ସୁନାଗହଣା ଲୁଟି ନକଲି ଭିଏଲଡବ୍ଲ୍ୟୁ ଗିରଫ

ନୀଳଗିରି : ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଥାନା ଅଞ୍ଚଳରେ ଜଣେ ମହିଳାଙ୍କଠାରୁ ଅଭିନବ ଉପାୟରେ ସୁନାଗହଣା ଲୁଟିଥିବା ଜଣେ ନକଲି ଭିଏଲଡବ୍ଲ୍ୟୁକୁ ପୁଲିସ ଗିରଫ କରିଛି।
ସୂଚନା ଅନୁସାରେ, ନୀଳଗିରି ଥାନା ଅଧୀନ ବାଲିଗୋହିରୀ ଅଞ୍ଚଳର ନମିତା ବେହେରା (୩୦)ଙ୍କ ସ୍ୱାମୀ ବାହାରେ ଚାକିରି କରୁଥିବା ଏବଂ ସେ ଘରେ ଏକୁଟିଆ ରହୁଥିବା ସୁଯୋଗରେ ଦୁଇଜଣ ଦୁର୍ବୃତ୍ତ ନିଜକୁ ବ୍ଲକ କର୍ମଚାରୀ ବୋଲି ପରିଚୟ ଦେଇ ପହଞ୍ଚିଥିଲେ। ମହିଳାଙ୍କ ନାମରେ ସରକାର ଏକ ଇନ୍ଦିରା ଆବାସ ଯୋଗାଇ ଦେଇଛନ୍ତି ଏବଂ ଘରେ ଥିବା ସୁନାଗହଣାର ତଥ୍ୟ ଫଟୋ ସହ ଦରକାର ବୋଲି କହିଥିଲେ। ସମ୍ପୃକ୍ତା ମହିଳା ଘରେ ଥିବା ସୁନାଗହଣା ସବୁ କାଢ଼ି ସେମାନଙ୍କ ସମ୍ମୁଖରେ ଥୋଇ ଦେଇଥିଲେ ଏବଂ ସେମାନେ ଫଟୋ ମଧ୍ୟ ଉଠାଇଥିଲେ। କଥାଛଳରେ ଦୁର୍ବୃତ୍ତଦ୍ୱୟ ମହିଳାଙ୍କ ସମସ୍ତ ସୁନାଗହଣା ଝାମ୍ପି ଫେରାର ହୋଇ ଯାଇଥିଲେ। ଏ ସମ୍ପର୍କରେ ନୀଳଗିରି ଥାନାରେ ସେ ଦ୍ୱାରସ୍ଥ ହେବା ପରେ ଆଇଆଇସି ମିନତି ବିଶ୍ୱାଳଙ୍କ ନିର୍ଦେଶକ୍ରମେ ସବଇନ୍ସପେକ୍ଟର ଗଣେଶ ଚନ୍ଦ୍ର ତ୍ରିପାଠୀ ସମ୍ପୃକ୍ତ ନକଲି ଭିଏଲଡବ୍ଲ୍ୟୁକୁ ରେମୁଣା ଥାନା ଅଞ୍ଚଳରୁ ଗିରଫ କରିଛନ୍ତି। ଗିରଫ ହୋଇଥିବା ଦୁର୍ବୃତ୍ତ ଜଣକ ନୀଳଗିରି ଥାନା ଅଧୀନ ତୁଳସୀଡ଼ିହା ଗାଁର ମିଟୁ ସିଂ(୨୧) ବୋଲି ଜଣାପଡ଼ିଛି। ସମ୍ପ୍ରତି ସେ ରେମୁଣା ଥାନା ଅଧୀନ ଶ୍ୟାମରାଇପୁର ଅଞ୍ଚଳରେ ଘର କରି ରହୁଥିବା ଜଣାଯାଇଛି। ଅନ୍ୟପକ୍ଷରେ ଏହି ଘଟଣାର ଅନ୍ୟ ଜଣେ ସହଯୋଗୀକୁ ପୁଲିସ ପକ୍ଷରୁ ଖୋଜା ଚାଲିଥିବା ସୂଚନା ମିଳିଛି।

Comments are closed.