ନିର୍ଭୟା ଦୋଷୀଙ୍କ ନୂଆ ଚାଲ୍: ଫାଶୀ ରୋକିବାକୁ ଆଇସିଜେଙ୍କ ଶରଣରେ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ ଫାଶୀରୁ ବର୍ତ୍ତିବାକୁ ଏବେ ଆନ୍ତର୍ଜାତିକ ନ୍ୟାୟାଳୟ(ଆଇସିଜେ)ଙ୍କ ଶରଣ ପଶିଛନ୍ତି। ଦୋଷୀଙ୍କ ଓକିଲ ଏ.ପି. ସିଂହ ଆନ୍ତର୍ଜାତିକ ନ୍ୟାୟାଳୟକୁ ଏକ ପତ୍ର ଲେଖିଛନ୍ତି। ୨୦ ମାର୍ଚ୍ଚରେ ହେବାକୁ ଥିବା ଫାଶୀ ଉପରେ ରୋକ୍ ଲଗାଇବାକୁ ପତ୍ରରେ ଉଲ୍ଲେଖ କରାଯାଇଛି। ଏହା ସହିତ ଉଲ୍ଲେଖ ରହିଛି, ନିମ୍ନ ଅତାଲତରୁ ସମସ୍ତ ଦସ୍ତାବିଜ୍ ନ୍ୟାୟାଳୟ ନିଜ ପାଖକୁ ମଗାନ୍ତୁ, ଯଦ୍ୱାରା ଆନ୍ତର୍ଜାତିକ ନ୍ୟାୟାଳୟରେ ସେ ତାଙ୍କ ପକ୍ଷ ରଖିପାରିବେ। ଏହି ପତ୍ରକୁ ନେଦରଲାଣ୍ଡ ଦୂତାବାସକୁ ଦିଆଯାଇଛି, ଯାହା ଆଇସିଜେଙ୍କ ନିକଟକୁ ପଠାଯାଇଛି।
ଏହା ପୂର୍ବରୁ ଦୋଷୀ ମୁକେଶ ସିଂହକୁ ସୁପ୍ରିମକୋର୍ଟରୁ ଝଟ୍କା ଲାଗିଛି। ଫାଶୀ ରୋକିବାର ତା’ର ଆଉ ଏକ ଚେଷ୍ଟା ବିଫଳ ହୋଇଛି। ସୁପ୍ରିମକୋର୍ଟ ତା’ର ଆବେଦନ ଖାରଜ କରି ଦେଇଛନ୍ତି। ଆବେଦନରେ ମୁକେଶ ନିଜ ପ୍ରଥମ ଓକିଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା।