ନୀଳଗିରି ବିଧାୟକ-ତହସିଲଦାର ମୁହାଁମୁହିଁ

ନୀଳଗିରି : ନୀଳଗିରି ତହସିଲ ପରିସରରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ତହସିଲଦାରଙ୍କ ଉପସ୍ଥିତିରେ ଉଚ୍ଛେଦ ଚାଲିଥିବାବେଳେ ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ ପ୍ରତିବାଦ ଜଣାଇବାରୁ ଉଭୟ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଥିଲା। ପରେ ତହସିଲଦାର ତାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ବିଧାୟକ ଉପଜିଲାପାଳଙ୍କ ଆଗରେ ଅନଶନରେ ବସିଛନ୍ତି। ଏହି ଘଟଣା ପରେ ତହସିଲଦାର ଅଫିସରେ ଥିବା ଅବସ୍ଥାରେ ଉତ୍ତ୍ୟକ୍ତ ଲୋକେ ତାଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଦେବା ଯୋଗୁ ସକାଳ ୯ଟାରୁ ଅପରାହ୍ଣ ପ୍ରାୟ ସାଢ଼େ ୪ଟା ପର୍ଯ୍ୟନ୍ତ ସେ ଅଫିସ ଭିତରେ ରହିବାକୁ ବାଧ୍ୟ ହୋଇଥିଲେ। ତେବେ ଏହି ଘଟଣାକୁ ନେଇ ନୀଳଗିରି ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଛି।
ବାଲେଶ୍ବର ଜିଲା ନୀଳଗିରି ତହସିଲ ପରିସରରେ ମୋହରିର ସଂଘ ଚାଳିଆ କରି ଲୋକଙ୍କ କାମ କରିଆସୁଥିଲେ। ଆଜି ତହସିଲଦାର ସୁଶ୍ରୀତା ଟୁଡୁ ଉକ୍ତ ଚାଳିଆକୁ ଉଚ୍ଛେଦ କରିବା ପାଇଁ ୩ ଦିନ ପୂର୍ବରୁ ଜେସିବି ଆଣିଥିଲେ। ମାତ୍ର ଜିଲା ପ୍ରଶାସନ ପକ୍ଷରୁ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇ ପ୍ରଥମେ ୭ ଦିନିଆ ନୋଟିସ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ତହସିଲଦାର ସେପ୍ଟେମ୍ବର ୩୦ ତାରିଖରେ ନୋଟିସ ଜାରି କରିଥିଲେ। ଏହା ଭିତରେ ମୋହରିରମାନଙ୍କୁ କିପରି ଥଇଥାନ କରାଯାଇ ପାରିବ ସେଥିପାଇଁ ପ୍ରଶାସନ ଓ ରାଜନେତାଙ୍କୁ ନେଇ ଏକ ଜରୁରୀ ବୈଠକ ବସିବା ନିଷ୍ପତି ହୋଇଥିଲା। ମାତ୍ର ନୋଟିସ ଦେବାର ମାତ୍ର ୪ ଦିନ ନପୂରୁଣୁ ଆଜି ସକାଳେ ପୁଲିସକୁ ଖବର ନଦେଇ ମୋହରିରଙ୍କ ଚାଳିଆ ଭାଙ୍ଗି ଦେଇଥିଲେ। ଖବର ପାଇ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି ଚାଳିଆ ନ ଭାଙ୍ଗିବା ପାଇଁ ତହସିଲଦାରଙ୍କୁ କହିଥିଲେ। ୭ ଦିନ ଭିତରେ ଏକ ବୈଠକ ହେବାକୁ ଥିବାବେଳେ ଏହା ଭିତରେ କଣ ପାଇଁ ଚାଳିଆକୁ ଭାଙ୍ଗିଦେଲେ ବୋଲି ପଚାରିବା ପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ବିଧାୟକଙ୍କ ସମେତ ବିଭିନ୍ନ ଦଳର ନେତୃବୃନ୍ଦ, ବରିଷ୍ଠ ନାଗରିକ, ଆଇନଜୀବୀ, ମୋହରିରମାନେ ଏକତ୍ରିତ ହୋଇ ଉପଜିଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିବାବେଳେ ବିଧାୟକ ଅନଶନ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରେ ଏସଡିପିଓ ସୁଦାମ ଚରଣ ସାହୁ, ଆଇଆଇସି ନଳିତା ମୋଦୀ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଛନ୍ତି। ଅନଶନରେ ବସିଥିବା ବିଧାୟକ ସୁକାନ୍ତ ନାୟକ ତୁରନ୍ତ ତହସିଲଦାଙ୍କ ବଦଳି ସହ ମୋହରିରଙ୍କ ଚାଳିଆ ମରାମତି ଦାବି କରିଛନ୍ତି।
ପରିସ୍ଥିତ ଉତ୍ତେଜନାପୂର୍ଣ୍ଣ ଥିବାରୁ ଜିଲାପାଳଙ୍କ ନିର୍ଦ୍ଦେଶରେ ବାଲେଶ୍ବର ଉପଜିଲାପାଳ ନୀଲୁ ମହାପାତ୍ର, ନୀଳଗିରି ଉପଜିଲାପାଳ ହରିଶ ଜେନା, ପିଏ ଆଇଟିଡିଏ ବୀରକିଶୋର ପାଣିଗ୍ରାହୀ ପ୍ରମୁଖ ଅନଶନ ସ୍ଥଳରେ ପହଞ୍ଚି ବିଧାୟକଙ୍କ ସହ ଆଲୋଚନା କରିଥିଲେ ସୁଦ୍ଧା କୌଣସି ସମାଧାନର ପନ୍ଥା ବାହାରି ନାହିଁ। ଅପରାହ୍ଣରେ ପୁଲିସ ସହାୟତାରେ ନୀଳଗିରି ତହସିଲଦାରଙ୍କୁ ପଛ କବାଟ ଦେଇ ଉଦ୍ଧାର କରାଯାଇଛି।

Comments are closed.