ଗିିଳିଦେଲେ ନିର୍ମାଣ ଶ୍ରମିକଙ୍କ ୯ କୋଟି ଟଙ୍କା; ତଦନ୍ତ ଲାଗି ଲୋକାୟୁକ୍ତଙ୍କ ସୁପାରିସ

୩ ମାସରେ ଭିତରେ ତଦନ୍ତ ସାରିବାକୁ ନିର୍ଦ୍ଦେଶ

ରାଉରକେଲା: ନିର୍ମାଣ ଶ୍ରମିକଙ୍କ ନାଁରେ ୯ କୋଟି ଟଙ୍କା ହେରାଫେରି ଅଭିଯୋଗ ଏବେ ଭିନ୍ନ ମୋଡ଼ ନେଇଛି। ମାମଲା ଲୋକାୟୁକ୍ତରୁ ଭିଜିଲାନ୍ସକୁ ଯାଇଛି। ତିନି ମାସ ଭିତରେ ଭିଜିଲାନ୍ସ ତଦନ୍ତ କରି ଏହାର ରିପୋର୍ଟ ଦେବାକୁ ଲୋକାୟୁକ୍ତ ନିର୍ଦ୍ଦେଶ  ଦେଇଛନ୍ତି । କଂଗ୍ରେସ ନେତା ରଶ୍ମୀରଞ୍ଜନ ପାଢ଼ୀ ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଅଭିଯୋଗ ଅନୁସାରେ  ରାଉରକେଲା ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୁନ୍ଦରଗଡ଼ ଜିଲାରେ ନିର୍ମାଣ ଶ୍ରମିକଙ୍କମାନଙ୍କୁ ଯୋଗାଇ ଦିଆ ଯାଇଥିବା ସାଇକେଲ ତଥା ନିର୍ମାଣ ସରଞ୍ଜାମ ଯନ୍ତ୍ରପାତି ତଥା ନିରାପତ୍ତା ଉପକରଣ ବଣ୍ଟନରେ ୯ କୋଟି ଟଙ୍କା ହେରଫେର ହୋଇଥିଲା ବୋଲି ଅଭିଯୋଗ ହୋଇଥିଲା। ଯୁଗ୍ମ ଶ୍ରମ କମିଶନରଙ୍କ ସୂଚନା ଅନୁସାରେ ୧୦/୦୭/୨୦୧୯ ପର୍ଯ୍ୟନ୍ତ ସୁନ୍ଦରଗଡ଼ ଜିଲାରେ ୨୧ ହଜାର ୬୮୧ ଜଣ ଶ୍ରମିକଙ୍କୁ ସାଇକେଲ ବଣ୍ଟନ କରାଯାଇଥିଲା। ମାତ୍ର ପୁଣି ଯୁଗ୍ମ କମିଶନରଙ୍କ ପତ୍ରସଂଖ୍ୟା ୩୯୨୪ ତା ୧୫/୧୧/୨୦୧୯ ସୂଚନା ଅନୁସାରେ ଶ୍ରମ ବିଭାଗ ତରଫରୁ ୯ଟି ଶ୍ରମିକ ସହାୟତା ଶିବିର କରାଯାଇ ୨୯୭୪ ଜଣ ଶ୍ରମିକଙ୍କୁ ସାଇକେଲ ବଣ୍ଟନ କରାଯାଇଛି ବୋଲି କୁହାଯାଇଥିଲା। ପ୍ରତ୍ୟେକ ସାଇକେଲ ବାବଦକୁ ୩୯୭୦ ଟଙ୍କା ଖର୍ଚ୍ଚ କରାଯାଇଛି। ଦୁଇ ଜଣ ଭେଣ୍ଡର ବେଦିକା ଭେଞ୍ଚର୍ସ ପ୍ରାଇଭେଟ ଲିମିଟେଡ ଓ ମା ପଦ୍ମାସନୀ ଏଣ୍ଟରପ୍ରାଇଜେସ୍‍ ମାଧ୍ୟମରେ ସାଇକେଲ ଖରିଦ କରି ବିତରଣ କରାଯାଇଥିବା ସୂଚନା ମିଳିଥିଲା। ତେବେ ଶ୍ରମ କାର୍ଯ୍ୟାଳୟର ଦୁଇଟି