ନିର୍ଭୟା ମାମଲା: ଫେଲ୍ ମାରିଲା ଦୋଷୀ ବିନୟର ଚାଲ୍

ମାନସିକ ରୋଗ ନେଇ ଦାଖଲ କରିଥିବା ପିଟିସନ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁର୍ଷମ ଓ ହତ୍ୟା ମାମଲାରେ ଦୋଷୀ ବିନୟର ଚାଲ୍ ଫେଲ୍ ମାରିଛି। ଫାଶିକୁ ବିଳମ୍ବିତ କରିବା ପାଇଁ ଦୋଷୀ ବିନୟ ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିବା ପିଟିସନକୁ ଖାରଜ କରିଦେଇଛନ୍ତି କୋର୍ଟ। ଶନିବାର ପଟିଆଲା ହାଉସ୍ କୋର୍ଟ ଦୋଷୀ ବିନୟ ତାର ଓକିଲ ଏ.ପି.ସିଂହ ଦ୍ବାରା ମାନସିକ ରୂପରେ ଅସୁସ୍ଥ ଥିବା ଏବଂ ତାକୁ ଉଚ୍ଚ ସ୍ତରୀୟ ଚିକିତ୍ସା ଆବଶ୍ୟକତାକୁ ନେଇ ଯେଉଁ ପିଟିସନ ଦାଖଲ କରିଥିଲା ତାହାକୁ ଖାରଜ କରିଦେଇଛନ୍ତି। କୋର୍ଟ ଦୋଷୀ ବିନୟର ପିଟିସନ ଖାରଜ କରିବା ସହ କୌଣସି ଉଚ୍ଚ ସ୍ତରୀୟ ଚିକିତ୍ସା ଆବଶ୍ୟକ ନାହିଁ ବୋଲି କହିଛନ୍ତି। ଫାଶିଦଣ୍ଡ ପାଇଥିବା ଏବଂ ଡେଥ୍ ୱାରେଣ୍ଟ ଜାରି ହୋଇସାରିଥିବା ଦୋଷୀମାନଙ୍କ ମାନସିକସ୍ଥିତି ଖରାପ ରହିବା ସାମାନ୍ୟ କଥା। ଜେଲ୍ ପକ୍ଷରୁ ଦୋଷୀ ମାନଙ୍କ ମାନସିକସ୍ଥିତିକୁ ଠିକ କରିବା ପାଇଁ ମାନସିକ ଚିକିତ୍ସା କରାଯିବା ସହ ମନସ୍ତତ୍ତ୍ବବିତଙ୍କ ସହାୟତା ମଧ୍ୟ ନିଆଯାଉଛି। ଏଣୁ ଉଚ୍ଚସ୍ତରୀୟ ଚିକିତ୍ସା ପାଇଁ ବାହାରକୁ ଯିବା ଆବଶ୍ୟକତା ନାହିଁ ବୋଲି କୋର୍ଟ ତାଙ୍କ ରାୟରେ ଶୁଣାଇ ଦେଇଛନ୍ତି ।

ସୂଚନା ଅନୁସାରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ବିନୟ ମାନସିକ ରୂପେ ଅସୁସ୍ଥ ଥିବା ଏବଂ ସେ ସିଜୋଫେନିଆ( ଏକ ପ୍ରକାର ମାନସିକ ରୋଗ)ରେ ଆକ୍ରାନ୍ତ ରହିଛି। ଏଣୁ ବିନୟକୁ ଉଚ୍ଚ ସ୍ତରୀୟ ଚିକିତ୍ସା ପାଇଁ ‘ଇନଷ୍ଟୁଚନ୍ ଅଫ ହ୍ୟୁମାନ ବିହେଭିୟର ଆଣ୍ଡ ଆଲାଏଡ୍ ସାଇନ୍ସ’ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ କୋର୍ଟରେ ଆବେଦନ କରିଥିଲେ ବିନୟର ଓକିଲ ଏ.ପି.ସିଂହ। ପଟିଆଲା ହାଉସ୍ କୋର୍ଟରେ ଏହି ମାମାଲାର ଶୁଣାଣୀ ଶନିବାର ଦ୍ବିପହର ୧୨ଟାରେ କରିବାକୁ ସମୟ ଧାର୍ୟ୍ୟ କରିଥିଲେ।

ଅନ୍ୟପଟେ ଦୋଷୀଙ୍କ ଓକିଲ ଏ.ପି.ସିଂହ ବିନୟର ମାନସିକ ବିକୃତି ନେଇ କୋର୍ଟରେ ପିଟିସନ ଦାଖଲକୁ ନାପସନ୍ଦ କରିଥିଲେ ନିର୍ଭୟାର ଓକିଲ। ସେ କହିଥିଲେ ମାନସିକ ରୋଗ ଜନିତ ପିଟିସନ ବିଚାର ଯୋଗ୍ୟ ନୁହେଁ।

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମାଲାରେ ଆସନ୍ତା ମାର୍ଚ୍ଚ ୩ ତାରିଖରେ ଦୋଷୀମାନଙ୍କୁ ସମୁହ ଫାଶୀ ଦେବା ଲାଗି କୋର୍ଟ ଡେଥ ୱାରେଣ୍ଟ ଜାରି କରିବା ପରେ ବିଚଳିତ ହୋଇଯାଇଛନ୍ତି ୪ ଦୋଷୀ। ଫାଶୀରୁ ବର୍ତ୍ତିବା ଲାଗି ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି ଦୋଷୀମାନେ। ଫାଶୀକୁ ପୁଣି ବିଳମ୍ବିତ କରିବା ଉଦ୍ଦେଶ୍ୟରେ ବିନୟ ପକ୍ଷରୁ ଗତ ଗୁରୁବାର ନିର୍ବାଚନ ଆୟୋଗଙ୍କ ପାଖରେ ପିଟିଶନ ଦାଖଲ କରାଯାଇଛି। ଏଥିରେ ସେ ଦର୍ଶାଇଛନ୍ତି ଯେ, ଯେତେବେଳେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ରାଷ୍ଟ୍ରପତିଙ୍କ ନିକଟକୁ ବିନୟର ରାଜକ୍ଷମା ଆବେଦନ ଖାରଜ କରିବାକୁ ସୁପାରିସ କରିଥିଲେ, ସେତେବେଳେ ସେ ମନ୍ତ୍ରୀ ପଦରେ ନ ଥିଲେ କି ବିଧାୟକ ବି ନ ଥିଲେ। ଜୈନ ଜାନୁୟାରୀ ୨୯ରେ ଏହି ଆବେଦନ ରାଷ୍ଟ୍ରପତିଙ୍କୁ ପଠାଇଥିଲେ। ସେତେବେଳେ ଦିଲ୍ଲୀରେ ଆଚରଣ ବିଧି ଲାଗୁ ହୋଇସାରିଥିଲା ବୋଲି ନିର୍ବାଚନ ଆୟୋଗଙ୍କ ପାଖରେ ଏକ ପିଟିଶନ ଦାଖଲ କରିଥିଲା ବିନୟ।

Comments are closed.