ନିରବ ଠକେଇ ମାମଲା ; ଆର୍‌ବିଆଇକୁ ଦାୟୀ କଲା ପିଏନ୍‌ବି

0

ନୂଆଦିଲ୍ଲୀ : ହୀରା ବ୍ୟବସାୟୀ ନିରବ ମୋଦିଙ୍କ ଠକେଇ ମାମଲାରେ ଅର୍ଥ ମନ୍ତ୍ରଣାଳୟକୁ ଦିଆଯାଇଥିବା ରିପୋର୍ଟରେ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ପିଏନ୍‌ବି ଦାୟୀ କରିଛି। ଆର୍‌ବିଆଇ ସହିତ ଅଡିଟ୍‌ ଏବଂ ନିୟନ୍ତ୍ରକ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅବହେଳା କରାଯାଇଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଆର୍‌ବିଆଇ ପକ୍ଷରୁ ଗତ ୯ ବର୍ଷ ହେବ ଏହି ବ୍ୟାଙ୍କରେ ଅଡିଟ୍‌ କରାଯାଇ ନ ଥିବାରୁ ନିରବ ଏବଂ ତାଙ୍କ ମାମୁଁଙ୍କ ନାମରେ ଥିବା କମ୍ପାନୀଗୁଡିକ ଦ୍ୱାରା ୧୧,୫୦୦ କୋଟି ଟଙ୍କାର ଠକେଇ ଧରାପଡି ନ ଥିଲା। ବ୍ୟାଙ୍କଗୁଡିକରେ ପ୍ରତିବର୍ଷ ଆର୍‌ବିଆଇ ପକ୍ଷରୁ ଅଡିଟ୍‌ ହେବାର ନିୟମ ରହିଥିବା ବେଳେ ସଂସ୍ଥା ୨୦୦୯ ମାର୍ଚ୍ଚ ୩୧ରେ ପିଏନ୍‌ବିରେ ଶେଷଥର ଲାଗି ଅଡିଟ କରିଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି।ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ସେବା ବିଭାଗ, ମୁଖ୍ୟ ଭିଜିଲାନ୍ସ କମିଶନର ଏବଂ ଅନ୍ୟାନ୍ୟ ସଂସ୍ଥା ପକ୍ଷରୁ ଉଠାଯାଇଥିବା କିଛି ପ୍ରଶ୍ନର ଉତ୍ତର ପ୍ରଦାନ ପୂର୍ବକ ପିଏନ୍‌ବି ଏହି ରିପୋର୍ଟ ହସ୍ତାନ୍ତର କରିଛି। ଏଥିରେ ଆହୁରି କୁହାଯାଇଛି ଯେ, ବ୍ୟାଙ୍କ ଅଧିକାରୀ ଗୋକୁଳନାଥ ସେଟ୍ଟି ବ୍ରାଡି ହାଉସ୍‌ ଶାଖାରେ ୨୦୧୦ରେ ନିଯୁକ୍ତି ପାଇଥିଲେ। ୨୦୧୩ରେ ସେଠାରେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ପରେ ୨୦୧୩ ମଧ୍ୟଭାଗ ଏବଂ ୨୦୧୫ରେ ଦୁଇଥର ବୃଦ୍ଧି ହୋଇଥିଲା। ଗତବର୍ଷ ଅବସର ଗ୍ରହଣ କରିବା ପର୍ଯ୍ୟନ୍ତ ସେ ଦିନଟିଏ ମଧ୍ୟ ଛୁଟି ନେଇ ନ ଥିଲେ। ସ୍ୱିଫ୍ଟ କାରବାର ବ୍ୟବସ୍ଥା ପାଇଁ ବ୍ୟାଙ୍କ ପକ୍ଷରୁ ନୂତନ ନମ୍ବର ବ୍ୟବହାର ପରିବର୍ତ୍ତେ ୭ ବର୍ଷ ଧରି ସମାନ ନମ୍ବର ପ୍ରଚଳିତ ଥିଲା। ନିରବ ଏବଂ ମେହୁଲଙ୍କ କମ୍ପାନୀକୁ ଲେଟର ଅଫ୍‌ ଅଣ୍ଡରଟେକିଂ (ଏଲ୍‌ଓୟୁ) ଜାରି କରିବା ଲାଗି ଏହି ନମ୍ବର ବ୍ୟବହାର ହୋଇଥିଲା। ସମଗ୍ର ଦେଶରେ ପିଏନ୍‌ବିର ୨୦୦ ଶାଖା ରହିଥିବା ବେଳେ ଗୋଟିଏ ମାତ୍ର କାର୍ଯ୍ୟାଳୟରେ ଠକେଇ ହୋଇଥିବା ଦର୍ଶାଯାଇଛି। ବ୍ୟାଙ୍କ ଏହାର ସଫ୍ଟୱେର୍‌ ଅପ୍‌ଗ୍ରେଡ୍‌ କରୁଥିବାରୁ ଏହାର ସ୍ୱିଫ୍ଟ ଏବଂ ସିବିଏସ୍‌ ବ୍ୟବସ୍ଥାକୁ ବହୁ ବର୍ଷ ହେବ ସଂଯୋଗ କରାଯାଇ ନ ଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Leave A Reply