ପୃଥକ୍‍ ପୃଥକ୍‍ ସୂଚନାରୁ ଦୁର୍ନୀତିର ଗନ୍ଧ ବାରି ହୋଇ ଯାଇଥିଲା। ଗୋଟେ କି ଦୁଇଟି ସାଇକେଲ ହେରାଫେରି ନୁହେଁ ୧୮ ହଜାର ୭୩୪ଟି ସାଇକେଲ ହେରାଫେରିର ସୂଚନା ମିଳିଥିଲା। ଏ ବାବଦରେ ୭ କୋଟି ୫୮ ଲକ୍ଷ ୪୭ ହଜାର ସରକାରୀ ଅର୍ଥ ଶ୍ରମ ବିଭାଗ ଅଧିକାରୀମାନେ ହଡ଼ପ କରିଥିବା ଶ୍ରୀ ପାଢ଼ୀ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ସେହିପରି ଜିଲାରେ ୬୨୨୨ ଜଣ ନିର୍ମାଣ ଶ୍ରମିକଙ୍କୁ ନିରାପତ୍ତା ସରଞ୍ଜାମ ଓ ଯନ୍ତ୍ରପାତି ବଣ୍ଟନ କରାଯାଇଥିଲା ବୋଲି ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ୧୦/୦୭/୨୦୧୯ରେ ସୂଚନା ଦେଇଥିଲା। କିନ୍ତୁ ୧୫/୧୧/୨୦୧୯ରେ ଅନ୍ୟ ଏକ ସୂଚନା ଅନୁସାରେ ବିଭିନ୍ନ ୧୦ଟି ଶ୍ରମିକ ସହାୟତା ଶିବିର ଆୟୋଜନ କରାଯାଇ ୪୬୦୭ ଜଣ ନିର୍ମାଣ ଶ୍ରମିକଙ୍କୁ ଶ୍ରମିକ ସରଞ୍ଜାମ ଯନ୍ତ୍ରପାତି ତଥା ନିରାପତ୍ତା ଉପକରଣ ବଣ୍ଟନ କରାଯାଇଛି ଏବଂ ପ୍ରତ୍ୟେକ କିଟ୍‍ବ୍ୟାଗ ବାବଦକୁ ୩୮୯୦ ଟଙ୍କା କରି ଯୋଗାଣକାରୀ ସଂସ୍ଥା (ଭେଣ୍ଡର) ଯଥା ଭେଡିକା ଭେଞ୍ଚର ପ୍ରା.ଲିଃ ଓ ମା’ ପଦ୍ମାସିନି ଏଣ୍ଟରପ୍ରାଇଜେସ୍‍ ମାଧ୍ୟମରେ ଏହି କିଟ୍‍ ବ୍ୟାଗ୍‍ ଯୋଗାଇ ଦିଆଯାଇଥିବା ସୂଚନା ପ୍ରଦାନ କରାଯାଇଥିଲା। ଉଭୟ ସୂଚନାକୁ ଅନୁଧ୍ୟାନ କଲେ ୧୬୧୫ଟି କିଟ୍‍ ବ୍ୟାଗର ଫରକ ସିଧାସଳଖ ଜଣାପଡୁଛି। ଏହାର ଅର୍ଥ ସିଧାସଳଖ ଭାବେ୧୬୧୫ଟି କିଟ୍‍ ବ୍ୟାଗ ବାବଦକୁ ପ୍ରାୟ ୬୪ ଲକ୍ଷ ୨୭ ହଜାର ୭୦୦ ଟଙ୍କା ବିଭାଗୀୟ ଅଧିକାରୀମାନେ ହରିଲୁଟ୍‍ କରିଛନ୍ତି। ଠିକ୍‍ ସେହିପରି ନିର୍ମାଣ ଶ୍ରମିକଙ୍କୁ ଯେଉଁ ଯନ୍ତ୍ରପାତି ଓ ନିରାପତ୍ତା ଉପକରଣ ଯୋଗାଇ ଦିଆଯାଇଛି ତା ଦୁଇଟି ଯୋଗାଣ ସଂସ୍ଥା (ଭେଣ୍ଡର) ମାଧ୍ୟମରେ ୩୮୯୦ ଟଙ୍କାରେ କିଣାଯାଇଛି ବୋଲି ସୂଚନା