ନିର୍ଭୟା ଦୋଷୀଙ୍କୁ ଭୋର ୫.୩୦ରେ ଫାଶୀ – ସୁପ୍ରିମକୋର୍ଟରେ ହେଲା ରାତି ଅଧିଆ ଶୁଣାଣି (ଲାଇଭ ଅପଡେଟ)

ସମାଜ ପୋର୍ଟାଲ ଡେସ୍କ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ସାତ ବର୍ଷ, ତିନି ମାସ ଏବଂ ତିନି ଦିନ ପରେ ମାର୍ଚ୍ଚ ୨୦ ତାରିଖ ଶୁକ୍ରବାର ଭୋର ୫.୩୦ ମିନିଟରେ ଫାଶୀ ଖୁଣ୍ଟରେ ଝୁଲିବେ। ଚାରିଜଣ ଦୋଷୀଙ୍କୁ ତିହାର ଜେଲରେ ଫାଶୀ ଦିଆଯିବ। ପଟିଆଲା ହାଉସ କୋର୍ଟ ଗୁରୁବାର ଦୋଷୀମାନଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟ ମଧ୍ୟ ଦୋଷୀଙ୍କ ଓକିଲ ଏ.ପି.ସିଂଙ୍କ ଡେଥ ୱାରେଣ୍ଟ ଉପରେ ହୋଇଥିବା ଆବେଦନକୁ ଖାରଜ କରିବା ପରେ ସେ ସୁପ୍ରିମକୋର୍ଟ ରେଜିଷ୍ଟ୍ରାରଙ୍କ ବାସଭବନରେ ପହଂଚିଛନ୍ତି। ସୂଚନା ଅନୁଯାୟୀ ସୁପ୍ରିମକୋର୍ଟରେ ସକାଳ ତିନିଟାରେ ଶୁଣାଣି ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ନିର୍ଭୟଙ୍କ ମା’ ମଧ୍ୟ ସୁପ୍ରିମକୋର୍ଟରେ ପହଂଚିଛନ୍ତି।

୨୦ ମାର୍ଚ୍ଚ: ୦୫ .୨୦ ମିନିଟ – ଦୋଷୀମାନଙ୍କୁ ଫାଶୀ କୋଠରୀକୁକୁ ନିଆଗଲା। ଜେଲ ମାଜିଷ୍ଟ୍ରେଟ ମଧ୍ୟ ଫାଶୀ କୋଠରୀରେ ପହଞ୍ଚିଲେ ଓ ଡେଥ ୱାରେଣ୍ଟରେ ଦସ୍ତଖତ କଲେ।

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀଙ୍କ ଓକିଲ ଏ.ପି. ସିଂହ ସୁପ୍ରିମକୋର୍ଟରେ ଜରୁରୀ ଶୁଣାଣି ପାଇଁ କରିଥିବା ଆବେଦନ ଖାରଜ, କିଛି ସମୟ ପରେ ୪ ଜଣଙ୍କୁ ତିହାର ଜେଲରେ ଦିଆଯିବ ଫାଶୀ। ଫାଶୀ ପାଇଁ ତିହାର ଜେଲରେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ଓ ସବୁ କର୍ମଚାରୀ ଉପସ୍ଥିତ ଅଛନ୍ତି। ଯେ କୌଣସି ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ତିହାର ଜେଲ ଆଖପାଖରେ ସୁରକ୍ଷା କଡାକଡି କରାଯଇଛି, ଅର୍ଦ୍ଧସାମରିକ ବାହିନୀକୁ ମଧ୍ୟ ମୁତୟନ କରାଯାଇଛି। ଇତି ମଧ୍ୟରେ ୪ ଜଣ ଦୋଷୀ ସ୍ନାନ ସାରିବା ପରେ ପ୍ରାର୍ଥନା କରିଥିବା ସୂଚନା ମିଳିଛି। ଏହି ଘଟଣାରେ ନିର୍ଭୟାଙ୍କ ବାପା ମା’ ସୁପ୍ରିମକୋର୍ଟ ଓ ତାଙ୍କ ଦୁଇ ଓକିଲଙ୍କୁ ଧନ୍ୟବାଦ ଦେଇଛନ୍ତି।

୨୦ ମାର୍ଚ୍ଚ: ୦୫ .୩୦ ମିନିଟ – ଫାଶୀରେ ଝୁଲିଲେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ।

