ଲାଇଭ ଅପଡେଟ: ଆର୍ଥିକ ପ୍ୟାକେଜର ଶେଷ କିସ୍ତି ଘୋଷଣା କରୁଛନ୍ତି ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ

ସମାଜ ପୋର୍ଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷିତ ୧.୭୦ ଲକ୍ଷ କୋଟି ପ୍ୟାକେଜ ମଧ୍ୟରୁ ୧୮ ଲକ୍ଷ ୬୬ ହଜାର କୋଟି ଘୋଷଣା କରାଯାଇଥିବା ବେଳେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ଶେଷ କିସ୍ତି ଘୋଷଣା କରୁଛନ୍ତି।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଯଦି ଜୀବନ ଅଛି, ତେବେ ବିଶ୍ୱ ଅଛି’ ଉପରେ ଗୁରୁତ୍ୱ ଦେଉଛନ୍ତି। ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ଅନେକ ଘୋଷଣା କରିଛନ୍ତି। ଉଜ୍ଜ୍ଵଳା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ଗରିବ ଲୋକଙ୍କୁ ସରକାରୀ ଯୋଜନା ପ୍ରଦାନ କରାଯାଇଥିଲା। ଏଥିପାଇଁ ରାଜ୍ୟ ସରକାର ଏବଂ ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ସାମିଲ ଅଛନ୍ତି।
ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ୨୦ କୋଟି ମହିଳା ଜନ ଧନ ଆକାଉଣ୍ଟଧାରୀଙ୍କ ଆକାଉଣ୍ଟକୁ ସିଧାସଳଖ ସହାୟତା ପଠାଯାଇଛି। ଏଥିସହ ସରକାର ନିର୍ମାଣ ଶ୍ରମିକଙ୍କ ଆକାଉଣ୍ଟରେ ମଧ୍ୟ ସହାୟତା ରାଶି ଜମା କରିଛନ୍ତି। ଶ୍ରମିକମାନଙ୍କ ପାଇଁ ଚାଲୁଥିବା ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ କେନ୍ଦ୍ର ସରକାର ୮୫ ପ୍ରତିଶତ ଅର୍ଥ ଦେଉଛନ୍ତି। ଉଜ୍ଜ୍ୱଳ ଯୋଜନା ଅଧୀନରେ ଗରିବ ଲୋକଙ୍କୁ ମାଗଣା ଏଲପିଜି ସିଲିଣ୍ଡର ଦିଆଯାଇଛି।
ଅର୍ଥମନ୍ତ୍ରୀ ଆଜିର ଶେଷ କିସ୍ତିରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା, କରୋନା ସମୟରେ ସ୍ୱାସ୍ଥ୍ୟ, ଶିକ୍ଷା ପାଇଁ ପଦକ୍ଷେପ, ବାଣିଜ୍ୟ ବ୍ୟବସାୟ, କମ୍ପାନୀ ଆକ୍ଟରେ ପରିବର୍ତ୍ତନ, ବ୍ୟବସାୟର ସହଜତା ଓ ପିଏସୟୁ ଉପରେ ସାତୋଟି ପ୍ରମୁଖ ଘୋଷଣା କରାଯିବ।
ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗତ କିଛି ମାସ ମଧ୍ୟରେ ଲୋକଙ୍କ ସ୍ୱାସ୍ଥ୍ୟ ସହ ଜଡିତ ୧୫ ହଜାର କୋଟି ଟଙ୍କା ଘୋଷଣା କରିଥିଲେ। ସେଠି ମଧ୍ୟରୁ ୪ ହଜାର ୧୧୩ କୋଟି ଟଙ୍କା ରାଜ୍ୟମାନଙ୍କୁ ଦିଆଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ୩ ହଜାର ୭୫୦ କୋଟି ଟଙ୍କା, ଲ୍ୟାବ ସ୍ଥାପନ ଓ କିଟ୍ ପାଇଁ ୫୫୦ କୋଟି ଟଙ୍କା ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ୫୦ ଲକ୍ଷ ଟଙ୍କା ବୀମା ବ୍ୟବସ୍ଥା କରାଯାଇଛି। ସେ କହିଛନ୍ତି, ଲକ୍ଷ ଲକ୍ଷ ଲୋକ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିଛନ୍ତି ଯାହା ଭୀମ ୟୁପିଆଇ ଭଳି ସଫଳ ହୋଇଛି। ଭାରତରେ ଆଜି ଦିନକୁ ୩୦୦ କମ୍ପାନୀ ୩ ଲକ୍ଷରୁ ଅଧିକ ପିପିପି କିଟ୍ ଏବଂ ଲକ୍ଷ ଲକ୍ଷ ଏନ-୯୫ ମାସ୍କ ମଧ୍ୟ ତିଆରି କରୁଛନ୍ତି। ସଙ୍କଟ ମଧ୍ୟରେ ସୁଯୋଗ ଖୋଜିବାର ଏହା ଏକ ଉତ୍ତମ ଉଦାହରଣ ବୋଲି ସେ କହିଛନ୍ତି।
ଶିକ୍ଷା କ୍ଷେତ୍ରରେ ଜ୍ଞାନକୌଶଳର କିଭଳି ବ୍ୟବହାର କରାଯିବ ସେଥିପାଇଁ ପଦକ୍ଷେପ ନିଆଯାଇଛି ବୋଲି ବିତ୍ତମନ୍ତ୍ରୀ କହିଛନ୍ତି। ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି। ସେ କହିଛନ୍ତି, ଯେଉଁଠାରେ ଇଣ୍ଟରନେଟ୍ ସୁବିଧା ନାହିଁ ସେଠାରେ ଏହି ସୁବିଧା ଡିଟିଏଚ ମାଧ୍ୟମରେ ପହଂଚାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଅନଲାଇନ ଶିକ୍ଷା ପ୍ରଦାନ ପାଇଁ ତିନୋଟି ଚ୍ୟାନେଲ ଚିହ୍ନଟ କରାଯାଇଛି। ଏଥିରେ ଅନ୍ୟ ୧୨ଟି ଚ୍ୟାନେଲ ମଧ୍ୟ ସାମିଲ କରାଯିବ। ଲାଇଭ୍ ଅଧିବେଶନ ପ୍ରସାରଣ ପାଇଁ ବିଶେଷଜ୍ଞଙ୍କ ମାଧ୍ୟମରେ ମଧ୍ୟ ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି। ରାଜ୍ୟମାନଙ୍କୁ ଚାରି ଘଣ୍ଟା ଶିକ୍ଷା ପାଇଁ ବିଷୟବସ୍ତୁ ଯୋଗାଇବାକୁ କୁହାଯାଇଛି। ଏଥିରେ ୨୦୦ ନୂତନ ପୁସ୍ତକ ମଧ୍ୟ ଯୋଗ କରାଯାଇଛି।
ବିତ୍ତମନ୍ତ୍ରୀ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରବାସୀ ଶ୍ରମିକମାନଙ୍କୁ ଖାଦ୍ୟ ଶସ୍ୟ ପ୍ରଦାନ କରିବ ପାଇଁ ବ୍ୟବସ୍ଥା କରିଛନ୍ତି। କେନ୍ଦ୍ର ସରକାର ଟ୍ରେନ୍ ଖର୍ଚ୍ଚର ୮୫ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ମଧ୍ୟ ପ୍ରଦାନ କରିଛନ୍ତି। ଶ୍ରମିକମାନେ ଯେଭଳି ରୋଜଗାର ଅଭାବର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ୪୦ ହଜାର କୋଟି ଟଙ୍କାର ଅତିରିକ୍ତ ବ୍ୟବସ୍ଥା କରାଯାଇଛି।
ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସେ କହିଛନ୍ତି ଯେ ଏହି ସୁବିଧା ଗ୍ରାମାଞ୍ଚଳ ସ୍ଥରରେ ଯୋଗାଇ ଦିଆଯିବ ଯାହା ଫଳରେ ମହାମାରୀ ସମୟରେ ଏହାର ମୁକାବିଲା କରିବାର କ୍ଷମତା ରହିବ। ଏଥିପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାରୀ ଖର୍ଚ୍ଚ ବୃଦ୍ଧି କରାଯିବ ଏବଂ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ରକୁ ପ୍ରୋତ୍ସାହିତ କରାଯିବ। ଜିଲ୍ଲା ସ୍ତରୀୟ ଡାକ୍ତରଖାନାଗୁଡ଼ିକରେ ମଧ୍ୟ ଉନ୍ନତ ଚିକିତ୍ସା ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯିବ। ଲ୍ୟାବ ମାଧ୍ୟମରେ ନମୁନା ପରୀକ୍ଷଣ ନେଟୱାର୍କ ମଜବୁତ କରାଯିବ ଏବଂ ICMI ସହାୟତାରେ ଗବେଷଣା କାର୍ଯ୍ୟକୁ ପ୍ରୋତ୍ସାହିତ କରାଯିବ।
ନିର୍ମଳା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଇ-ଲର୍ଣ୍ଣିଂ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିରେ ଶିକ୍ଷା ପାଇଁ ଦୀକ୍ଷା ଇ-ବିଷୟବସ୍ତୁ ପ୍ରଦାନ କରିବ। ଏହାର ନାମ ୱାନ ନେସନ, ୱାନ ଡିଜିଟାଲ୍ ପ୍ଲାଟଫର୍ମ ରହିବ। ପ୍ରତି ଶ୍ରେଣୀ ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ଚ୍ୟାନେଲ ରହିବ, ଅର୍ଥାତ୍ ଗୋଟିଏ ଶ୍ରେଣୀ, ଗୋଟିଏ ଚ୍ୟାନେଲ୍ ଲଞ୍ଚ ହେବ। ଏହି ପଦ୍ଧତିରେ ରେଡିଓ ପ୍ରମୁଖ ଭୂମିକା ଗ୍ରହଣ କରିବ। ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ବିଷୟବସ୍ତୁ ଶିକ୍ଷାଦାନ ମଧ୍ୟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଇତି ମଧ୍ୟରେ ଦେଶର ୧୦୦ଟି ବିଶ୍ୱବିଦ୍ୟାଳୟକୁ ଅନଲାଇନ୍ କ୍ଲାସ୍ ପାଇଁ ଅନୁମତି ଦିଆଯାଇଥିବା ସେ କହିଛନ୍ତି।
ସେ କହିଛନ୍ତି, ଏମଏସଏମଇଗୁଡ଼ିକୁ ଦେବାଳିଆ ହେବାକୁ ନ ଦେବା ପାଇଁ ସର୍ବନିମ୍ନ ସୀମାକୁ ଏକ ଲକ୍ଷରୁ ଏକ କୋଟିକୁ ବୃଦ୍ଧି କରାଯାଇଛି। ଏହା ଏମଏସଏମଇ କ୍ଷେତ୍ର ପାଇଁ ଲାଭଦାୟକ ହେବ ବୋଲି ସେ କହିଛନ୍ତି। ଅନ୍ୟ ପକ୍ଷରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଛୋଟ ବୈଷୟିକ ଏବଂ ପ୍ରକ୍ରିୟାଗତ ତ୍ରୁଟିକୁ ଅପରାଧିକ ତାଲିକାରୁ ବାଡ଼ ଦିଆଯାଇଛି। ପୂର୍ବରୁ ଏହାକୁ ଅପରାଧୀକ କାର୍ଯ୍ୟକଳାପ ଭାବେ ବିବେଚନା କରାଯାଉଥିଲା। ସୀତାରମଣ କହିଛନ୍ତି ଯେ ବେସରକାରୀ କମ୍ପାନୀମାନେ ବର୍ତ୍ତମାନ ସିଧାସଳଖ ବିଦେଶରେ ସେୟାର ତାଲିକାଭୁକ୍ତ କରିପାରିବେ। ଏହା ଭାରତୀୟ କମ୍ପାନୀଗୁଡିକ ପାଇଁ ଲାଭଜନକ ହେବ ବୋଲି ସେ କହିଛନ୍ତି।
