ରାତି ହେଲେ ଗାଁରେ ପଶୁଛି ଝାଡ଼ଖଣ୍ଡୀ ପାଇଲଟ ଦନ୍ତା

ନୀଳଗିରି: ଝାଡ଼ଖଣ୍ଡ ରାଜ୍ୟର ଦଲମା ଅଭୟାରଣ୍ୟରୁ ମୟୂରଭଞ୍ଜ ଦେଇ ବାଲେଶ୍ୱର ଜିଲା ନୀଳଗିରିକୁ ପାଇଲଟ ଦନ୍ତାଟି ଖସି ଆସିଛି। ଦିନରେ ସେ ତିନିକୋଶିଆ ଜଙ୍ଗଲରେ ଆତ୍ମଗୋପନ କରୁଥିବା ବେଳେ ରାତିରେ ହେଲେ ଗାଁରେ ପଶୁଥିବା ଦେଖିବାକୁ ମିଳିଛି। ଏହି ହାତୀଟି ମୟୂରଭଞ୍ଜ ଜିଲାର ଆରପଟା ଜଙ୍ଗଲ ଦେଇ ନୀଳଗିରିକୁ ପଶି ଥିଲା। ସେ କାଂଶ ହାଇସ୍କୁଲ ପାଚେରୀ ମଧ୍ୟ ଭାଙ୍ଗିଥିବା ସୂଚନା ମିଳିଛି। ପରେ ଏହି ହାତୀଟି ଅଯୋଧ୍ୟା ନିକଟ ଗୋପଳପୁରସ୍ଥିତ ଜଙ୍ଗଲକୁ ପଶି ଯାଇଥିଲା। ଖବରପାଇ ନୀଳଗିରି ରେଞ୍ଜର ମନୱାର ଖାଁ ସଦଳବଳେ ସେଠାରେ ପହଞ୍ଚିଥିଲେ। ଗୁରୁବାର ସକାଳେ ଅନୁରୂପଭାବେ ଏହି ପାଇଲଟ ଦନ୍ତାଟି ଜଙ୍ଗଲ ଭିତରେ ଲୁଚି ରହି ସନ୍ଧ୍ୟା ସମୟରେ ବସ୍ତି ଅଞ୍ଚଳକୁ ପଶିଥିବା ଦେଖିବାକୁ ମିଳିଛି। ହାତୀକୁ ଦେଖି ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ବନକର୍ମଚାରୀମାନେ ସେଠାରେ ପହଞ୍ଚି ତାକୁ ବାଣ ରୋଷଣି ଫୁଟାଇ ଘଉଡ଼ାଇବାକୁ ଉଦ୍ୟମ କରୁଛନ୍ତି। ଖବର ଲେଖା ହେବା ବେଳକୁ ଏହି ଦନ୍ତାଟି ନୀଳଗିରି ବ୍ଲକର ଗୋପାଳପୁର-କାଠପାଳ ରାସ୍ତାକୁ ମୁହାଁଇଛି ବୋଲି ସୂଚନା ମିଳିଛି।

Comments are closed.