ସ୍ବାସ୍ଥ୍ୟ ବିକାଶ ଲାଗି ’ନିର୍ମଳ’ : ୫ ବର୍ଷରେ ଖର୍ଚ ହେବ ୧୯୯୮.୧୫ କୋଟି ଟଙ୍କା

ନିର୍ମଳ ସହିତ କାର୍ଯ୍ୟକାରୀ ହେବ ‘ନିର୍ମଳ’+ ଓ ‘ନିର୍ମଳ’++

ଭୁବନେଶ୍ଵର: ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟସେବାର ବିକାଶ ନିମନ୍ତେ ସରକାର ‘ନିର୍ମଳ’ ଯୋଜନାକୁ ସଂଶୋଧନ କରିଛନ୍ତି ଏବଂ ଏହି ଯୋଜନାରେ ଆଗାମୀ ୫ ବର୍ଷରେ ୧୯୯୮.୧୫ କୋଟି ଟଙ୍କା ବ୍ୟୟ କରିବାକୁ ଯୋଜନା କରିଛନ୍ତି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଗତ ଏ  ସଂକ୍ରାନ୍ତରେ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି ।

ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ ପ୍ରଦାନ କରିଥିବା ସୂଚନା ଅନୁସାରେ ଏହି ଅର୍ଥ ରାଜ୍ୟର ମୋଟ ୧୮୬୪ଟି ସ୍ବାସ୍ଥ୍ୟସେବା ଅନୁଷ୍ଠାନରେ ବ୍ୟୟ ହେବ । ଉନ୍ନତମାନର ରୋଗୀସେବା, ସଂକ୍ରମଣ ରୋକିବା ଆଦି ନିମନ୍ତେ ବ୍ୟୟ କରାଯିବ ।

ନିର୍ମଳ ଯୋଜନା ରାଜ୍ୟ ସରକାରଙ୍କ ନୂଆ ଯୋଜନା ନୁହେଁ । ପୂର୍ବରୁ ଏହା କାର୍ଯ୍ୟକାରୀ ହୋଇ ଆସୁଛି । ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ୨୦୧୮-୧୯ ଆର୍ଥିକ ବର୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କେବଳ ଜିଲାସ୍ତରୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକୁ ସାମିଲ କରାଯାଇଥିଲା । ଏଥିପାଇଁ ୫୫୦.୨୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । ମାତ୍ର ଏବେ ଏହି ଯୋଜନାରେ ସଂଶୋଧିତ କରାଯାଇଛି । ଜିଲାସ୍ତରୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଭିନ୍ନ ଏଥିରେ ମେଡ଼ିକାଲ କଲେଜ ଓ ହସପିଟାଲ, ଆୟୁଷ କଲେଜ ଓ ହସପିଟାଲ, ନର୍ସିଂସ୍କୁଲ ଓ କଲେଜ ମଧ୍ୟ ସାମିଲ କରାଯାଇଛି ।

ରାଜ୍ୟର ସମସ୍ତ ଜିଲାସ୍ତରୀୟ ଡ଼ାକ୍ତରଖାନାଠାରୁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ୧୮୧୨ ସ୍ବାସ୍ଥ୍ୟ ପ୍ରତିଷ୍ଠାନ  ‘ନିର୍ମଳ’ ଯୋଜନାରେ ସାମିଲ ହେବ । ଏହା ମଧ୍ୟରେ ୩୧ଟି ଜିଲାସ୍ତରୀୟ ଡ଼ାକ୍ତରଖାନା, ୩୩ଟି ସବଡ଼ିଭିଜନସ୍ତରୀୟ, ୩୮୩ ସିଏଚସି, ୧୩୬୪ପିଏଚସି ଅନ୍ତର୍ଭୁକ୍ତ ।

ଅନୁରୂପ ଭାବରେ ‘ନିର୍ମଳ (+)’ ଯୋଜନାରେ ୪ଟି ନୂଆ ମେଡ଼ିକାଲ କଲେଜ ଓ ହସପିଟାଲ, ୯ଟି ଆୟୁଷ କଲେଜ ଓ ହସପିଟାଲ, ୩୨ଟି ନର୍ସିଂ କଲେଜ ଓ ସ୍କୁଲ ଅନ୍ତର୍ଭୁକ୍ତ ।

‘ନିର୍ମଳ (++) ଯୋଜନାରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସପିଟାଲ, ଏମକେସିଜି ମେଡ଼ିକାଲ କଲେଜ ଓ ହସପିଟାଲ, ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ,  କ୍ୟାପିଟାଲ ହସପିଟାଲ, ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନ (କଟକ), ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର (କଟକ), ବଳ୍ଲଭଭାଇ ପଟେଲ ସ୍ନାତକୋତ୍ତର ପ୍ରତିଷ୍ଠାନ ଆଦି ମୋଟ ୭ଟି ସ୍ବାସ୍ଥ୍ୟ ସେବା ପ୍ରତିଷ୍ଠାନ ଅନ୍ତର୍ଭୁକ୍ତ ହୋଇଛନ୍ତି । ଏହି ଯୋଜନା ନିମନ୍ତେ ମୋଟ ୧୯୯୮.୧୫ କୋଟି ଟଙ୍କା ମଧ୍ୟରୁ ରାଜ୍ୟ ବଜେଟରୁ ୧୮୭୪.୨୭ କୋଟି ଟଙ୍କା ରାଜ୍ୟ ବଜେଟରୁ ଭରଣା ହେବ ଓ ଅବଶିଷ୍ଟ ଅର୍ଥ ୧୨୩.୮୮ କୋଟି ଟଙ୍କା ଜାତୀୟ ସ୍ବାସ୍ଥ୍ୟ ମିଶନ ବଜେଟରୁ ବ୍ୟୟ ହେବ ବୋଲି ସୂଚନା ମିଳିଛି ।

Comments are closed.