୨୦ ମାର୍ଚ୍ଚ: ୦୪.୨୨ମିନିଟ – ଇତି ମଧ୍ୟରେ ଦୋଷୀମାନେ ଶଯ୍ୟା ପରିତ୍ୟାଗ କରିଥିବା ସୂଚନା ମିଳିଛି।

୨୦ ମାର୍ଚ୍ଚ: ୦୩.୪୮ମିନିଟ – ଆବେଦନ ଖାରଜ ହେବା ପରେ ଦୋଷୀଙ୍କ ଓକିଲ ଏ.ପି.ସିଂହ ଦୋଷୀମାନଙ୍କ ସହ ସେମାନଙ୍କ ସଂପର୍କିୟମାନଙ୍କୁ ୫ରୁ ୧୦ମିନିଟ ସାକ୍ଷାତ କରିବାକୁ ଅନୁମତି ଦେବାକୁ ଅନୁରୋଧ କରିଥିଲେ। ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିବେ ନାହିଁ, ଏଥିରେ କେବଳ ସଲିସିଟର ଜେନେରାଲ କିଛି କହିପାରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ। ଏହା ହେଲେ ପରିସ୍ଥିତି ଦୁଃଖଦ ହେବ ତେଣୁ ଏଥିପାଇଁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ମେହେଟା କହିଛନ୍ତି।

୨୦ ମାର୍ଚ୍ଚ: ୦୩.୪୫ମିନିଟ – ସୁପ୍ରିମକୋର୍ଟ ପବନ ଗୁପ୍ତା ଆବେଦନ ଖାରଜ କରିବା ପରେ ନିର୍ଭୟାଙ୍କ ମା’ ଆନନ୍ଦ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଆମ ଝିଅକୁ ନ୍ୟାୟ ମିଳିଲା, ଏଭଳି ଅପରାଧ ପାଇଁ ଦେଶ ନିନ୍ଦିତ ହୋଇଥିଲା କିନ୍ତୁ ଆଜି ଦେଶକୁ ନ୍ୟାୟ ମିଳିଲା।

୨୦ ମାର୍ଚ୍ଚ: ୦୩.୪୩ମିନିଟ – ସୁପ୍ରିମକୋର୍ଟ ଚାରି ଦୋଷୀଙ୍କ ମଧ୍ୟରୁ ପବନ ଗୁପ୍ତାର ଆବେଦନ ଖାରଜ କରିଛନ୍ତି। ଫାଶୀ ଅଟକାଇବାର କୌଣସି ଆଧାର ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

୨୦ ମାର୍ଚ୍ଚ: ୦୩.୧୪ମିନିଟ – ଦୋଷୀଙ୍କ ଓକିଲ ଏ.ପି.ସିଂ କହିଥିଲେ ଯେ ଦୋଷୀମାନଙ୍କୁ ଫାଶୀ ଦିଆଯିବ କିନ୍ତୁ ଦୋଷୀ ପବନ ଗୁପ୍ତାଙ୍କ ବୟାନ ରେକର୍ଡ କରିବା ପାଇଁ କଣ ୨/୩ ଦିନ ପାଇଁ ଫାଶୀ ଘୁଞ୍ଚାଯାଇ ପାରିବ ନାହିଁ?

୨୦ ମାର୍ଚ୍ଚ: ୦୩.୧୦ମିନିଟ – ଜଷ୍ଟିସ ଭୂଷଣ ପଚାରିଥିଲେ ଓକିଲ ଏ.ପି.ସିଂହ କେଉଁ ଆଧାରରେ ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି? ସେ କହିଛନ୍ତି ଯେ ଓକିଲ ସିଂହ ପୁରୁଣା ପ୍ରସଙ୍ଗ ଉତଥାପନ କରୁଛନ୍ତି।

