କରୋନା ଶଯ୍ୟାରେ ଅଠେଇଶ ଦିନ- ଯମ ଦ୍ୱାରରୁ ବନ୍ଧୁର ଜୀବନ ଫେରାଇ ଆଣିଲେ ଦୁଇ ବନ୍ଧୁ!

ନୀଳଗିରି: କଥାରେ ଅଛି ବିପଦ ପଡ଼ିଲେ ହିଁ ପ୍ରକୃତ ବନ୍ଧୁର ପରିଚୟ ମିଳିଥାଏ। ଜୀବନ-ମରଣର ଦୋ’ଛକିରେ ଭିତରେ ଗତି କରୁଥିବା ଜଣେ ବନ୍ଧୁର ଜୀବନ ବଞ୍ଚାଇବା ପାଇଁ ଦୁଇବନ୍ଧୁ ରାତିଦିନ ଏକ କରିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ବାଲେଶ୍ୱର ଜିଲା; ନୀଳଗିରି ଏନଏସି ଅଧୀନ ବାଲିଗୋହିରୀ ଅଞ୍ଚଳର କ୍ଷୁଦ୍ର ବ୍ୟବସାୟୀ ଦୀପକ ବାରିକ (୪୦) କରୋନାରେ ସଂକ୍ରମିତ ହୋଇ ରେମୁଣା କୋଭିଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଦୁଇଦିନ ରହିବା ପରେ ତାଙ୍କଠାରେ ଅମ୍ଳଜାନର ଘୋର ସଂକଟ ଦେଖା ଦେଇଥିଲା। ଛାତି ଯନ୍ତ୍ରଣା ସହ୍ୟ କରି ପାରୁନଥିଲେ। ପରେ ଜ୍ୟୋତି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ସେ ସେଠାରେ ଅଧିକ ଗୁରୁତର ହୋଇ ପଡ଼ିଥିଲେ। ଏନେଇ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଡ୍ୟୁଟିରେ ଥିବା ଡାକ୍ତର ମଧ୍ୟ ନୈରାଶ୍ୟଜନକ ଉତ୍ତର ଦେଇଥିଲେ। ଜଣେ ବନ୍ଧୁର କରୋନାରେ ମୃତ୍ୟୁ ସୁନିଶ୍ଚିତ ହୋଇ ଆସୁଥିବା ଜାଣି, ତାଙ୍କ ବାଲ୍ୟବନ୍ଧୁ ତଥା ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳର ମନୋରଞ୍ଜନ ଦାସ ଦେବଦୂତ ସାଜି ଠିଆ ହେଲେ। ରୋଗୀଙ୍କୁ ଡାକ୍ତରଖାନା ଯିବା ମନା କିନ୍ତୁ ରୋଗୀର ହୃଦୟକୁ ଅଧିକ ସଚଳ କରିବାରେ ଏହି ବନ୍ଧୁଙ୍କ ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ଥିଲା। ପ୍ରତି ଅଧଘଣ୍ଟାରେ ଥରେ ଭିଡ଼ିଓ କଲ ଜରିଆରେ ସେ ସଂକ୍ରମିତ ବନ୍ଧୁଙ୍କ ସହ କଥୋପକଥନ କରି ଚାଲିଥିଲେ।

 

ସେପଟେ ମନୋରଞ୍ଜନଙ୍କ ବନ୍ଧୁ ତଥା ଓଡ଼ିଆ ଚଳଚିତ୍ର ତାରକା ସିଦ୍ଧାନ୍ତ ମହାପାତ୍ରଙ୍କ ସାନଭାଇ ଚିତ୍ତରଞ୍ଜନ ବହୁ ସମୟରେ ନୀଳଗିରିର ପଞ୍ଚଲିଙ୍ଗେଶ୍ୱରକୁ ଆସି ଦୀପକଙ୍କ ସହ ଘନିଷ୍ଠ ସମ୍ପର୍କ ଗଢ଼ି ଉଠିଥିଲା। ଏହି ଖବରଶୁଣି ସେ ଭୁବନେଶ୍ୱରରେ ଥିବା ବେଳେ ତିନିବନ୍ଧୁ ଦୀର୍ଘ ସମୟ ଧରି କଥାବାର୍ତ୍ତା ହେଉଥିଲେ। ଡାକ୍ତରଖାନାର କର୍ମଚାରୀ ଓ ଡାକ୍ତରମାନେ ଯେତେବେଳେ ନୈରାଶ୍ୟକତା ପ୍ରକାଶ କରୁଥିଲେ, ସେତେବେଳେ ଏହି ଦୁଇବନ୍ଧୁଙ୍କ ଆଖିରେ ଲୁହ ନିଗାଡ଼ି ଯାଉଥିଲା। କିନ୍ତୁ ଏସବୁ କଥା କରେନା ସଂକ୍ରମିତ ବନ୍ଧୁଙ୍କୁ ନଜଣାଇ ବରଂ ତାଙ୍କ ସହ ଦିବାରାତ୍ର ଥଟ୍ଟାମଜ୍ଜା କରି ତାଙ୍କ ସାହସକୁ ଦ୍ୱିଗୁଣିତ କରି ଦେଇଥିଲେ। ଆର୍ଥିକ ଓ ମାନସିକ ସହଯୋଗ ଯୋଗୁ ସମ୍ପୃକ୍ତ ବ୍ୟବସାୟୀ ବନ୍ଧୁ ଜଣକ ଭୁବନେଶ୍ୱରର ଡାକ୍ତରଖାନା ଦୀର୍ଘ ୨୨ଦିନ ସଂଗ୍ରାମ କରି ଜୀବନ ଫେରି ପାଇଥିବା ଦେଖିବାକୁ ମିଳିଛି। ଚିକିତ୍ସା ହେଉଥିବା ଡାକ୍ତରଖାନାର ଡାକ୍ତରମାନେ ମଧ୍ୟ ଦୀପକଙ୍କୁ ଦେଖି ଚକିତ ହୋଇ ପଡ଼ିଥିଲେ। ଯେଉଁଠି ଡାକ୍ତରମାନଙ୍କ ବହୁ କସରତ ପରେ ମଧ୍ୟ ଜୀବନ ରହିବା ନରହିବା ଆଶା ଆଶଙ୍କା ଭିତରେ ଗତି କରୁଥିଲେ, ସେଠି ଏହି ଦୁଇବନ୍ଧୁଙ୍କ ଉଦ୍ୟମ ସେମାନଙ୍କୁ ଅଧିକ ପ୍ରେରଣା ଓ ଉତ୍ସାହିତ କରିପାରିଛି ବୋଲି ଜଣାଇଛନ୍ତି। ସମ୍ପ୍ରତି ସେ ନୀଳଗିରି ଫେରି ଗୃହ ସଂଘରୋଧରେ ଅଛନ୍ତି ଏବଂ ଯମଦ୍ୱାରରୁ ତାଙ୍କ ଜୀବନ ଫେରାଇ ଆଣିଥିବା ଦୁଇବନ୍ଧୁଙ୍କୁ କୃତଜ୍ଞତା ଜଣାଇଛନ୍ତି।

Comments are closed.