ପଞ୍ଚଲିଙ୍ଗେଶ୍ୱର ମହୋତ୍ସବ ପାଇଁ ଅନୁମତି ନେବାକୁ ଆସିଥିଲେ ବାବା କମଲ୍‌, ଦୁର୍ବ୍ୟବହାର ଅଭିଯୋଗରେ ଗିରଫ ହୋଇ ଗଲେ ଜେଲ୍‌

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରିର ପଞ୍ଚଲିଙ୍ଗେଶ୍ୱର ମହୋତ୍ସବ କରିବାକୁ ଅନୁମତି ନେବାକୁ ତହସିଲ ଅଫିସକୁ ଆସିଥିଲେ ଜଣେ ବାବା। କିନ୍ତୁ ଓଲଟା ତହସିଲଦାରଙ୍କୁ ଗାଳିଗୁଲଜ କରି ଜେଲ ଯିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ନୀଳଗିରି ଥାନା ଜୁରିଆପାଟଣା ଗାଁର କମଳଲୋଚନ ମଲିକ ଓରଫ ବାବା କମଲ (୪୯) ଶୈବପୀଠ ପଞ୍ଚଲିଙ୍ଗେଶ୍ୱରରେ ମହୋତ୍ସବ କରିବା ଉଦେଶ୍ୟରେ ନୀଳଗିରି ତହସିଲକୁ ସୋମବାର ଅନୁମତି ନେବାକୁ ଆସିଥିଲେ। ସେ ସ୍ଥାନୀୟ ତହସିଲଦାର ଅଶେଷ ନାୟକଙ୍କ ପ୍ରକୋଷ୍ଠରେ ପଶି ଅନୁମତି ପାଇଁ ଆବେଦନ ପତ୍ର ଦାଖଲ କରିଥିଲେ। କୋଭିଡ କଟକଣା ଏବଂ ପାରିପାଶ୍ୱିର୍କ ଅବସ୍ଥାକୁ ଦେଖି ଅନୁମତି ପ୍ରଦାନ କରାଯିବ ବୋଲି ତହସିଲଦାର ଶ୍ରୀ ନାୟକ ସମ୍ପୃକ୍ତ ବାବାଙ୍କୁ କହିଥିଲେ ହେଁ ସେ ହଠାତ ଉତକ୍ଷିପ୍ତ ହୋଇ ଗାଳିଗୁଲଜ ଆରମ୍ଭ କରିଥିବା ଅଭିଯୋଗ ହୋଇଛି।

 

ଏପରିକି ଆପଣ ଅନୁମତି ନଦେବାକୁ କିଏ ବୋଲି ମଧ୍ୟ ତହସିଲଦାରଙ୍କୁ ପ୍ରଶ୍ନ କରି ଆଇନର ପାଠ ପଢ଼ାଇଥିବା ଅଭିଯୋଗ ହୋଇଛି। ବାବାଙ୍କ ଏଭଳି ଆଚରଣ ଦେଖି ତହସିଲଦାର ଶ୍ରୀ ନାୟକ ନୀଳଗିରି ଆଇଆଇସି ପ୍ରଭଞ୍ଜନ ବେହେରାଙ୍କୁ ଫୋନ କରିବା ଯୋଗୁ ଦେଖିବା ପୁଲିସ ବାଲା କେତେ ଷ୍ଟ୍ରଙ୍ଗ ଅଛନ୍ତି, କଣ କରିବେ ମୋର ବୋଲି ଶୁଣାଇଥିଲେ। ସେହିପରି ତହସିଲର ଏସଆରଏ ବବିତା ବେହେରାଙ୍କୁ ଏହି ଅନୁମତିକୁ କେନ୍ଦ୍ରକରି ଦୁର୍ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଉକ୍ତ ଘଟଣାରେ ଆଇଆଇସି ପ୍ରଭଞ୍ଜନ ବେହେରାଙ୍କ ନିର୍ଦେଶମୂଳେ ସବଇନ୍ସପେକ୍ଟର ସସ୍ମିତା ମଲିକ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବାବାଙ୍କୁ କୋର୍ଟଚାଲାଣ କରିଛନ୍ତି। ତାଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଅପରପକ୍ଷରେ ସମ୍ପୃକ୍ତ ବାବା କହିଛନ୍ତି ଯେ, ସେ ସର୍ବସାଧାରଣଙ୍କ ଉଦେଶ୍ୟରେ ପଞ୍ଚଲିଙ୍ଗେଶ୍ୱର ମହୋତ୍ସବ ପାଇଁ ଅନୁମତି ନେବାକୁ ଯାଇ ତାଙ୍କୁ ଏଭଳି ଦଣ୍ଡ ମିଳିଛି ବୋଲି ଜଣାଇଛନ୍ତି।

Comments are closed.