍କ ସହ ଧର୍ମ ବିଷୟରେ ଆଲୋଚନାରତ ଥାଆନ୍ତି।
ସନ୍ଥ ଏକନାଥ ନାପିତ ନିକଟରେ ପହଞ୍ଚି ନମ୍ର ଭାବରେ କହିଥିଲେ- ଭାଇ! ଭଗବାନଙ୍କ ନିମନ୍ତେ ମୋର ବି ବାଳକାଟି ଦିଅନ୍ତୁ ତ!
ଅଧ୍ୟାତ୍ମବାଦୀ ନାପିତ ସନ୍ଥଙ୍କଠାରୁ ଭଗବାନଙ୍କ ନାମ ଶୁଣିବାମାତ୍ରେ ଏତେ ଉତ୍ସାହିତ ହୋଇ ପଡ଼ିଥିଲେ ଯେ କ୍ଷୌର କରୁଥିବା ବ୍ୟକ୍ତିଙ୍କୁ କହିଥିଲେ- ଭାଇ! କିଛି ଭୁଲ ବୁଝିବେ ନାହିଁ। ଆପଣ କିଛି ସମୟ ଅପେକ୍ଷା କରନ୍ତୁ। ମୁଁ କିଛିକ୍ଷଣ ପରେ ଆପଣଙ୍କୁ କ୍ଷୌର କରିବି।
ଅଧାକ୍ଷୌର ହୋଇଥିବା ଗ୍ରାହକ ଜଣକ ଏହା କିଛି ଅର୍ଥ ବୁଝି ନପାରି ଆଶ୍ଚର୍ଯ୍ୟହୋଇ ନାପିତକୁ ପଚାରିଥିଲେ- କାହିଁକି? ନାପିତ ତାଙ୍କୁ କହିଥିଲେ- ଭଗବାନଙ୍କ ଖାତିରରେ ତାଙ୍କର କାର୍ଯ୍ୟ ପ୍ରଥମେ ହେବା ଉଚିତ। ଆଉ ଏହି ସନ୍ଥଙ୍କ ସେବା ମୋତେ ପ୍ରଥମେ ହିଁ କରିବାକୁ ହେବ। ତାଙ୍କ ସେବା ତ ସାକ୍ଷାତ ଭଗବାନଙ୍କ ସେବାସହ ସମାନ।
ଗ୍ରାହକଜଣକ କଥାର ଗୁରୁତ୍ବ ବୁଝିପାରି ଚୁପ୍‌ ରହିଥିଲେ ଓ ଆସନରୁ ଉଠି ଯାଇଥିଲେ।
ବଡ଼ ପ୍ରେମ ଭାବରେ ନାପିତ ସନ୍ଥ ଏକନାଥଙ୍କୁ କ୍ଷୌର କରିଥିଲେ‌। କ୍ଷୌର କାର୍ଯ୍ୟ ଶେଷ ହୋଇଥିଲା। ସନ୍ଥ ଏକନାଥ ନାପିତଙ୍କୁ ପାରିଶ୍ରମିକ ବାବଦରେ କିଛି ଅର୍ଥ ଯାଚିଥିଲେ।
ସନ୍ଥ ପଇସା ଯାଚିବା ଦେଖି ନାପିତ ବଡ଼ ବିଚିତ୍ର ଦୃଷ୍ଟିରେ ତାଙ୍କ ମୁହଁକୁ ଚାହିଁଥିଲେ। ସନ୍ଥ ଏକନାଥ ଏହାର କାରଣ ବୁଝି ନପାରି ପଚାରିଥିଲେ, ଭାଇ! କିଛି ଭୁଲ ହୋଇଗଲା କି?
ନାପିତଙ୍କ ଉତ୍ତର ଥିଲା- ମହାରାଜ! ଆପଣ ଏ କ’ଣ କରିବାକୁ ଯାଉଛନ୍ତି? ଆପଣ ତ ଭଗବାନଙ୍କ ଖାତିରରେ ବାଳ କାଟିବା ନିମନ୍ତେ ମୋତେ ଆରମ୍ଭରୁ କହିଥିଲେ। ଭଗବାନଙ୍କ ଖାତିରରେ ମୁଁ ଏହି କାର୍ଯ୍ୟ ସଂପାଦନ କରିଛି। ତାଙ୍କୁ ଗୁରୁତ୍ବ ଦେଇ, ପଇସା ଖାତିରରେ ନୁହେଁ। ତଥାପି ଆପଣ ପଇସା ଯାଚୁଛନ୍ତି ଯେ?
ନାପିତର ଏଭଳି ବ୍ୟାପକ ଅର୍ଥବୋଧକ କଥା ଶୁଣି ଏକନାଥ ସ୍ତମ୍ଭୀଭୂତ ହୋଇଯାଇଥିଲେ। ବୁଝି ପାରିଥିଲେ ନିଷ୍କାମ କର୍ମଯୋଗର ମହତ୍ତ୍ବ। ଏହା ପରଠାରୁ ସାରାଜୀବନ ଅଧିକାଂଶ ସତ୍‌ସଙ୍ଗରେ ସେ ବିନାଦ୍ବିଧାରେ ନାପିତ ପ୍ରସଙ୍ଗର ଅବତାରଣା କରି କହୁଥିଲେ- ନିଷ୍କାମ କର୍ମ ଯୋଗର ମହତ୍ତ୍ବ ସମ୍ପର୍କରେ ମୁଁ ସେହି ନାପିତଙ୍କଠାରୁ ହିଁ ଶିକ୍ଷାଲାଭ କରିଥିଲି।

Leave A Reply