ମାତିଲେ ବାଲି ମାଫିଆ ; ନୀଳଗିରି ଉପଜିଲାପାଳ ଓ ତହସିଲଦାରଙ୍କୁ ସଂଘବଦ୍ଧ ଆକ୍ରମଣ!

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ କାଠପାଳ ଓ ପୁନ୍ଦାଳ ଅଞ୍ଚଳରେ ଅହରହ ଚୋରାରେ ବାଲିଚାଲାଣ ହେଉଥିବା ଯୋଗୁ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ହାନୀ ଘଟିଛି। ଏହି ବେଆଇନ କାରବାରକୁ ରୋକିବା ଉଦେଶ୍ୟରେ ପୁଲିସ ଫୋର୍ସ ନେଇ ଚଢ଼ଉରେ ଯାଇ ନୀଳଗିରି ଉପଜିଲାପାଳ ଓ ତହସିଲଦାରଙ୍କୁ ବାଲିମାଫିଆମାନେ ସଂଘବଦ୍ଧ ଆକ୍ରମଣ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ହଟଚମଟ ସୃଷ୍ଟି କରିଛି।

ନୀଳଗିରି ଥାନା ରାଧାକିଶୋରପୁର ପଞ୍ଚାୟତ ଅଧୀନ ପୁନ୍ଦାଳ ଗାଁରେ ଚାଲିଥିବା ବେଆଇନ ବାଲି ଉତ୍ତୋଳନକୁ ରୋକିବା ପାଇଁ ବୁଧବାର ରାତିରେ ନୀଳଗିରି ଉପଜିଲାପାଳ ହରିଶ ଚନ୍ଦ୍ର ଜେନା ଓ ତହସିଲଦାର ଅଶେଷ ନାୟକ ପୁଲିସ ଫୋର୍ସ ଧରି ସେଠାରେ ପହଞ୍ଚିଥିଲେ। ଉକ୍ତ ଚୋରା ବାଲି ଖାଦାନରୁ ଦୁଇଟି ଡମ୍ପର, ଗୋଟିଏ ଲୋଡର ଓ ଗୋଟିଏ ଟିପର ଜବତ କରିଥିଲେ। ଚଢ଼ଉ ଦେଖି ମାଫିଆଗୋଷ୍ଠୀ ଦୌଡ଼ି ପଳାଇଥିଲେ ହେଁ କିଛି ସମୟ ପରେ ୬୦ରୁ ଊର୍ଦ୍ଧ୍ବ ବାଲିମାଫିଆ ଓ ସେମାନଙ୍କ ସମର୍ଥକମାନେ ସଂଘବଦ୍ଧଭାବେ ଉପଜିଲାପାଳ, ତହସିଲଦାର ଓ ପୁଲିସକୁ ଟେକା ପଥର ମାରି ଆକ୍ରମଣ କରିଥିଲେ। ସଂଘବଦ୍ଧ ଆକ୍ରମଣ ଦେଖି ଅଧିକାରୀମାନେ ଗାଡ଼ି ଭିତରେ ବସି ଯିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେହିପରି ଜବତ ହୋଇଥିବା ୨ଟି ଡମ୍ପରକୁ ମାଫିଆଗୋଷ୍ଠୀ ଛଡ଼ାଇ ନେଇଥିବା ସୂଚନା ମିଳିଛି। କେବଳ ଲୋଡର ଓ ଟିପରଟିକୁ ଜବତ କରାଯାଇ ଥାନାକୁ ଅଣାଯାଇଛି। ପ୍ରଶାସନିକ ଅଧିକାରୀମାନେ ଫେରୁଥିବା ରାସ୍ତାରେ ମଧ୍ୟ ସେମାନଙ୍କୁ ଆକ୍ରମଣ କରାଯାଇଥିଲା। ଖବରପାଇ ନୀଳଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବା ସୂଚନା ମିଳିଛି। ଖବର ଲେଖାହେବା ବେଳେକୁ ଏହି ସଂଘବଦ୍ଧ ଆକ୍ରମଣକୁ କେନ୍ଦ୍ରକରି ପୁନ୍ଦାଳ ଗାଁରେ ଉତ୍ତେଜନା ଲାଗି ରହିଛି।

Comments are closed.