ମୁଣ୍ଡରେ ଡାଳପଡି ଯୁବକଙ୍କ ମୃତ୍ୟୁ ଘଟଣା; ନୀଳଗିରିରେ ମୃତଦେହ ରଖି ରାସ୍ତାରୋକ

ନୀଳଗିରି: ବାଲେଶ୍ୱର ଜିଲ୍ଲା ଅଧୀନ ନୀଳଗିରି ବସଷ୍ଟାଣ୍ଡ ନିକଟରେ ଜଣେ ଯୁବକଙ୍କ ମୃତଦେହ ରଖି ରାସ୍ତାରୋକ କରାଯାଇଛି। ସହର ଭିତରେ ରାସ୍ତା ପ୍ରଶସ୍ତିକରଣ ପାଇଁ ଗତ ମାର୍ଚ୍ଚ ୩ ତାରିଖରେ ବନ ବିଭାଗ ତତ୍ୱାବଧାନରେ କୌଣସି ନିରାପତ୍ତା ବ୍ୟବସ୍ଥା କରାନଯାଇ ଉପଜିଲାପାଳ କାର୍ଯ୍ୟାଳୟ ସାମ୍ନାରେ ଗଛ କଟା ଚାଲିଥିବା ସମୟରେ ଡାଳ ପଡି ଜଣେ ଯୁବକ ଗୁରୁତର ହୋଇଥିଲେ । ବରିସାହି ଅଞ୍ଚଳର ହରିହର ପୋଇ(୨୧) ନାମକ ଯୁବକ ଗୁରୁତର ହୋଇ ପ୍ରଥମେ ନୀଳଗିରି, ବାଲେଶ୍ୱର, ଭୁବନେଶ୍ଵର ଓ ପରେ କଟକ ମେଡିକାଲରେ ଚିକିତ୍ସାଧୀନ ଥିଲେ। ସୋମବାର ତାଙ୍କର ମୃତ୍ୟୁ ଘଟିଛି ।  କ୍ଷତିପୂରଣ ଦାବିରେ ଆଜି ସକାଳ ଠାରୁ ମୃତଦେହ ରଖି ସେରଗଡ଼-ଉଦଳା ରାସ୍ତାର ନୀଳଗିରି ବସଷ୍ଟାଣ୍ଡ ନିକଟରେ ରାସ୍ତା ଅବରୋଧ କରାଯାଇଛି । ତେବେ ରାସ୍ତା ଅବରୋଧ ନିକଟରେ ନୀଳଗିରି ଉପ -ଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିଥିଲେ ହେଁ କୌଣସି ସମାଧାନର ବାଟ ବାହାରିପାରିନି ।

Comments are closed.