କୁଲଡିହା ଅଭୟାରଣ୍ୟରୁ ସଶସ୍ତ୍ର ଶିକାରୀ ଗିରଫ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟକୁ ପଶିଥିବା ଜଣେ ଶିକାରୀକୁ ସ୍ଥାନୀୟ ବନବିଭାଗ ଗିରଫ କରି ତା’ଠାରୁ ଏକ ଗୁଳିଭର୍ତ୍ତି ବନ୍ଧୁକ ଜବତ କରିଛି। ନୀଳଗିରି ପୁଲିସ ସର୍କଲର ବରହମପୁର ଥାନା କେସିପୁର ପଞ୍ଚାୟତ ଅଧୀନ ରାଉଦିଆ ଗାଁର ଶୁକୁରା ସିଂ (୨୫)ଙ୍କ ସମେତ ଆଉ ୪ଜଣ ସଶସ୍ତ୍ର ଶିକାରୀ ଅଭୟାରଣ୍ୟର ଜଡ଼ାଗଡ଼ି ଅଞ୍ଚଳରେ ଶିକାର କରିବାକୁ ଯାଇଥିଲେ। ଶିକାର ଉଦ୍ୟମ କରୁଥିବା ସମୟରେ ପାଶ୍ୱର୍ରେ ବନକର୍ମଚାରୀମାନେ ସେମାନଙ୍କୁ ଘେରି ଯିବାରୁ ୪ଜଣ ଶିକାରୀ ଫେରାର ହୋଇଯାଇଥିବା ବେଳେ ଶୁକୁରା ଧରା ପଡ଼ି ଯାଇଛି। ତା’ଠାରୁ ଗୋଟିଏ ଗୁଳିଭର୍ତ୍ତି ବନ୍ଧୁକ ଜବତ କରାଯାଇଛି। ଏନେଇ କୁଲଡିହା କାର୍ଯ୍ୟାଳୟରେ ଏକ ମାମଲା ରୁଜୁ କରାଯାଇଛି ବୋଲି ଭାରପ୍ରାପ୍ତ ରେଞ୍ଜର ମନୱାର ଖାଁ କହିଛନ୍ତି। ଉକ୍ତ ଚଢ଼ଉରେ ଫରେଷ୍ଟର ନରେଶ ସିଂ, ଗାର୍ଡ଼ ଅଞ୍ଜନ ଦାସଙ୍କ ସମେତ ସବୁଜବାହିନୀ କର୍ମଚାରୀମାନେ ସାମିଲ ଥିଲେ।

Comments are closed.