ବିଜେପି, ବିଜେଡ଼ି ସ୍ୱଚ୍ଛତାର ପରୀକ୍ଷା ଦିଅନ୍ତୁ : ନିରଞ୍ଜନ

ପି.ଏ.ସି ଦ୍ୱାରା ପି.ଏମ. କେୟାର ପାଣ୍ଠି ସମୀକ୍ଷା ପ୍ରସଙ୍ଗ

ଭୁବନେଶ୍ୱର : କୋଭିଡ-୧୯ ମୁକାବିଲା ପାଇଁ ପି.ଏମ. କେୟାର ପାଣ୍ଠିର ସମୀକ୍ଷା ପାଇଁ ସଂସଦର ପବ୍ଲିକ ଆକାଉଣ୍ଟସ କମିଟି (ପି.ଏ.ସି.) ପ୍ରୟାସକୁ ବିଜେପି ଅଟକାଇବାରେ ସଫଳ ହୋଇଛି । ତାହା ଯେତିକି ଆଶ୍ଚର୍ଯ୍ୟ ଜନକ ଘଟଣା ନୁହେଁ, ତାହାଠାରୁ ଅଧିକ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ସ୍ୱଚ୍ଛ ଶାସନର ଡେଙ୍ଗୁରା ପିଟୁଥିବା ବିଜୁ ଜନତା ଦଳର ପ୍ରତିନିଧି ପି.ଏମ. କେୟାର ପାଣ୍ଠିକୁ ପିଏସି ଦ୍ୱାରା ସମୀକ୍ଷା କରିବା ପ୍ରସ୍ତାବକୁ ବିରୋଧ କରିବା ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଆଜି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଆଗରୁ ବାରମ୍ବାର ବିଜେପି ଓ ବିଜେଡ଼ିର ଏହି ସମ୍ପର୍କକୁ କଂଗ୍ରେସ ସାଧାରଣ ଲୋକଲୋଚନକୁ ଆଣିଥିବା ସ୍ଥଳେ ଏବେ ପୁଣି ବିଜେପି ବିଜେଡ଼ି ସମ୍ପର୍କ ଯେ ରାଜ୍ୟରେ କଳି ଏବଂ ଦିଲ୍ଲୀରେ କୋଳା କୋଳି ବୋଲି ପୁଣିଥରେ ପ୍ରମାଣିତ କରିଛି। ପି.ଏମ. କେୟାର ପାଣ୍ଠି ନେଣ ଦେଣକୁ ସମୀକ୍ଷା ନକରିବା କୋଉ ଜନସ୍ୱାର୍ଥ ସମ୍ବଳିତ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ଯାହା ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ବିଜେଡ଼ି ଏହି ପ୍ରସଙ୍ଗରେ ବିଜେପି ସହିତ ମିଶି ପି.ଏମ. କେୟାର ପାଣ୍ଠିର ପ୍ଲବିକ୍ ଆକାଉଣ୍ଟସ କମିଟି (ପିଏସି) ଦ୍ୱାରା ସମୀକ୍ଷାକୁ ବିରୋଧ କରିଛି । ଏବଂ ପବ୍ଲିକ ଆକାଉଣ୍ଟସ କମିଟି (ପିଏସି)ରେ ଥିବା ବିଜୁ ଜନତା ଦଳର ସାଂସଦ ପିଏସିର ଅଧ୍ୟକ୍ଷ କଂଗ୍ରେସର ସାଂସଦ ସୁଧିର ରଞ୍ଜନ ଚୌଧୁରୀ ପି.ଏମ. କେୟାର ପାଣ୍ଠିକୁ ପିଏସି ଦ୍ୱାରା ସମୀକ୍ଷା କରିବା ପାଇଁ ଆଣିଥିବା ପ୍ରସ୍ତାବକୁ ସିଧାସଳଖ ଭାବେ ବିରୋଧ କରିଥିଲେ । ଶୁଣାଯାଏ ଚିନ୍ ଦେଶର ବହୁ କମ୍ପାନୀ ପି.ଏମ. କେୟାର ପାଣ୍ଠିକୁ ମୋଟା ଧରଣର ଚାନ୍ଦା ଦେଇଛନ୍ତି । ପି.ଏମ. କେୟାର ଫଣ୍ଡ ଜନସାଧାରଣଙ୍କ ଟଙ୍କା, ଏହା କେଉଁଠାରୁ ଆସିଲା କିପରି ଖର୍ଚ୍ଚହେଲା ଏବଂ କେଉଁ ଭୟରେ ବିଜେଡି ଓ ବିଜେପି ଏହାକୁ ବିରୋଧ କରୁଛନ୍ତି ତାହା ଜନସାଧାରଣଙ୍କ ଜାଣିବାର ଅଧିକାର ଅଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ରାଜ୍ୟରେ ବିଜେଡ଼ି ସରକାର କେବଳ ସ୍ୱଚ୍ଛତାର ନାରା ଦେଉଛି ଏବଂ ଜନସ୍ୱାର୍ଥର ଦ୍ୱାହି ଦେଇ ରାଜ୍ୟବାସୀଙ୍କ ସହ ଛଳନା କରିଚାଲିଛି । ୫ଟି ନାରା ଦେଉଥିବା ବିଜେଡ଼ି ସରକାର କଣ ପାଇଁ ଏଭଳି ଜନସ୍ୱାର୍ଥ ପ୍ରସଙ୍ଗ ଅର୍ଥାତ ପି.ଏମ. କେୟାର ପାଣ୍ଠିକୁ ପିଏସି ଦ୍ୱାରା ସମୀକ୍ଷା ପ୍ରସ୍ତାବକୁ ବିରୋଧ କଲା ତାର ଉତର ବିଜୁ ଜନତାଦଳ ଏବଂ ବିଜେପି ଓଡ଼ିଶା ବାସୀଙ୍କୁ ଅବଗତ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Comments are closed.