ଅର୍ଥନୈତିକ ମନ୍ଥରତା ଦୂର ପାଇଁ ସମ୍ମିଳିତ ଉଦ୍ୟମ ଜରୁରୀ – ସୀତାରମଣ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୈତିକ ମନ୍ଥରତା ଯୋଗୁଁ ଉପୁଜିଥିବା ପରିସ୍ଥିତିର ମୁକାବିଲା ପାଇଁ ସମ୍ମିଳିତ ଉଦ୍ୟମ ସକାଶେ ଆହ୍ୱାନ ଦେଇଛନ୍ତି। ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲାଗି ବହୁ ରାଷ୍ଟ୍ରୀୟବାଦ ଆଭିମୁଖ୍ୟକୁ ଉଜାଗର କରିବା ପାଇଁ ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ବାଣିଜ୍ୟ ପ୍ରତିବନ୍ଧକ, ଭୌଗୋଳିକ-ରାଜନୈତିକ ଅନିଶ୍ଚିତତା ଓ ଅଧିକ ଋଣଭାର ଭଳି ସମସ୍ୟାର ମୁକାବିଲା ପାଇଁ ଆନ୍ତର୍ଜାତିକ ସ୍ତରରେ ଅଧିକ ସମନ୍ୱୟର ଆବଶ୍ୟକତା ରହିଛି। ଏହି ଅର୍ଥନୈତିକ ମନ୍ଥରତା ଏକ ସଂକଟର ରୂପ ନେବା ପୂର୍ବରୁ ଏଭଳି ପଦକ୍ଷେପ ନେବାକୁ ସେ ଆହ୍ୱାନ ଦେଇଛନ୍ତି।

ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଓ ବିଶ୍ୱବ୍ୟାଙ୍କର ମନ୍ତ୍ରୀ ସ୍ତରୀୟ କମିଟି ବୈଠକରେ ସେ ଏହା କହିଛନ୍ତି। ଅର୍ଥମନ୍ତ୍ରୀ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଓ ବିଶ୍ୱବ୍ୟାଙ୍କର ବାର୍ଷିକ ବୈଠକରେ ଯୋଗ ଦେବାକୁ ଏବେ ୱାଶିଂଟନ୍‍ ଡିସିରେ ଅଛନ୍ତି। ସୀତାରମଣ ବାଣିଜ୍ୟ ପ୍ରତିଯୋଗିତା ଓ ଅର୍ଥନୈତିକ ସୁରକ୍ଷାବାଦ ନୀତି ବିଷୟ ଉଲ୍ଲେଖ କରି ଏହାଯୋଗୁଁ ଏକ ଅନିଶ୍ଚିତ ବାତାବରଣ ସୃଷ୍ଟି ହୋଇଛି ଓ ତାହା ପୁଞ୍ଜି, ସାମଗ୍ରୀ ଓ ସେବାର ଆଦାନପ୍ରଦାନକୁ ପ୍ରଭାବିତ କରିଛି ବୋଲି ଦର୍ଶାଇଛନ୍ତି। ଏକ ସରକାରୀ ଇସ୍ତାହାର ଅନୁସାରେ ଶ୍ରୀମତୀ ସୀତାରମଣ ଜି୨୦ ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ୍‍ ଗଭର୍ଣ୍ଣରମାନଙ୍କ ବୈଠକରେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି।

ଡିଜିଟାଲାଇଜେସନ୍‍ ଯୋଗୁଁ ଟିକସ କ୍ଷେତ୍ରରେ ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା ପାଇଁ ସହମତି ସୃଷ୍ଟି ସଂକ୍ରାନ୍ତ ଆଲୋଚନାରେ ଅର୍ଥମନ୍ତ୍ରୀ କହିଛନ୍ତି, ଏହି ସମସ୍ୟାର ସମାଧାନ ପାଇଁ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ଓ ଲାଭ ବଣ୍ଟନ ଭଳି ସମସ୍ୟା ପ୍ରତି ଅଧିକ ଆଲୋକପାତ କରାଯିବା ଉଚିତ୍‍। ସେ କହିଛନ୍ତି, ସହଜରେ କାର୍ଯ୍ୟକାରି ହୋଇପାରୁଥିବା ଓ ସହଜରେ ଏକ ସମାଧାନ ବାହାର କରାଯିବାର ଆବଶ୍ୟକତା ଦେଖାଦେଇଛି।

Comments are closed.