ପ୍ରାକ୍‍ ନିର୍ବଚନୀ ହିଂସା; ମୋବାଇଲରେ ଧମକ ଦେବା ପଡ଼ିଲା ମହଙ୍ଗା, ୨ ଗିରଫ

ନୀଳଗିରି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳୀୟ ପ୍ରଚାରକୁ ବାରଣ କରି ଫୋନରେ ଧମକ ଦେବା ତଥା ଗାଡ଼ି ଭଙ୍ଗାରୁଜା କରାଇବା ଘଟଣାରେ ନୀଳଗିରି ଥାନାରେ ୯ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ଆଜି ୨ଜଣଙ୍କୁ ପୁଲିସ ଗିରଫ କରିଛି। ନୀଳଗିରି ଥାନା ଅଧୀନ ସଂଗ୍ରାମପୁର ନିକଟ ବେଲାଗଡ଼ିଆ ଛକରେ ଭେରାଇଟି ଷ୍ଟୋର କରିଥିବା ପଦ୍ମଲୋଚନ ବେହେରା (୩୩)ଙ୍କୁ ଲୁଠୁ ଓରଫ ଚିତ୍ତରଞ୍ଜନ ରାଉତ ମୋବାଇଲରେ ଅଶ୍ଳୀଳ ଗାଳିଗୁଲଜ ସହ ପ୍ରଚାର ନକରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଧମକପୂର୍ଣ୍ଣ ମନ୍ତବ୍ୟ ସମ୍ପର୍କରେ ଏକ ଅଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ସେପଟେ ଏକ ଦୋକାନ ପୋଡ଼ିଦେବା ଉଦେଶ୍ୟରେ ପେଟ୍ରୋଲ ଢ଼ାଳି ଦେବା ଏବଂ ଗାଡ଼ି କାଚଭାଙ୍ଗି ଦେଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି।

 

ଏହି ପ୍ରାକ୍‍ ନିର୍ବାଚନୀ ହିଂସାରେ ଚିତ୍ତରଞ୍ଜନଙ୍କ ସମେତ ଶରତ ବାରିକ, ବନା ଦାସ, ରାକେଶ ଖୁଣ୍ଟିଆ, ସୁଶାନ୍ତ ମହାଳିକ, ବାପୁନୁ ଖମାରୀ, ଜୀବନ ଖମାରୀ, ମୂଳ ଖମାରୀ, କିରଣ ମହାଳିକ ପ୍ରମୁଖ ମୋଟ ୯ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବା ପୁଲିସ ସୂଚନା ଦେଇଛି। ଉକ୍ତ ଘଟଣାରେ ପୁଲିସ ପକ୍ଷରୁ ତଦନ୍ତ କରାଯାଇ ଚିତ୍ତରଞ୍ଜନ ଏବଂ ତାଙ୍କ ସହଯୋଗୀ ସୁଶାନ୍ତ ମହାଳିକଙ୍କୁ ଗିରଫ କରାଯାଇଥିବା ସୂଚନାଦିଆଯାଇଛି। ସେପଟେ ଚିତ୍ତରଞ୍ଜନ ଏବଂ ସେମାନଙ୍କ ସମର୍ଥକଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ଏଭଳି କାରନାମାକୁ ସ୍ଥାନୀୟ ଅଞ୍ଚଳରେ ଦୃଢ଼ ନିନ୍ଦା କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଛନ୍ତି।

Comments are closed.