ନିରବଙ୍କ ବିରୋଧରେ ରେଡ କର୍ଣ୍ଣର ନୋଟିସ୍‌ ଜାରି

0

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନ୍‌ବି) ରେ ସଂଗଠିତ ବହୁ କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାର ମାଷ୍ଟରମାଇଣ୍ଡ୍‌ ତଥା ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ବିରୋଧରେ ଇଣ୍ଟରପୋଲ୍‌ ରେଡ୍‌ କର୍ଣ୍ଣର ନୋଟିସ୍‌ (ଆର୍‌ସିଏନ୍‌) ଜାରି କରିଛି। ସିବିଆଇର ଅନୁରୋଧ କ୍ରମେ ନିରବ, ତାଙ୍କ ଭାଇ ନିଶାଲ ଏବଂ କର୍ମଚାରୀ ସୁବାସ ପରବଙ୍କ ବିରୋଧରେ ମଧ୍ୟ ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି ହୋଇଛି।
ପିଏନ୍‌ବିରେ ସଂଗଠିତ ୨ ବିଲିୟନ୍‌ରୁ ଅଧିକ ଡଲାରର ମହାଠକେଇ ଘଟଣାର ତଦନ୍ତ ଅନୁକ୍ରମେ ଏହି ନୋଟିସ୍‌ ଜାରି କରାଯାଇଛି। ଜୁନ୍‌ ୨୯ରୁ ନିରବଙ୍କ ବିରୋଧରେ ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି କରାଯାଇଥିଲେ ସୁଦ୍ଧା ଆଜି ସେ ସମ୍ପର୍କରେ ସର୍ବସାଧାରଣରେ ଅନ୍ତର୍ଜାତୀୟ ପୁଲିସ ସହଯୋଗ ଏଜେନ୍ସି ପକ୍ଷରୁ ପ୍ରକାଶ କରାଯାଇଛି। ମୁମ୍ବଇର ଏକ ସ୍ୱତନ୍ତ୍ର କୋର୍ଟଙ୍କ ନିକଟରେ ସିବିଆଇ ପକ୍ଷରୁ ଦାଖଲ କରାଯାଇଥିବା ଅଭିଯୋଗ ପତ୍ରକୁ ଆଧାର କରି ଏହି ନୋଟିସ୍‌ ଜାରି କରାଯାଇଛି। ସ୍ୱତନ୍ତ୍ର ବିଚାରପତି ଜେ.ସି. ଜଗଦଲେଙ୍କ ପକ୍ଷରୁ ନିରବଙ୍କୁ ଗିରଫ କରିବା ପାଇଁ ଗିରଫ ପରୱାନା ଜାରି କରାଯାଇଥିଲା।
ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି ପରେ ଯଦି ସମ୍ପୃକ୍ତ ବ୍ୟକ୍ତିଙ୍କୁ କେଉଁଠାରେ ସନ୍ଧାନ ମିଳେ ତେବେ ତୁରନ୍ତ ଗିରଫ କରିବା କିମ୍ବା ଅଟକ ରଖିବାକୁ ଇଣ୍ଟରପୋଲ୍‌ ଏହାର୧୯୨ ସଦସ୍ୟ ରାଷ୍ଟ୍ରଙ୍କୁ ନିର୍ଦେଶ ଦେଇଛି। ସିବିଆଇ ଏଫ୍‌ଆଇଆର୍‌ରେ ନିରବଙ୍କ ପତ୍ନୀ ଆମି ମୋଦି, ଭାଇ ନିଶାଲ ଏବଂ ମାମୁ ମେହୁଲ ଚୋକ୍‌ସିଙ୍କ ନାମ ରହିଛି। ପିଏନ୍‌ବି ମହାଠକେଇ ମାମଲାର ଏହି ସମସ୍ତ ଅଭିଯୁକ୍ତ ଚଳିତବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ଦେଶଛାଡି ଚାଲିଯାଇଥିଲେ।

Leave A Reply