ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ଦୋଷୀଙ୍କୁ ଦଣ୍ଡ ନ ମିଳିବାର ପ୍ରତିବାଦ : ଏହି ମହିଳାମାନେ ପାଳି​​‌ବେ​ନି ମହିଳା ଦିବସ

ଆଉ ମାତ୍ର ଗୋଟିଏ ଦିନ ପରେ ଅର୍ଥାତ ମାର୍ଚ୍ଚ ୮ ତାରିଖରେ ସମଗ୍ର ବିଶ୍ବ ପାଳନ କରିବାକୁ ଯାଉଛି ଅନ୍ତର୍ଜାତୀୟ ମହିଳା ଦିବସ। ଅପରପକ୍ଷରେ ଗଣଦୁଷ୍କର୍ମ ଓ ଅକଥନୀୟ ପାଶବିକତାର ଶିକାର ହୋଇ ଶେଷରେ ଆଖି ବୁଜିଥିବା ଦିଲ୍ଲୀର ନିର୍ଭୟା ନିଜ ମୃତ୍ୟୁର ୭ ବର୍ଷ ପରେ ମଧ୍ୟ ନ୍ୟାୟ ପାଇପାରୁ ନାହିଁ। ଝିଅ ତ ଚାଲିଗଲା କିନ୍ତୁ ଝିଅକୁ ନ୍ୟାୟ ଦେବାକୁ ସତ ଚେଷ୍ଟା କରି ମଧ୍ୟ ମିଳିଛି ଖାଲି ତାରିଖ ପରେ ତାରିଖ….  ଆଉ କିଛି ମିଳୁନାହିଁ ସେହି ହତଭାଗ୍ୟ ବାପା ଓ ମାଆଙ୍କୁ। ତେବେ କ’ଣ ଲାଭ ଏହି ଅନ୍ତର୍ଜାତୀୟ ମହିଳା ଦିବସ ପାଳିବାର ?
ଏହା କେବଳ ଏକ ପ୍ରହଶନ ହେବ ମାତ୍ର। ଯେଉଁଠି ଆଜି ନାରୀ ମଧ୍ୟ ନିର୍ଯାତିତ, ନିଷ୍ପେସିତ, ଜର୍ଜରିତ ସେଠାରେ ମହିଳା ଦିବସ ପାଳନର ଅର୍ଥ କଣ ବୋଲି ପ୍ରଶ୍ନ ଉଠାଇ ରାଜ୍ୟର କିଛି ପ୍ରତିଷ୍ଠିତ ମହିଳା ଚଳିତ ବର୍ଷ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପ୍ରସ୍ତୁତି ଓ ଉପସ୍ଥାପନା – ପ୍ରତିଜ୍ଞା ମିଶ୍ର (ସହାୟତା : ରାଜେଶ ଓ ସତ୍ୟଜିତ)

ତେବେ ଆସନ୍ତୁ ଜାଣିବା ସେହିପରି କିଛି ମହିଳାଙ୍କ ମତାମତ……………..

ନମ୍ରତା ଚଢା (ସମାଜସେବୀ): ବହୁବର୍ଷ ଧରି ଉତ୍ସାହର ସହ ମୁଁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଥିଲି, କିନ୍ତୁ ଚଳିତ ବର୍ଷ ଯେତେବେଳେ ଦେଖିଲି ନିର୍ଭୟାର ମାଆ କାନ୍ଦୁଛି କିନ୍ତୁ ଦୋଷୀମାନେ ଦଣ୍ଡ ପାଇପାରୁ ନାହାନ୍ତି। ତାହା ମୋତେ ବହୁତ ବ୍ୟଥିତ କରିଛି। କେବଳ ନିର୍ଭୟା ନୁହେଁ କୁନ୍ଦୁଲି ଘଟଣା ମଧ୍ୟ ସମସ୍ତଙ୍କୁ ମର୍ମାହତ କରିଛି। ହେଲେ ସେହି ଦୋଷୀମାନଙ୍କ ବିଷୟରେ ଏଯାବତ କୌଣସି ସୂଚନା ନାହିଁ। ଏହା ବ୍ୟତିତ ଓଡିଶାରେ ଆହୁରି ଅନେକ ଏଭଳି ଘଟଣା ରହିଛି ଯେଉଁଥିରେ ଦୋଷୀମାନେ ଆଜି ପର୍ଯ୍ୟନ୍ତ ମଧ୍ୟ ଦଣ୍ଡ ପାଇପାରୁ ନାହାନ୍ତି । ତେଣୁ ଏସବୁ ଦେଖି ମୁଁ କିପରି ଖୁସିର ସହ ମହିଳା ଦିବସ ପାଳନ କରିବି ଏବଂ କେମିତି ମହିଳା ଦିବସର ଶୁଭେଚ୍ଛା ଜଣାଇବି। କେବଳ ମୁଁ ନୁହେଁ ସାରାଦେଶରେ କାର୍ଯ୍ୟରତ ଥିବା ‘ମହିଳା ଅଧିକାର ଅଭିଯାନ’ର ସଦସ୍ୟାମାନେ ଚଳିତ ବର୍ଷ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବେ ନାହିଁ ଏବଂ ପୀଡିତାଙ୍କ ପାଇଁ ଏହି ଦିନରେ ପ୍ରାର୍ଥନା କରିବୁ ।

ରୀନା ରାଉତରାୟ (ସମାଜସେବୀ): ମହିଳାମାନେ ସବୁ କ୍ଷେତ୍ରରେ ନିଜକୁ ପୁରୁଷର ସମକକ୍ଷ କରି ପ୍ରତିଷ୍ଠିତ କରିସାରିବା ପରେ ମଧ୍ୟ ସେମାନେ ଏଭଳି ନିର୍ଯାତନାର ଶିକାର ହେଉଛନ୍ତି। ନିର୍ଭୟା ଭଳି ଘଟଣାରେ ଯଦି ଆମେ ପୀଡିତାଙ୍କୁ ନ୍ୟାୟ ଦେଇପାରୁନୁ ତେବେ ଦେଶ ଏବଂ ରାଜ୍ୟର କୋଣ ଅନୁକୋଣରେ ଲୁକ୍କାୟିତ ହୋଇ ରହିଯାଉଥିବା ଘଟଣା ସବୁର ପୀଡିତାଙ୍କୁ ନ୍ୟାୟ ଦେବାକଥା ଭାବିବା କାହିଁକି। ଆମ ନ୍ୟାୟିକ ବ୍ୟବସ୍ଥାରେ ବହୁତ ପରିବର୍ତ୍ତନ କରିବାର ଅଛି। ଏଣୁ ଏସବୁକୁ ବିରୋଧ କରି ଚଳିତ ବର୍ଷ ମୁଁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବି ନାହିଁ। ଯେଉଁଦିନ ପ୍ରତ୍ୟେକ ମହିଳା ନିଜକୁ ସୁରକ୍ଷିତ ଏବଂ ସଶକ୍ତ ମନେ କରିବେ ସେହିଦିନ ପ୍ରକୃତ ମହିଳା ଦିବସ ପାଳନ ହେବ।

ଉଷାରାଣୀ ବେହେରା(ସମାଜସେବୀ): ଗୋଟିଏ ମାଆ ଦୀର୍ଘ ଦିନ ଧରି ନ୍ୟାୟ ଅପେକ୍ଷାରେ ରହିଛି। ତାର ଅନ୍ତର୍ବେଦନା ବୁଝିବାକୁ ଏଠାରେ କେହି ନାହିଁ। କେବଳ ନିର୍ଭୟା ମାଆ ନୁହେଁ ଏଠାରେ ଅନେକ ପୀଡିତାଙ୍କ ମାଆମାନଙ୍କ ଆଖିର ଲୁହ ଶୁଖୁନାହିଁ। ନ୍ୟାୟ ପାଇଁ ଅପେକ୍ଷା କରିକରି ଶେଷରେ ଆଇନ କାନୁନ ଉପରୁ ସେମାନଙ୍କ ବିଶ୍ବାସ ଉଠିଗଲାଣି। ତେଣୁ ଏଭଳି କ୍ଷେତ୍ରରେ ମହାଆଡମ୍ବରର ସହ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବାକୁ ନିଜକୁ ଖରାପ ଲାଗୁଛି। ହେଲେ ଏହି ଦିନ ଆମେ ରାଜ୍ୟର ଅନେକ ମାଆ ଓ ଭଉଣୀଙ୍କ ସହ ଏସବୁ ବିଷୟକୁ ନେଇ ଆଲୋଚନା କରିବୁ ଏବଂ ନ୍ୟାୟ ପାଇଁ ଲଢେଇ କରବିକୁ ସମସ୍ତଙ୍କୁ ସଚେତନ କରିବୁ।

ସୁରେଶ୍ବରୀ ସାଗରିକା ଜେନା (ସମାଜସେବୀ): ୧୬ ଡିସେମ୍ବର ୨୦୧୨ର ଏହି ଘଟଣା। ଦିଲ୍ଳୀର ବହୁ ଚର୍ଚ୍ଚିତ ନିର୍ଭୟା ଘଟଣା କାହାକୁ ଅଛପା ନାହିଁ। ନରରୂପୀ ରାକ୍ଷସମାନେ ଯେଉଁଭଳି ଭାବେ ଜଣେ ଡାକ୍ତରୀ ଛାତ୍ରୀଙ୍କ ସହ ଗଣ ଦୁଷ୍କର୍ମ କରି ଅତି ନୃଶଂସ ଭାବେ ହତ୍ୟାକଲେ ତାହା ଅତ୍ୟନ୍ତ ଦୁଃଖଦ। କିନ୍ତୁ ଦୁଃଖର ବିଷୟ ବର୍ତ୍ତମାନ ସୁଦ୍ଧା ସେହି ନର ରାକ୍ଷସମାନଙ୍କୁ ଫାଶୀ ମିଳିପାରିଲା ନାହିଁ। ୩ଥର ଡେଥ୍ ୱାରେଣ୍ଟ ଜାରି ହେବାପରେ ମଧ୍ୟ ସେମାନେ ଆଇନର ଗଳାବାଟରେ ଖସି ଯାଉଛନ୍ତି। ଏବେ ପୁଣି ଆଉ ଥରେ ଆସନ୍ତା ୨୦ ତାରିଖକୁ ନୂଆ ଡେଥ୍ ୱାରେଣ୍ଟ ଜାରି ହୋଇଛି। ଆଶା କରୁଛି ଏଥର ଏହି ନରରାକ୍ଷସମାନଙ୍କୁ ଫାଶୀ ମିଳିବ। ତେଣୁ ଏହାକୁ ବିରୋଧ କରି ଚଳିତ ବର୍ଷ ମୁଁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନରେ ନିଜକୁ ସାମିଲ କରୁନାହିଁ।

Comments are closed.