ଓଡ଼ିଶା ବଜେଟ ୨୦୨୦-୨୧ ଏକ ପ୍ରତାରଣାପୂର୍ଣ୍ଣ ବଜେଟ : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ୨୦୨୦-୨୧ ବଜେଟ ଏକ ପ୍ରତାରଣାପୂର୍ଣ୍ଣ ବଜେଟ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟ ସରକାର କିଭଳି ଦେବାଳିଆ ଆଡକୁ ଗଲାଣି ତାହା ବଜେଟରୁ ସ୍ପଷ୍ଟ ପ୍ରମାଣିତ ହେଉଛି। ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ନବୀନ ବାବୁ ଏଥର କୃଷି ବଜେଟରୁ ୧୩୦୦କୋଟି ଟଙ୍କା କାଟି ତାଙ୍କର ଚାଷୀ ମାରଣ ନୀତିକୁ ସ୍ପଷ୍ଟ କରିଛନ୍ତି।
ସେହିପରି ରାଜ୍ୟରେ ଋଣଭାର ଦିନକୁ ଦିନ ବଢ଼ି ଚାଲିଛି। ଜନ୍ମ ହେଲା ଶିଶୁ ମୁଣ୍ଡରେ ଏବେ ୧୮ହଜାର ଟଙ୍କାର ବୋଝ ଥିବାବେଳେ ଆଗାମୀ ବର୍ଷ ସରକାର ପୁଣି ୨୫ହଜାର କୋଟି ଋଣ କରିବାକୁ ବାହାରିଛନ୍ତି। ସେହିପରି ରାଜ୍ୟର ଅଭିବୃଦ୍ଧି ଏବେ ତଳକୁ ତଳକୁ ଯାଉଛି। ବିଗତ ବର୍ଷ ତୁଳନାରେ ରାଜ୍ୟର ଅଭିବୃଦ୍ଧି ହାର ୮ପ୍ରତିଶତକୁ ଖସିଥିବାବେଳେ ଆସନ୍ତା ବର୍ଷ ଏହା ୭ପ୍ରତିଶତରେ ରହିବ ବୋଲି ବଜେଟରୁ ଜଣାଯାଇଛି। ମହିଳା ଓ ଯୁବବର୍ଗଙ୍କ ପାଇଁ ଗୋଟିଏ ବି ନୂଆ ଯୋଜନା ନଥିବାବେଳେ ବେକାରୀ ସମସ୍ୟା ଉତ୍କଟ ହେବ ବୋଲି ବଜେଟରୁ ଜଳଜଳ ଦିଶୁଛି।

Comments are closed.