ପୁଲିସକୁ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ୯ଗିରଫ

ନୀଳଗିରି: ପୁଲିସ ପକ୍ଷରୁ ବାଲେଶ୍ୱର ଜିଲା ଅଧୀନ ନୀଳଗିରି ବଜାରରେ ତୁଣ୍ଡି ତନଖି ଚାଲୁଥିଲା ସମୟରେ ୧୨/୧୪ଜଣ ଅମାନିଆ ପୁଲିସକୁ ସର୍ବସମ୍ମୁଖରେ ଠେଲାପେଲା କରି ଆକ୍ରମଣ ଉଦ୍ୟମ କରିଛନ୍ତି। ଏହି ଘଟଣାରେ ପୁଲିସ ଆକ୍ସନ ମୋଡ଼ ନେଇଛି। ଛତ୍ରଭଙ୍ଗ ଦେଇଥିବା ଅଭିଯୁକ୍ତମାନଙ୍କୁ ପୁଲିସ ଦୀର୍ଘ ୧ଘଣ୍ଟା ଧରି ଗୋଡ଼ାଇବା ପରେ ସେମାନଙ୍କ ମଧ୍ୟରୁ ୯ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗୋଟିଏ ଭୁଜାଲି ଓ କାରକୁ ଜବତ କରାଯିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ବାଲେଶ୍ୱର ଟାଉନ ଥାନା ଅଞ୍ଚଳରୁ ୧୨/୧୪ଜଣ ଯୁବକ ଏକ କାର ଯୋଗେ ନୀଳଗିରି ଅଞ୍ଚଳକୁ ବାହାଘର ଭୋଜିକୁ ଆସିଥିଲେ। ସେଠାରୁ ଫେରି ସୋମବାର ରାତିରେ ନୀଳଗିରି କଚେରୀ ବଜାରସ୍ଥିତ ଦୁର୍ଗାମଣ୍ଡପ ଛକରେ ହୋହଲ୍ଲା କରିଥିଲେ। ଉକ୍ତ ସ୍ଥାନରେ ନୀଳଗିରି ଥାନା ସବଇନ୍ସପେକ୍ଟର ବାସୁଦେବ ଜୟସିଂ ସଦଳବଳେ ତୁଣ୍ଡି ତନଖି କରୁଥିବା ସମୟରେ ପ୍ରଥମେ ଉକ୍ତ ଯୁବକମାନେ ପୁଲିସ ସହ ଯୁକ୍ତି କରି ସେମାନଙ୍କ ଭିଡ଼ିଓ ଉତ୍ତୋଳନ କରିଥିଲେ। ଏପରିକି କାର୍ଯ୍ୟରତ ପୁଲିସକୁ ଠେଲାପେଲା ସହ ଆକ୍ରମଣ ଉଦ୍ୟମ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଉକ୍ତ ସ୍ଥାନରେ ଭିଡ଼ ଲାଗିଥିବା ଖବରପାଇ ଆଇଆଇସି ପ୍ରଭଞ୍ଜନ ବେହେରା ପହଞ୍ଚି ସେମାନଙ୍କୁ ପଚରା ଉଚରା କରୁଥିଲେ ହେଁ ଅଭିଯୁକ୍ତ ଯୁବକମାନେ ଉତ୍ତେଜିତ ହୋଇ ତାଙ୍କୁ ମଧ୍ୟ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ନୀଳଗିରି ବଜାରରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିବା ଖବରପାଇ ଏସଡିପିଓ ରୀତେଶ ମହାପାତ୍ର ପୁଲିସ ଫୋର୍ସ ପଠାଇ ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦେଶ ଦେଇଥିଲେ। ଏନେଇ ଛତ୍ରଭଙ୍ଗ ଦେଇଥିବା ଅଭିଯୁକ୍ତମାନଙ୍କୁ ପୁଲିସଫୋର୍ସ ନୀଳଗିରି ବଜାରର ବିଭିନ୍ନ ସ୍ଥାନରୁ ଗିରଫ କରିଥିବା ଦେଖିବାକୁ ମିଳିଛି। ପ୍ରାୟ ଦୀର୍ଘ ୧ଘଣ୍ଟା ଧରି ପୁଲିସ ସେମାନଙ୍କୁ ଗୋଡ଼ାଇବା ପରେ ବାଲେଶ୍ୱର ଟାଉନ ଥାନା ଅଧୀନ ବାରବାଟିର ଦୀନେଶ ପଣ୍ଡା, କେତନ ମହାକୁଡ଼, ଈଶ୍ୱର ମହାନ୍ତି, ମୋତିଗଞ୍ଜର ବିନୋଦ ପ୍ରଧାନ, ନୂଆପୁର ଅଞ୍ଚଳର ଜୟନ୍ତ ନାୟକ, ମାଣିଖମ୍ବ ଅଞ୍ଚଳର ବିଜୟ ବେହେରା, ଶିବାଶିଷ ଖଟୁଆ, ବୀରଶାହାପୁର ଅଞ୍ଚଳର ରାକେଶ ସେଠୀ, ବଡ଼ନୂଆପୁର ଅଞ୍ଚଳର ରବୀନ୍ଦ୍ର ପରିଡ଼ା ପ୍ରମୁଖ ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତି ଥିବା ଅନ୍ୟ ୪/୫ଜଣ ଅଭିଯୁକ୍ତ ଖସି ପଳାଇ ଯାଇଛନ୍ତି। ଗିରଫ ହୋଇଥିବା ଯୁବକଙ୍କ ପାଖରୁ ଗୋଟିଏ ଭୁଜାଲି ଓ ବ୍ୟବହୃତ କାରକୁ ପୁଲିସ ଜବତ କରିଛି। ତେବେ ଏମାନଙ୍କ ମଧ୍ୟରୁ ଏକାଧିକ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଥିବା ନେଇ ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Comments are closed.