୨୦ ମାର୍ଚ୍ଚ: ୦୩.୦୮ମିନିଟ – ଦୋଷୀ ପବନର ସ୍କୁଲ ସାର୍ଟିଫିକେଟ, ସ୍କୁଲ ରେଜିଷ୍ଟାର ଏବଂ ଉପସ୍ଥାନ ରେଜିଷ୍ଟାରକୁ ପୁଣି ଠାରେ ଉପସ୍ଥାପନ କରି ଦୋଷୀଙ୍କ ଓକିଲ ଏ.ପି.ସିଂହ କହିଛନ୍ତି ଯେ ଯେଉଁ ସମୟରେ ଅପରାଧ ସଂଗଠିତ ହୋଇଥିଲା ସେ ସମୟରେ ପବନ ଗୁପ୍ତା ନାବାଳିକା ଥିଲା। ଏହାକୁ ନେଇ ଜଷ୍ଟିସ ଭୂଷଣ କହିଥିଲେ ଯେ ପୂର୍ବରୁ ଏହି ତଥ୍ୟ କୋର୍ଟରେ ଉପସ୍ଥାପନ କରାଯାଇ ସାରିଛି।

୨୦ ମାର୍ଚ୍ଚ: ୦୨.୪୮ମିନିଟ – ଦୋଷୀମାନଙ୍କୁ ଫାଶୀ ଦାଣ୍ଡରୁ ରୋକିବା ଓ ରାଷ୍ଟ୍ରପତିଙ୍କ ଦ୍ୱାରା ଦୟା ଆବେଦନ ଖାରଜ ବିରୋଧରେ ଆଗତ ଆବେଦନ ଉପରେ ଶୁଣାଣି ଆରମ୍ଭ। ସଲିସିଟର ଜେନେରାଲ ତୁଷାର ମେହେଟା ମଧ୍ୟ ସୁପ୍ରିମକୋର୍ଟରେ ପହଂଚିଛନ୍ତି।

୨୦ ମାର୍ଚ୍ଚ: ୦୨.୩୦ ମିନିଟ – ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀଙ୍କ ଓକିଲ ଏ.ପି. ସିଂହ ସୁପ୍ରିମକୋର୍ଟରେ ଜରୁରୀ ଶୁଣାଣି ପାଇଁ ଆବେଦନ ପରେ ଜଷ୍ଟିସ ଭାନୁମତିଙ୍କ ଖଣ୍ଡପୀଠରେ ଶୁଣାଣି ଆରମ୍ଭ।

୨୦ ମାର୍ଚ୍ଚ: ୦୨.୨୬ ମିନିଟ – ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀଙ୍କ ଓକିଲ ଏ.ପି. ସିଂହ ସୁପ୍ରିମକୋର୍ଟରେ ଜରୁରୀ ଶୁଣାଣି ପାଇଁ ଆବେଦନ କଲେ। ସୁପ୍ରିମକୋର୍ଟ ଏହି ଚାରିଜଣ ଦୋଷୀଙ୍କର ଆବେଦନ ଉପରେ ଅଳ୍ପ ସମୟ ମଧ୍ୟରେ ଶୁଣାଣି କରିବେ। ନିର୍ଭୟାଙ୍କ ପିତା ମାତା ମଧ୍ୟ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ପ୍ରାୟ ସାତ ବର୍ଷ ଧରି ନ୍ୟାୟ ପାଇଁ ଅପେକ୍ଷା କରିଥିବା ନିର୍ଭୟାଙ୍କ ମା’ କହିଛନ୍ତି ଯେ ଦୋଷୀଙ୍କୁ ଫାଶୀ ନ ଦିଆଯିବା ପର୍ଯ୍ୟନ୍ତ ସେ ସୁପ୍ରିମକୋର୍ଟରୁ ଫେରିବେ ନାହିଁ।

୨୦ ମାର୍ଚ୍ଚ: ୦୨.୧୫ ମିନିଟ – ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀଙ୍କ ଓକିଲ ଏ.ପି. ସିଂହ ସୁପ୍ରିମକୋର୍ଟ ରେଜିଷ୍ଟ୍ରାରଙ୍କ ନିକଟରେ କଲେ ଆବେଦନ। ସକାଳ ୨.୩୦ରେ ହେବ ଶୁଣାଣି।

୨୦ ମାର୍ଚ୍ଚ: ୦୨.୦୦ ମିନିଟ – ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀଙ୍କ ଓକିଲ ଏ.ପି. ସିଂହ ସୁପ୍ରିମକୋର୍ଟ ରେଜିଷ୍ଟ୍ରାରଙ୍କ ବାସଭବନରେ ପହଂଚି ସାରିଛନ୍ତି। ସକାଳ ୩ଟାରେ ହୋଇପାରେ ଶୁଣାଣି।

Comments are closed.