ଆଜି ନିର୍ଭୟା ଦୋଷୀଙ୍କ ଶେଷ ରାତି ! ଫାଶୀ ଉପରେ ସ୍ଥଗିତାଦେଶ ଦେବାକୁ ମନା କଲେ ପଟିୟାଲା କୋର୍ଟ

ନୂଆଦିଲ୍ଲୀ: ନିର୍ଭୟା ମାମଲାର ୪ ଦୋଷୀଙ୍କ ଫାଶୀ ଉପରେ ରହିତାଦେଶ ଜାରି କରିବା ଲାଗି ହୋଇଥିବା ଏକ ଆବେଦନକୁ ପଟିୟାଲା ହାଉସ କୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ଫାଶୀକୁ ଆଉ କିଛିଦିନ ଘୁଞ୍ଚାଇଦେବା ଲାଗି ଏହି ଆବେଦନ କରାଯାଇଥିଲା। କିନ୍ତୁ କୋର୍ଟ ଏହାକୁ ଖାରଜ କରିଦେବା ପରେ ପୂର୍ବରୁ ଧାର୍ଯ୍ୟ ସମୟ ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ତିହାର ଜେଲରେ ଦୋଷୀମାନଙ୍କୁ ଫାଶୀ ଦିଆଯିବା ନେଇ ଏକପ୍ରକାର ସ୍ପଷ୍ଟ ହୋଇଛି। କିନ୍ତୁ ଅକ୍ଷୟ ଏବଂ ପୱନ ରାଜକ୍ଷମା ଆବେଦନ କରିଥିବାରୁ ଫାଶୀକୁ ନେଇ କିଛିଟା ଅନିଶ୍ଚିତତା ମଧ୍ୟ ରହିଛି।

ଫାଶୀ ବିଳମ୍ବିତ କରିବା ଲାଗି ଦୋଷୀ ପୱନ ଗୁପ୍ତା ପକ୍ଷରୁ ପିଟିଶନ ଦାଖଲ କରାଯାଇଥିଲା। ସୋମବାର ସୁପ୍ରିମକୋର୍ଟରେ ମଧ୍ୟ ପୱନର କ୍ୟୁରେଟିଭ୍‌ ପିଟିଶନ ଉପରେ ଶୁଣାଣି ହୋଇଥିଲା, ଯାହାକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଦେଇଛନ୍ତି। ଏହା ପରେ ପଟିୟାଲା ହାଉସ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ସେପଟେ ପଟିୟାଲା ହାଉସ କୋର୍ଟଙ୍କ ଏହି ରାୟ ପରେ ତିହାର ଜେଲରେ ଫାଶୀ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି।

ଅନ୍ୟପଟେ ଦୋଷୀଙ୍କ ଓକିଲ ଏ.ପି. ସିଂହ ପଟିୟାଲା ହାଉସ କୋର୍ଟଙ୍କ ରାୟ ବୈଧ ନୁହେଁ ବୋଲି କହିଛନ୍ତି। ଯେହେତୁ ପୱନ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଛି ଏବଂ ତାହା ବିଚାରାଧୀନ ରହିଛି, ତେଣୁ ଦୋଷୀମାନଙ୍କୁ ଫାଶୀ ଦିଆଯାଇ ପାରିବ ନାହିଁ। ଯେପର୍ଯ୍ୟନ୍ତ ରାଷ୍ଟ୍ରପତି ପୱନର ରାଜକ୍ଷମା ଆବେଦନ ଖାରଜ କରିନାହାନ୍ତି, ସେପର୍ଯ୍ୟନ୍ତ କାହାରିକୁ ଫାଶୀ ଦିଆଯାଇପାରିବ ନାହିଁ।

Comments are closed.