ନୀଳଗିରିରେ ଧଳା ଜହର : ୫କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ, ୨ଗିରଫ

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଥାନା ଅଞ୍ଚଳରେ ବହୁଳ ମାତ୍ରାରେ ଧଳା ଜହର ବା ବ୍ରାଉନସୁଗାର କାରବାର ହେଉଛି। ଏନେଇ ଯୁବପିଢ଼ି ପଥଭ୍ରଷ୍ଟ ହେବାରେ ଲାଗିଛନ୍ତି। ଏପରିକି ଏହି ନିଶା ଖାଇ ଯୁବକମାନେ କେଉଁଠି ଚୋରି କରୁଛନ୍ତି ତ ଆଉ କେଉଁଠି ଛିନତାଇ ଓ ଡକାୟତିରେ ସମ୍ପୃକ୍ତି ରହୁଛନ୍ତି। ତେବେ ନୀଳଗିରି ଥାନା ଅଞ୍ଚଳରେ ଏସଟିଏଫ ଟିମ ଚଢ଼ଉ କରି ମୋଟ ୫କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଅର୍ଥାତ ଅଢ଼େଇ କିଲୋରୁ ଉର୍ଦ୍ଧ୍ବ ଓଜନର ବ୍ରାଉନସୁଗାର ଜବତ କରିଥିବା ବେଳେ  ୨ଜଣ ବେପାରୀଙ୍କୁ ଗିରଫ କରିଛି।

ଭୁବନେଶ୍ୱରରୁ ଏସଟିଏଫ ଟିମ ନୀଳଗିରି ଥାନା ଅଞ୍ଚଳରେ ଚଢ଼ାଉ କରି ବେପାର ଉଦେଶ୍ୟରେ ରଖାଯାଇଥିବା ଅଢ଼େଇ କିଲୋ ବ୍ରାଉନସୁଗାରକୁ ଜବତ କରିଛି। ଏହି ବ୍ୟବସାୟରେ ସମ୍ପୃକ୍ତ ଥିବା ମିତ୍ରପୁର ଅଞ୍ଚଳର ରାଜୁ ଓରଫ ପ୍ରଦୀପ ଦାସ (୨୭) ଓ କଲ୍ୟାଣି ଗାଁର ଲକି ଓରଫ ସନ୍ଦୀପ ବେହେରା (୨୬)କୁ ଗିରଫ କରାଯାଇଛି। ଏହି ଚଢ଼ାଉରେ ଚିଣ୍ଟୁ ନାମକ ଯୁବକ ଖସିଯିବାରେ ସକ୍ଷମ ହୋଇଛି। ନୀଳଗିରି ପୁଲିସ ସହଯୋଗରେ ଏସଟିଏଫ ଏହି ଚଢ଼ାଉ କରିବା ପରେ ଅଭିଯୁକ୍ତମାନଙ୍କୁ ଭୁବନେଶ୍ୱରକୁ ନିଆଯାଇଛି। ତେବେ ଏହି ସବୁ ନିଶା ପଶ୍ଚିମବଙ୍ଗ ରାଜ୍ୟରୁ ଆସୁଥିବା ସୂଚନା ମିଳିଛି। କ୍ରମାଗତଭାବେ ବାଲେଶ୍ୱର ଜିଲାର ଜଳେଶ୍ୱର ଅଞ୍ଚଳରେ ଏସଟିଏଫ ଟିମ ଚଢ଼ାଉ କରୁଥିବା ଯୋଗୁ ନିଶା ବ୍ୟବସାୟୀମାନେ ନୀଳଗିରିରେ ତାଙ୍କର ସାମ୍ରାଜ୍ୟ ବିସ୍ତାର କରିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି।

Comments are closed.