ଦିଆଯାଇଥିବା ବେଳେ ପ୍ରକୃତରେ ଏହି ଯନ୍ତ୍ରପାତି ଓ ନିରାପତ୍ତା ଉପକରଣ ଯାହା ଶ୍ରମିକଙ୍କୁ ପ୍ରଦାନ କରାଯାଇଛି ତାର ବଜାର ମୂଲ୍ୟ ୨ ହଜାର ଟଙ୍କାରୁ ଅଥିକ ହେବନାହିଁ। ତେଣୁ ଯେଉଁ ୪୬୦୭ ଜଣ ନିର୍ମାଣ ଶ୍ରମିକଙ୍କୁ ଏହି ଉପକରଣ ପ୍ରଦାନ କରାଯାଇଛି। ପ୍ରତ୍ୟେକ କିଟ୍‍ ବ୍ୟାଗ ମାଧ୍ୟମରେ ପ୍ରାୟ ୨ ହଜାର ଟଙ୍କା କରି ମୋଟ୍‍ ୮୭ ଲକ୍ଷ ୫୩ ହଜାର ୩୦୦ ଟଙ୍କା ରାଉରକେଲା ଶ୍ରମ ବିଭାଗ ଅଧିକାରୀ ଓ ଯୋଗାଣକାରୀ ସଂସ୍ଥା ମିଳିମିଶି ଲୁଟ୍‍ କରିଥିବା ସ୍ପଷ୍ଟ ହୋଇଛି। ଅନୁରୂପ ଭାବେ ଜଏଣ୍ଟ ଲେବର କମିଶନର ରାଉରକେଲାଙ୍କ ପତ୍ର ସଂଖ୍ୟା ୨୨୯୧, ତା-୧୦.୭.୨୦୧୯ ଅନୁଯାୟୀ ୭୦୭୮୮ ଜଣ ଶ୍ରମିକଙ୍କୁ ସାଇକେଲ୍‍ ଓ ସରଞ୍ଜାମ ବାବଦରେ ସିଧାସଳଖ ୨୮ କୋଟି ୨୪ ଲକ୍ଷ ୮୦ ହଜାର ୧୩୧ ଟଙ୍କା ପ୍ରଦାନ କରାଯାଇଛି ବୋଲି ସୂଚନା ଦିଆଯାଇଛି। ମାତ୍ର ସରଗକାରଙ୍କ ତରଫରୁ ନିର୍ମାଣ ଶ୍ରମିକ ଚିହ୍ନଟ ପାଇଁ ଯେଉଁ ନୀତି ନିୟମ କରାଯାଇଥିଲା ତାକୁ ଖୋଲାଖୋଲି ଉଲ୍ଲଂଖନ କରି ପ୍ରାୟ ୫୦ ଭାଗ ଜାଲ୍‍ ନିର୍ମାଣ ଶ୍ରମିକ କାର୍ଡ ପଞ୍ଜିକୃତ କରି ଏହି ଟଙ୍କା ମଧ୍ୟ ହଡପ କରାଯାଇଛି। କେବଳ ସେତିକି ନୁହେଁ ଶ୍ରମିକଙ୍କୁ ପଞ୍ଜିକୃତ କରିବା ପାଇଁ ଓ ଶ୍ରମିକମାନଙ୍କୁ ସାଇକେଲ୍‍ ଓ ସରଞ୍ଜାମ ଟଙ୍କା ପ୍ରଦାନ ପାଇଁ ସେମାନଙ୍କ ଠାରୁ ଅଗ୍ରୀମ ୧୫୦୦ରୁ ୨୦୦୦ ଟଙ୍କା ନିଆଯାଇଥିବା କଥା ଜୋରଦାର ଭାବେ ପ୍ରଚାର ଚାଲିଛି। ଏହି ୭୦୭୮୮ ଶ୍ରମିକଙ୍କୁ ସାଇକେଲ୍‍ ଓ ସରଞ୍ଜାମ ବାବଦକୁ ରାଉରକେଲା ଶ୍ରମ ବିଭାଗ ତରଫରୁ ଯେଉଁ ଟଙ୍କା ପ୍ରଦାନ କରାଯାଇଛି ସେଥିରେ ସରକାରଙ୍କ ବ୍ୟାପକ ଅର୍ଥ ହରିଲୁଟ୍‍ ହୋଇଛି ବୋଲି ଶ୍ରୀ ପାଢ଼ୀ ଗତ ୫/୧୨/୨୦୧୯ରେ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ। ଲୋକାୟୁକ୍ତ ମାମଲାକୁ ବିଚାର ପାଇଁ ଗ୍ରହଣ କରିଥିଲେ। ଲୋକାୟୁକ୍ତ ଶ୍ରମିକ କମିଶନର ଓ ରାଉରକେଲା ଯୁଗ୍ମ ଶ୍ରମ କମିଶନଙ୍କୁ ପକ୍ଷଭୁକ୍ତ କରି ନୋଟିସ ଜାରି କରିଥିଲେ। ଗତ ୧୩/୦୨/୨୦ରେ ରାଉରକେଲା ଯୁଗ୍ମ ଶ୍ରମ କମିଶନର ଲୋକାୟୁକ୍ତଙ୍କୁ ରିପୋର୍ଟ କରି ଅଭିଯୋଗକୁ ଖଣ୍ଡନ କରିଥିଲେ। ମାତ୍ର ଲୋକାୟୁକ୍ତ ଏଥିରେ ସନ୍ତୁଷ୍ଟ ହୋଇ ନଥିଲେ। ରିପୋର୍ଟରେ କିଛି ବିଭ୍ରାନ୍ତିକର ତଥା ଥିବା ଅନୁଭବ କରିଥିଲେ। ଅଭିଯୋଗକାରୀ ଶ୍ରୀ ପାଢ଼ୀ କୋର୍ଟରେ କଡ଼ା ବିରୋଧ କରିଥିଲେ। ତେଣୁ ଏପରିସ୍ଥିତିରେ ଲୋକାୟୁକ୍ତ କୌଣସି ରାୟ ଦେଇ ପାରିନଥିଲେ। ସମଗ୍ର ଘଟଣାର ଭିଜିଲାନ୍ସ ତଦନ୍ତ କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଜାରି କରିଛନ୍ତି। ବିଶେଷ କରି ନିର୍ମାଣ ଶ୍ରମିକ ସହାୟତାରେ ହେରାଫେରି ହୋଇଛି କି ? ଯଦି ହୋଇଛି ଏଥିରେ ଯୁଗ୍ମ ଶ୍ରମ କମିଶନରଙ୍କ ଭୂମିକା କ’ଣ ? ବିଭାଗୀୟ ଅଧିକାରୀ ଓ ଭେଣ୍ଡରଙ୍କ ମଧ୍ୟରେ କି ପ୍ରକାର ସମ୍ବନ୍ଧ ରହିଛି ? ଶ୍ରମିକ ପଞ୍ଜିକରଣରେ ଜାଲିଆତି ହୋଇଛି କି? ଏଥିରେ ଅଧିକାରୀଙ୍କ ଭୂମିକା କ’ଣ ରହିଛି ? ଏସବୁ ଘଟଣା ପାଇଁ କେଉଁ ଅଧିକାରୀମାନେ ଦାୟୀ ? ପ୍ରଭୃତି ଦିଗରେ ତଦନ୍ତ କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଲୋକାୟୁକ୍ତଙ୍କ ଏହି ନିର୍ଦ୍ଦେଶକୁ ଶ୍ରୀ ପାଢ଼ୀ ସ୍ୱାଗତ କରିଛନ୍ତିି। ସତ୍ୟର ନିଶ୍ଚିତ ଜୟ ହେବ ବୋଲି ସେ କହିଛନ୍ତି। ଶ୍ରମ କାର୍ଯ୍ୟାଳୟରେ ଚାଲିଥିବା ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତଥିବା ରାଉରକେଲା ଶ୍ରମ ବିଭାଗ ଅଧିକାରୀ ଓ ଭେଣ୍ଡରଙ୍କ ମୁଖା ଖୋଲିଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

Comments are closed.