ଦୋଷୀଙ୍କୁ ଖୁବ୍‍ଶୀଘ୍ର ଫାଶୀ ଦିଆଯାଉ: ନିର୍ଭୟାଙ୍କ ମା’

0

ନୂଆଦିଲ୍ଲୀ : ‘ନିର୍ଭୟା ମାମଲାର ଦୋଷୀଙ୍କୁ ଫାଶୀ ଦେବାରେ ବିଳମ୍ବ ହେଉଛି। ଏହାଦ୍ୱାରା ସମାଜରେ ଅନ୍ୟ ଝିଅ ବୋହୁମାନଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି। ଏଣୁ ବିଚାର ବ୍ୟବସ୍ଥା କଡାକଡ଼ି କରି ଯଥାଶୀଘ୍ର ନିର୍ଭୟାକୁ ନ୍ୟାୟ ପ୍ରଦାନ କରାଯାଉ। ସମ୍ଭବତଃ ଏହାଦ୍ୱାରା ଅନ୍ୟ ଯୁବତୀ ଏବଂ ମହିଳାମାନେ କିଛି ପରିମାଣରେ ସୁରକ୍ଷିତ ହୋଇପାରିବେ।’ ନିର୍ଭୟା ଗଣବଳାତ୍କାର ଏବଂ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶକୁ ସୁପ୍ରିମକୋର୍ଟ କାଏମ ରଖିବା ପରେ ପୀଡ଼ିତାଙ୍କ ମା’ ଏହା କହିଛନ୍ତି। ଦୋଷୀମାନେ ନାବାଳକ ନୁହନ୍ତି। ଏହାସତ୍ତ୍ବେ ସେମାନେ ଏଭଳି ବର୍ବରୋଚିତ ଅପରାଧ ଘଟାଇବାକୁ ପଛାଇ ନାହାନ୍ତି। ସୁପ୍ରିମକୋର୍ଟ ଦୋଷୀଙ୍କ ଫାଶୀ ଦଣ୍ଡାଦେଶ ପୁନର୍ବିଚାର ଆବେଦନ ଖାରଜ କରିବା ଦ୍ୱାରା ବିଚାର ବ୍ୟବସ୍ଥା ଉପରେ ତାଙ୍କ ଆସ୍ଥା ଦୃଢୀଭୂତ ହୋଇଛି। ଏବେ ଦୋଷୀଙ୍କୁ ଫାଶୀ ହେବ ଏବଂ ନିର୍ଭୟାକୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଅନ୍ୟପଟେ ନିର୍ଭୟାଙ୍କ ପିତା ମଧ୍ୟ ଦୋଷୀଙ୍କୁ ଯଥାଶୀଘ୍ର ଫାଶୀ ଦେବାକୁ ଦାବି କରିଛନ୍ତି। ସେ କହିଛନ୍ତି, ଦୋଷୀଙ୍କ ସମୀକ୍ଷା ଆବେଦନ ଖାରଜ ହେବ ବୋଲି ସେମାନଙ୍କର ଦୃଢ ବିଶ୍ୱାସ ଥିଲା; ମାତ୍ର ଏହା ପରେ କ’ଣ ହେବ? ସମ୍ପ୍ରତି ଏଭଳି ଅପରାଧ ଘଟଣା ବୃଦ୍ଧି ପାଇଥିବା ବେଳେ ମହିଳାଙ୍କ ପ୍ରତି ବିପଦ ବଢିଛି। ଏଣୁ ଏହି ଅପରାଧୀଙ୍କୁ ଶୀଘ୍ର ଫାଶୀ ଦିଆଯିବା ଉଚିତ। ସେହିଭଳି ଦୋଷୀଙ୍କୁ ଫାଶୀ ଦେବାର ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ନିର୍ଭୟାଙ୍କ ପରିବାରର ଓକିଲ ରୋହନ ମହାଜନ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।

Leave A Reply