ସୁଧୁରିବ ଅର୍ଥନୀତି, ଅର୍ଥମନ୍ତ୍ରୀ ଘୋଷଣା କଲେ ୬ଲକ୍ଷ ୨୮ହଜାର ୯୯୩ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‍

କରୋନା ମହାମାରୀ ସମୟରେ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ୬ଲକ୍ଷ ୨୮ହଜାର ୯୯୩ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‍ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୮ଟି ଅର୍ଥନୈତିକ ରିଲିଫ୍‍ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିମଧ୍ୟରୁ ୪ଟି ଯୋଜନା କେବଳ ସ୍ୱାସ୍ଥ୍ୟ କ୍ଷେତ୍ର ସହିତ ସମ୍ପର୍କିତ। କୋଭିଡ୍‍ ମହାମାରୀ ପାଇଁ ୩ଲକ୍ଷ ୭୬ହଜାର ୨୪୪ କୋଟି, ଜନସ୍ୱାସ୍ଥ୍ୟ ପାଇଁ ୧୫ହଜାର କୋଟି, ଅଭିବୃଦ୍ଧି ଏବଂ ରୋଜଗାର ପାଇଁ ୨ଲକ୍ଷ ୩୭ହଜାର ୭୪୯ କୋଟି ଟଙ୍କା ଘୋଷଣା କରାଯାଇଛି। ନୂଆଦିଲ୍ଲୀରେ ସମ୍ବାଦଦାତାମାନଙ୍କୁ ଏ ବିଷୟରେ ସୂଚନା ଦେଇ ଅର୍ଥମନ୍ତ୍ରୀ କହିଛନ୍ତି, କୋଭିଡ୍‍ ଦ୍ୱାରା ପ୍ରଭାବିତ କ୍ଷେତ୍ର ଗୁଡ଼ିକୁ ସହାୟତା ଯୋଗାଇଦେବା ପାଇଁ ୧ଦଶମିକ ୧ଲକ୍ଷ କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି ଯୋଜନାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୫୦ହଜାର କୋଟି ଟଙ୍କା କେବଳ ସ୍ୱାସ୍ଥ୍ୟ କ୍ଷେତ୍ର ସହିତ ସମ୍ପର୍କୀତ। ଏହି ଯୋଜନାରେ ଅଣସଂରକ୍ଷିତ ଅଞ୍ଚଳଗୁଡ଼ିକରେ ମେଡିକାଲ୍‍ ଭିତ୍ତିଭୂମିର ବିକାଶ ନିମନ୍ତେ ଏହି ଅର୍ଥ ଖର୍ଚ୍ଚ କରାଯିବ। ଶ୍ରୀମତୀ ସୀତାରମଣ କହିଛନ୍ତି, ଏହି ଗ୍ୟାରେଣ୍ଟି ଯୋଜନା ନୂଆ ପ୍ରକଳ୍ପ ଏବଂ ସମ୍ପ୍ରସାରିତ ପ୍ରକଳ୍ପ ଦିଗରେ ଖର୍ଚ୍ଚ କରାଯିବ। ଏହାର ୫୦ ପ୍ରତିଶତ ଅର୍ଥ ସମ୍ପ୍ରସାରଣ ଏବଂ ୭୫ ପ୍ରତିଶତ ନୂଆ ପ୍ରକଳ୍ପ ପାଇଁ ଖର୍ଚ୍ଚ କରାଯିବ। ଏଥିରେ ଆକାଂକ୍ଷିକ ଜିଲ୍ଲା ଗୁଡ଼ିକରେ ମେଡିକାଲ୍‍ ଭିତ୍ତିଭୂମିର ବିକାଶ ଦିଗରେ ଅଧିକ ଲକ୍ଷ୍ୟ ଦିଆଯାଇଛି।

ଅର୍ଥମନ୍ତ୍ରୀ କହିଛନ୍ତି, ୧ଦଶମିକ୍‍ ୫ ଲକ୍ଷ କୋଟି ଟଙ୍କା ଆତ୍ମନିର୍ଭର ଭାରତ ଯୋଜନାରେ ସାମିଲ କରାଯାଇଛି, ଯାହା ଗତବର୍ଷ ମେ ମାସରେ ଘୋଷଣା କରାଯାଇଥିଲା। ଏଥିରେ ଜରୁରୀକାଳୀନ କ୍ରେଡିଟ୍‍ ଲାଇନ୍‍ ଗ୍ୟାରିଣ୍ଟି ସ୍କିମ୍‍ରେ ୧୨ଟି ସରକାରୀ ବ୍ୟାଙ୍କ୍‍, ୨୫ଟି ଘରୋଇ ବ୍ୟାଙ୍କ୍‍ ଏବଂ ୩୧ଟି ଅଣ ବ୍ୟାଙ୍କିଙ୍ଗ୍‍ ପ୍ରତିଷ୍ଠାନ, ୨ଦଶମିକ୍‍ ୬/୯ଲକ୍ଷ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ସେ କହିଛନ୍ତି, ଏହି ଯୋଜନାରେ ପୂର୍ବରୁ ରହିଥିବା ଆର୍ଥିକ ସୀମାକୁ ୩ଲକ୍ଷ କୋଟିରୁ ୪ଦଶମିପ୍‍ ୫ ଲକ୍ଷ କୋଟିକୁ ବୃଦ୍ଧି କରାଯାଇଛି।

ଅନ୍ୟ ଏକ ଘୋଷଣା ଅନୁଯାୟୀ ଶ୍ରୀମତୀ ସୀତାରମଣ ଅଣୁ ଆର୍ଥିକ ପ୍ରତିଷ୍ଠାନ ଦ୍ୱାରା ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେବାକୁ ନୂଆ ଯୋଜନାରେ ବ୍ୟବସ୍ଥା କରିଛନ୍ତି। ଏହା ଫଳରେ ବାଣିଜ୍ୟିକ ବ୍ୟାଙ୍କ୍‍ ଗୁଡ଼ିକ ନୂଆ ଏବଂ ସମ୍ପ୍ରସାରିତ ହେବାକୁ ଥିବା ବ୍ୟବସାୟଗୁଡ଼ିକୁ ଋଣ ଯୋଗାଇଦେବା ସହିତ କ୍ଷୁଦ୍ର ଋଣ ଗ୍ରହିତାଙ୍କୁ ମଧ୍ୟ ଋଣ ଯୋଗାଇଦେବେ। ସେହିଭଳି ଅର୍ଥମନ୍ତ୍ରୀ ୧୧ହଜାର ପଞ୍ଜିକୃତ ପର୍ଯ୍ୟଟକ ସହାୟକ ଏବଂ ପର୍ଯ୍ୟଟନ ବ୍ୟବସାୟରେ ଲିପ୍ତ ସଂସ୍ଥାଗୁଡ଼ିକୁ ସହାୟତା ବିଷୟ ଘୋଷଣା କରିଛନ୍ତି। ଏଥିରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶତପ୍ରତିଶତ ଋଣ ଯୋଗାଇ ଦେବାକୁ ବ୍ୟବସ୍ଥା ଥିବା ବେଳେ ପର୍ଯ୍ୟଟକ ସହାୟକମାନଙ୍କୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ।

ଅନ୍ୟ ପକ୍ଷରେ ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ୫ଲକ୍ଷ ପର୍ଯ୍ୟଟକମାନଙ୍କୁ ମାଗଣା ପର୍ଯ୍ୟଟନ ଭିସା ଯୋଗାଇ ଦିଆଯିବ। ଏଥିରେ ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କିମ୍ବା ୫ଲକ୍ଷ ପୂରଣ ହେବା ପର୍ଯ୍ୟନ୍ତ ଏହି ଯୋଜନା ବଳବତ୍ତର ରହିବ। ତେବେ ଜଣେ ପର୍ଯ୍ୟଟକଙ୍କ ପାଇଁ ଏହା ଗୋଟିଏଥର ଲାଗୁ ହେବ। ଏଥିରେ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଯୋଜନା ରହିଛି।

ଅର୍ଥମନ୍ତ୍ରୀ ସୀତାରମଣ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାର ଅବଧି ଚଳିତ ବର୍ଷ ଜୁନ୍‍ ୩୦ରୁ ଆସନ୍ତା ବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କରୋନା ମହାମାରୀ କାଳରେ ଗତବର୍ଷ ଅକ୍ଟୋବର ମାସରେ ଆତ୍ମନିଯୁକ୍ତି ସୃଷ୍ଟି ବୃଦ୍ଧି କରିବା ନିମନ୍ତେ ଏହି ଯୋଜନା ଘୋଷଣା କରାଯାଇଥିଲା। ଇତିମଧ୍ୟରେ ୨୧ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ୯୦୨ କୋଟି ଟଙ୍କା ସହାୟତା ଯୋଗାଇ ଦିଆଯାଇଥିବା ବେଳେ ୭୯ହଜାର ୫୭୭ଟି ପ୍ରତିଷ୍ଠାନକୁ ଲାଭମିଳିଥିବା ଅର୍ଥମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ସାର ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକୁ ପୂର୍ବରୁ ୧୪ହଜାର ୭୭୫ କୋଟି ଟଙ୍କା ସବ୍‍ସିଡି ଦିଆଯାଇଥିବା ବେଳେ ଆଜିର ଘୋଷଣା ଅନୁଯାୟୀ ଅଧିକ ୯ହଜାର ୧୨୫ କୋଟି ଟଙ୍କା ସବ୍‍ସିଡି ପ୍ରଦାନ କରାଯାଇଛି।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି ବୃଦ୍ଧି କରାଯାଇଛି। ଏହି ବିଷୟ ଘୋଷଣା କରି ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି, ଚଳିତବର୍ଷ ମେ ମାସରୁ ନଭେମ୍ବର ପର୍ଯ୍ୟନ୍ତ ସମସ୍ତ ହିତାଧିକାରୀଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୫କିଲୋଗ୍ରାମ୍‍ ଲେଖାଏଁ ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ। ଏଥିପାଇଁ ୯୩ହଜାର ୮୬୯ କୋଟି ଟଙ୍କା ବ୍ୟବୟ ବରାଦ କରାଯାଇଛି।

Comments are closed.