ଚଳନ୍ତା ବସରୁ ଖସିପଡ଼ି ନୀଳଗିରି ବ୍ଲକ କର୍ମଚାରୀଙ୍କ ମୃତ୍ୟୁ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ମିରିଗିଣି ଅଞ୍ଚଳର ତଥା ସ୍ଥାନୀୟ ବ୍ଲକ କର୍ମଚାରୀ ଭୀମ ଓରଫ ରମେଶ ରଞ୍ଜନ ବେହେରା (୩୮) କକାଶୁରଙ୍କ ଅସ୍ଥି ବିସର୍ଜନ କରିବାକୁ ସେହି ଗାଁର ଭଗ ବିଶ୍ୱାଳ (୬୨)ଙ୍କ ସହ ଏକ ଯାତ୍ରୀବାହୀ ବସରେ କଲକାତା ଯାଉଥିଲେ। ସେ ବସ ହେଲପର ପାଖରେ ଛିଡ଼ା ହୋଇଥିବା ସମୟରେ ପଶ୍ଚିମବଙ୍ଗ ବେଲଦା ନିକଟରେ ଉକ୍ତ ଚଳନ୍ତା ବସରୁ ଖସି ପଡ଼ିଥିଲେ। ମୁର୍ମୂଷ ଅବସ୍ଥାରେ ରାଜପଥରେ ସମ୍ପୃକ୍ତ କର୍ମଚାରୀ ପଡ଼ି ଛଟପଟ ହେଉଥିଲେ ହେଁ ବସ କର୍ମଚାରୀମାନେ ତାଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ଓଲଟା ତାଙ୍କ ସହ ଯାଇଥିବା ବୃଦ୍ଧଙ୍କୁ ସେଠାରୁ ଓହ୍ଲାଇ ଦେଇ ପଳାଇଥିଲେ। ସମ୍ପୃକ୍ତ ବୃଦ୍ଧ ଭୀମଙ୍କୁ ଏକ ଟ୍ରଲିରେ ବେଲଦା ଡାକ୍ତରଖାନାକୁ ନେଇଥିଲେ।

 

ରାତି ପ୍ରାୟ ଅଢ଼େଇଟା ସମୟରେ ଉକ୍ତ ଡାକ୍ତରଖାନାରେ କର୍ମଚାରୀଙ୍କୁ ଚିକିତ୍ସା କରିବା ବଦଳରେ ଏହି କର୍ମଚାରୀ ଓ ବୃଦ୍ଧଙ୍କୁ ଏକ କୋଠରୀରେ ପୂରାଇ ତାଲା ପକାଇ ଦେଇଥିବା ଅଭିଯୋଗ ହୋଇଛି। ସମ୍ପର୍କୀୟମାନେ ଖବରପାଇ ସେଠାରେ ପହଞ୍ଚି ରୁଦ୍ଧ କୋଠରୀ ଭିତରୁ ଉଭୟଙ୍କୁ ଉଦ୍ଧାର କରିଥିଲେ। ପରେ ବାଲେଶ୍ୱର ଓ କଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କଟକରେ ସିଟିସ୍କାନ କରିବାକୁ ଯାଉଥିବା ସମୟରେ ଭୀମଙ୍କ ମୃତ୍ୟୁ ହୋଇଯାଇଥିଲା। ଉକ୍ତ ଯାତ୍ରୀବାହୀ ବସ ଓ ବେଲଦା ଡାକ୍ତରଖାନା ପକ୍ଷରୁ ସାମାନ୍ୟତମ ମାନବିକତା ଦେଖାଇଥିଲେ ହୁଏତ ଆଜି ଏହି କର୍ମଚାରୀ ଜଣକ ବଞ୍ଚି ପାରିଥାନ୍ତେ ବୋଲି ମତପ୍ରକାଶ ପାଇଛି।

Comments are closed.