“ବନ୍ଦ ହେଉ ତାରିଖ ପରେ ତାରିଖ” : ନିର୍ଭୟାଙ୍କ ମାଆ

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫେବୃଆରୀ ୧ରେ ଫାଶୀ ଦଣ୍ଡ ଦିଆଯିବା ନେଇ ଶୁକ୍ରବାର ଡେଥ୍ ୱାରେଣ୍ଟ ଜାରି ହୋଇଛି। ଏହି ଦିନ ସକାଳ ୬ଟାରେ ସେମାନଙ୍କୁ ଫାଶୀ ଦିଆଯିବା ନେଇ ପଟିଆଲା ହାଉସ କୋର୍ଟ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି । ନୂଆ ଡେଥ୍ ୱାରେଣ୍ଟକୁ ନେଇ ନିର୍ଭୟାଙ୍କ ମାଆ ଆଶା ଦେବୀ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି।
ସେ ବିଚାର ପ୍ରକ୍ରିୟା ଓ ମାନବାଧିକାର କର୍ମୀଙ୍କୁ ଅଙ୍ଗୁଳି ନିର୍ଦେଶ କରି କହିଛନ୍ତି, ଆମକୁ ମିଳିଲା କଣ? କେବଳ ତାରିଖ ପରେ ତାରିଖ। ମାନବାଧିକାର କର୍ମୀ କେବଳ ଦୋଷୀଙ୍କ ଅଧିକାର ପାଇଁ ବ୍ୟସ୍ତ ରହିଲେ ମାତ୍ର ମୋ ଝିଅର ଅଧିକାରକୁ ନେଇ ପାଟି ଫିଟାଇନଥିବା ଆଶା ଦେବୀ ଅଭିଯୋଗ କରିଛନ୍ତି।
ଉଲ୍ଲେଖ ଯୋଗ୍ୟ, ପୂର୍ବରୁ ଏହି ମାମଲାର ୪ ଜଣ ଅଭିଯୁକ୍ତ ମୁକେଶ ସିଂହ, ବିନୟ ଶର୍ମା, ଅକ୍ଷୟ କୁମାର ସିଂହ ଓ ପବନ ଗୁପ୍ତାଙ୍କୁ ଆସନ୍ତା ୨୨ ତାରିଖରେ ତିହାର ଜେଲରେ ଫାଶୀ ଦିଆଯିବା ନେଇ ସ୍ଥିର ହୋଇଥିଲା। ତେବେ ମୁକେଶ ସିଂହ ରାଷ୍ଟ୍ରପତିଙ୍କୁ ରାଜକ୍ଷମା ଆବେଦନ କରିଥିଲେ। ଏହି ଆବେଦନକୁ ଆଜି ରାଷ୍ଟ୍ରପତି ଖାରଜ କରିଥିଲେ। ଏହାପରେ ଫେବୃଆରୀ ୧ରେ ଫାଶୀ ଦିଆଯିବା ନେଇ ନୂଆ ତାରିଖ ଘୋଷଣା କରାଯାଇଛି ।

Comments are closed.