ଫାଶୀ ପୂର୍ବରୁ ମା’କୁ ଭେଟିଲେ ନିର୍ଭୟା ଦୋଷୀ ମୁକେଶ

ନୂଆଦିଲ୍ଲୀ: ଡେଥ୍ ୱାରିଣ୍ଟ ଜାରି ହେବା ପରେ ନିର୍ଭୟା ଦୋଷୀମାନେ ପ୍ରତିଦିନ ନିଜ ସାମ୍ନାରେ ମୃତ୍ୟୁକୁ ଦେଖୁଛନ୍ତି। ଫାଶୀ ପାଇବାର ତାରିଖ ଯେତିକି ପାଖେଇ ଆସୁଛି, ସେମାନଙ୍କ ଭୟ ମଧ୍ୟ ସେତିକି ବଢିବାରେ ଲାଗିଛି। ଅଭିଯୁକ୍ତମାନଙ୍କୁ ଦୁଇ ନମ୍ବର ଜେଲର କସ୍ତୁରୀ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ଯେଉଁଠାରେ ସେମାନେ ଅନ୍ୟ କଏଦୀଙ୍କ ଠାରୁ ଅଲଗା ଓ ଏକାନ୍ତରେ ରହିବେ।

ଏଭଳି ପରିସ୍ଥିତିରେ ମା’କୁ ଭେଟିଛନ୍ତି ନିର୍ଭୟା ଦୋଷୀ ମୁକେଶ। ମୁକେଶ ମା’କୁ ଭେଟିବାକୁ ଜେଲରଙ୍କ ନିକଟରେ ଅନୁରୋଧ କରିଥିଲେ। ପରେ ଉଭୟ ମା’ ଓ ପୁଅକୁ ଭେଟ କରାଯାଇଥିଲା। ଦୁଇ ନମ୍ବର ଜେଲର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ପ୍ରାୟ ଅଧ ଘଣ୍ଟା ଧରି ପରସ୍ପରକୁ ଭେଟିଥିଲେ। ଏହା ପୂର୍ବରୁ ଶନିବାର ଫାଶୀ ପାଇଁ ୪ ଜଣ ଅଭିଯୁକ୍ତଙ୍କ ଗଳାର ମାପ ନିଆଯାଇଥିଲା। ଏହା ସହ ସେମାନଙ୍କର ଲମ୍ବା ଏବଂ ଓଜନର ମାପ ମଧ୍ୟ ନିଆଯାଇଛି।

ସୂଚନାଯୋଗ୍ୟ, ଜାନୁଆରୀ ୭ ତାରିଖରେ ପଟିୟାଲା କୋର୍ଟ ନିର୍ଭୟା ମାମଲାରେ ୪ ଜଣ ଦୋଷୀଙ୍କୁ ଫାଶୀ ଦେବା ଲାଗି ତାରିଖ ଘୋଷଣା କରିଥିଲେ। ଜାନୁଆରୀ ୨୨ ତାରିଖ ସକାଳ ୭ଟାରେ ସେମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯିବ।

Comments are closed.