ସେ କହିଛନ୍ତି ଯେ କିଛି ଦଶନ୍ଧି ଧରି ଭାରତ ଏବଂ ବିଶ୍ୱରେ ବଡ଼ ପରିବର୍ତ୍ତନ ଆସିଛି। ତେଣୁ ପବ୍ଲିକ ସେକ୍ଟର ୟୁନିଟ କ୍ଷେତ୍ରରେ ନୂତନ ନୀତି ମଧ୍ୟ ଆବଶ୍ୟକ ହୋଇପଡିଛି। ଜନସାଧାରଣଙ୍କ ଆଗ୍ରହ, ଜାତୀୟ ସ୍ୱାର୍ଥ ଏବଂ ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି ରଣନୀତିକ କ୍ଷେତ୍ରର ଏକ ତାଲିକା ପ୍ରସ୍ତୁତ କରାଯିବ। ଯେଉଁ କମ୍ପାନୀଗୁଡିକ ଏହି କ୍ଷେତ୍ରର ବାହାରେ ରହିଛନ୍ତି ସେମାନଙ୍କୁ ଘରୋଇକରଣ ତଥା ମିଶ୍ରଣ କରିବାର ସୁଯୋଗ ଦିଆଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ସାର୍ବଜନୀନ କାର୍ଯ୍ୟ ମଧ୍ୟ ରହିବ।
କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି, ଏଭଳି ସଙ୍କଟ ସମୟରେ ରାଜ୍ୟ ତଥା କେନ୍ଦ୍ରର ଆୟରେ ବହୁତ ହ୍ରାସ ଘଟିଛି। ଏହି ସମୟରେ କେନ୍ଦ୍ର ଖୋଲା ହୃଦୟରେ ରାଜ୍ୟମାନଙ୍କୁ ସାହାଯ୍ୟ କରିଛି। ରାଜ୍ୟମାନଙ୍କୁ ଏପ୍ରିଲରେ କେନ୍ଦ୍ର ସରକାର ୪୬ ହଜାର ୩୮ କୋଟି ଟଙ୍କା ଦେଇଛନ୍ତି। ଏପ୍ରିଲ ଏବଂ ମେ ମାସରେ ରାଜସ୍ୱ ନିଅଣ୍ଟ ଅନୁଦାନ ଭାବରେ ମଧ୍ୟ ୧୨ ହଜାର ୩୯୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଆହୁରି ମଧ୍ୟ, ଏପ୍ରିଲର ପ୍ରଥମ ସପ୍ତାହରେ, SDRFର ଅଗ୍ରୀମ ଭାବରେ ରାଜ୍ୟମାନଙ୍କୁ ୧୧ ହଜାର ୯୨ କୋଟି ଟଙ୍କା ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମାଧ୍ୟମରେ ୪ ହଜାର ୧୧୩ କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟଗୁଡିକର ଅର୍ଥ ଆଡଭାନ୍ସର ସୀମା ୬୦ ପ୍ରତିଶତ ବୃଦ୍ଧି କରାଯାଇଥିବା ସେ କହିଛନ୍ତି। ରାଜ୍ୟ ଓଭରଡ୍ରାଫ୍ଟ ପରିମାଣ ୩୨ ଦିନରୁ ୫୦ ଦିନକୁ ବୃଦ୍ଧି କରାଯାଇଥିବା ସେ କହିଛନ୍ତି।
ଅର୍ଥମନ୍ତ୍ରୀ କହିଛନ୍ତି ଯେ ୨୦୨୦-୨୧ ପାଇଁ ରାଜ୍ୟଗୁଡିକ ସେମାନଙ୍କ ମୋଟ ଘରୋଇ ଉତ୍ପାଦର ୩ ପ୍ରତିଶତ କିମ୍ବା ୬.୪୧ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତଋଣ ନେଇପାରିବେ। ଏହାକୁ ପ୍ରତିଶତ ବୃଦ୍ଧି କରାଯାଇଛି। ରାଜ୍ୟଗୁଡିକ ଏପର୍ଯ୍ୟନ୍ତ ସେମାନଙ୍କର ସୀମାର ମାତ୍ର ୧୪ ପ୍ରତିଶତ ଋଣ ନେଇଛନ୍ତି ଓ ୮୬ ପ୍ରତିଶତ ଋଣ ବାକି ଅଛି। ଏହା ରାଜ୍ୟମାନଙ୍କୁ ୪.୨୮ ଲକ୍ଷ କୋଟି ଟଙ୍କା ଅତିରିକ୍ତ ସହାୟତା ଯୋଗାଇବ ବୋଲି ସେ କହିଛନ୍ତି।