ଯୌତୁକ ଜୁଇରେ ନବବଧୂ ୧୫ଦିନ ମୃତ୍ୟୁ ସହ ସଂଗ୍ରାମ କରି ଚାଲିଗଲା ଜୀବନ; ସ୍ୱାମୀ ଗିରଫ

ନୀଳଗିରି: ଡାକ୍ତରଖାନାରେ ଦୀର୍ଘ ୧୫ଦିନ ମୃତ୍ୟୁ ସହ ସଂଗ୍ରାମ କରି ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଥାନା ଅଞ୍ଚଳର ଜଣେ ନବବଧୂର ଜୀବନ ଚାଲିଯାଇଛି। ଏହି ଘଟଣା ସମ୍ପ୍ରତି ବିଭିନ୍ନ ମହଲରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ବାଲେଶ୍ୱର ସଦର ଥାନା ଅଧୀନ ବାଙ୍ଗରା ଗାଁର ତ୍ରୈଲୋକ୍ୟ ପାତ୍ର ଓ ସଞ୍ଜୁକ୍ତା ପାତ୍ରଙ୍କ କନ୍ୟା ଗାୟତ୍ରୀ (୨୩)ଙ୍କୁ ଚଳିତବର୍ଷ ଫେବ୍ରୁୟାରୀ ୨୧ତାରିଖରେ ନୀଳଗିରି ଥାନା ସନ୍ତରାଗଡ଼ିଆ ଅଞ୍ଚଳର ପ୍ରେମାନନ୍ଦ ମହାନ୍ତିଙ୍କ ପୁଅ ପ୍ରତ୍ୟୁଷ (୨୮) ବୈଦୀକ ରୀତିରେ ବିବାହ କରିଥିଲେ। ବିବାହ ଉତ୍ସବ ସମୟରେ ବରପକ୍ଷଙ୍କ ଦାବି ମୁତାବକ କନ୍ୟାପକ୍ଷ ତରଫରୁ ସମସ୍ତ ଯୌତୁକ ଦିଆଯାଇଥିଲା। କିନ୍ତୁ ବିବାହର ମାତ୍ର ୧୫ଦିନ ପରେ ଅଧିକ ଯୌତୁକ ଆଣିବାକୁ ସ୍ୱାମୀ, ଶ୍ୱଶୁର, ଶାଶୂ ଓ ନଣନ୍ଦ ଅଡ଼ି ବସିଥିଲେ। କନ୍ୟାପକ୍ଷ ସ୍ୱଛଳ ନଥିବା ଯୋଗୁ ନବବଧୂଙ୍କ ଉପରେ ଅତ୍ୟାଚାର ଦ୍ୱିଗୁଣିତ ହୋଇଥିବା ଅଭିଯୋଗ ହୋଇଛି।

 

କିନ୍ତୁ ଗତ ୭ତାରିଖରେ ସ୍ୱାମୀ ସମେତ ଶ୍ୱଶୁର, ଶାଶୂ ଓ ନଣନ୍ଦ ତାଙ୍କୁ ଜୋର ଜବରଦସ୍ତ ତାଙ୍କୁ ବିଷ ପିଆଇ ଦେଇଥିବା ଅଭିଯୋଗ ହୋଇଛି। ନବବଧୂଙ୍କୁ ମୁର୍ମୂଷ ଅବସ୍ଥାରେ ପ୍ରଥମେ ନୀଳଗିରି, ପରେ ବାଲେଶ୍ୱର, କଟକ, ଭୁବନେଶ୍ୱର ପ୍ରଭୃତି ଅଞ୍ଚଳରେ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ୧୫ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶୁକ୍ରବାର ସକାଳେ ଗାୟତ୍ରୀଙ୍କ ମୃତ୍ୟୁ ଘଟିଛି। ଏନେଇ ନୀଳଗିରି ଥାନାରେ କନ୍ୟାପିତାଙ୍କ ଅଭିଯୋଗକ୍ରମେ ଏକ ଯୌତୁକଜନିତ ମାମଲା ରୁଜୁ କରାଯାଇଛି। ସେପଟେ ନୀଳଗିରି ଥାନା ଭାରପ୍ରାପ୍ତ ଅଧିକାରୀ ବାସୁଦେବ ଜୟସିଂ ଅଭିଯୁକ୍ତ ସ୍ୱାମୀ ପ୍ରତ୍ୟୁଷକୁ ଗିରଫ କରି ତଦନ୍ତ ଚଳାଇଥିବା ଦେଖିବାକୁ ମିଳିଛି। ଶବବ୍ୟବଛେଦ ତଥ୍ୟ ଆସିବା ପରେ ନବବଧୂଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

Comments are closed.