କେନ୍ଦ୍ରମନ୍ତ୍ରୀଙ୍କ ନାଁ ନଥିବାରୁ ଫଳକ ଭଙ୍ଗା ଘଟଣା, ଜଣେ ଗିରଫ

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରି ମେଡିକାଲ ପରିସରରେ କ୍ୟାବିନ ଗୃହର ଶୁଭ ଉଦଘାଟନ ସମୟରେ ଲଗାଯାଇଥିବା ଫଳକରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନାଁ ନଥିବା ଯୋଗୁ ସମର୍ଥକମାନେ ନୀଳଗିରି ଏସଡିଏମଓଙ୍କୁ ଘେରାଉ କରିବା ସହ ଲାଗିଥିବା ଫଳକକୁ ଭାଙ୍ଗି ଦେବା ଘଟଣାରେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନୀଳଗିରି ମେଡିକାଲ ଏସଡିଏମଓ ଡା. ଅଜୟକୃଷ୍ଣ ସାମଲ ଏବଂ ନୀଳଗିରି ଟ୍ରକ ମାଲିକ ସଂଘ ସମ୍ପାଦକ ଶାନ୍ତନୁ ବିଶ୍ୱାଳଙ୍କ ଏତଲାକୁ ଭିତ୍ତିକରି ସ୍ଥାନୀୟ ପୁଲିସ ରାତିଅଧିଆ କେନ୍ଦ୍ରମନ୍ତ୍ରୀ ପ୍ରତାପଙ୍କ ସମର୍ଥକ ଶୁଭ୍ରାଂଶୁ ଶେଖର ନନ୍ଦଙ୍କୁ ଗିରଫ କରିଛି। ଡ୍ୟୁଟିରେ ଥିବା ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ସମର୍ଥକମାନେ ଏସଡିଏମଓଙ୍କ ପ୍ରକୋଷ୍ଠ ଭିତରକୁ ଧସେଇ ପଶି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଧମକ ଦେଇଥିବା ନେଇ ଏତଲାରେ ଦର୍ଶାଯାଇଛି।

ଏହି ଘଟଣାରେ ଗୁରୁବାରଠାରୁ ନୀଳଗିରି ମେଡିକାଲର ଡାକ୍ତରଙ୍କଠାରୁ ସୁଇପର ପର୍ଯ୍ୟନ୍ତ ସମୂହ କର୍ମଚାରୀ କଳାବ୍ୟାଚ ପିନ୍ଧି କାର୍ଯ୍ୟକୁ ବର୍ଜନ କରିବେ ବୋଲି ଏସଡିଏମଓ ଡା. ସାମଲ ଜଣାଇଛନ୍ତି। ତେବେ ନୀଳଗିରି ବଜାରରୁ ବୁଧବାର ରାତିରେ ପ୍ରତାପଙ୍କ ସମର୍ଥକ ଶୁଭ୍ରାଂଶୁ ଶେଖର ନନ୍ଦଙ୍କୁ ଗିରଫ କରାଯାଇଛି ଏବଂ ଗୁରୁବାର ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଆଇଆଇସି ପ୍ରଭଞ୍ଜନ ବେହେରା କହିଛନ୍ତି। ଏହି ଘଟଣାକୁ କେନ୍ଦ୍ରକରି ବିଭିନ୍ନ ମହଲରେ ଚାପା ଉତ୍ତେଜନା ଲାଗି ରହିଛି।

Comments are closed.