ହାତବୁଣା ଲୁଗା ବେପାର; ବାଟବଣା ହେଲେଣି ବୁଣାକାର !

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ସଜନାଗଡ଼ରେ ରହିଛି ଆଦିବାସୀ ତନ୍ତୁବାୟ ସହଯୋଗ ସମିତି। ୧୯୮୦ରେ ଏହି ସମିତି ସ୍ଥାପିତ ହୋଇଥିବା ବେଳେ ସେତେବେଳେ ୧୦୧ ଜଣ ବୁଣାକାର ଏଠାରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ୧୯୯୭ରେ କୌଣସି କାରଣ ପାଇଁ ଏହି ସମିତି ବନ୍ଦ ହୋଇପଡ଼ିଲା। ଉକ୍ତ ସମିତିରେ ବୁଣାକାରଭାବେ କାର୍ଯ୍ୟ କରୁଥିବା ସଜନାଗଡ଼ ନିକଟସ୍ଥ ପାଣବନ୍ଧ ଗାଁର କନ୍ଦା ମାଝୀ (୫୯) କଷ୍ଟେମଷ୍ଟେ ସମିତିକୁ ବଞ୍ଚାଇବା ପାଇଁ ଅଣ୍ଟା ଭିଡ଼ିଲେ। ସମ୍ପ୍ରତି ଉକ୍ତ ସମିତିରେ ୫ ମହିଳା ଓ ୪୪ ପୁରୁଷ ବୁଣାକାର ଭାବେ କାର୍ଯ୍ୟ କରୁଛନ୍ତି। କନ୍ଦା ମାଝୀଙ୍କ ସ୍ତ୍ରୀ ବୁଦିନି ମଧ୍ୟ ସ୍ୱାମୀଙ୍କ ଏହି ଉଦ୍ୟମରେ ସହଯୋଗ ଦେଇଥିବା ଦେଖିବାକୁ ମିଳିଛି। ଯେଉଁମାନେ ଏଠାରେ ବୁଣାକାରଭାବେ କାର୍ଯ୍ୟ କରୁଛନ୍ତି ସେମାନେ ଆଦିବାସୀ ଶ୍ରେଣୀର। ସେମାନଙ୍କର ଏହା କୌଳିକବୃତ୍ତି ହୋଇ ନଥିଲେ ବି ନିଜ ବୃତ୍ତିଠାରୁ ଅଧିକ ମନଦେଇ କାମ କରନ୍ତି। କନ୍ଦା ମାଝୀ ନିଜ ମନରେ ଡିଜାଇନ ଜୁଟାଇ ରଙ୍ଗବେରଙ୍ଗର ଗାମୁଛା, ଲୁଙ୍ଗି, ବେଡ୍‌ସିଟ, ତକିଆ କଭର ପ୍ରଭୃତି ଲୁଗା ତିଆରି କରୁଛନ୍ତି। ଶତ ପ୍ରତିଶତ ସୂତାରେ ଏମାନେ ସମ୍ବଲପୁରୀ ଓ ଆଦିବାସୀଙ୍କ ପାରମ୍ପରିକ ବସ୍ତ୍ର ତିଆରି କରି ବେଶ ଚର୍ଚ୍ଚିତ ହୋଇଛନ୍ତି। ୪୦ ବର୍ଷ ପୂର୍ବରୁ ଯେଉଁ ସମିତି ଗୃହ ରହିଥିଲା ସେହି ଗୃହରେ ବୁଣାକାରମାନେ ନିଜ କର୍ତ୍ତବ୍ୟ ସମ୍ପାଦନ କରି ଚାଲିଛନ୍ତି। ରାଇବଣିଆ, କପ୍ତିପଦା ଅଞ୍ଚଳରୁ ସୂତା କ୍ରୟ କରି ବୁଣାକାରମାନେ ବସ୍ତ୍ର ତିଆରି କରୁଛନ୍ତି। ସଜନାଗଡ଼ ଓ ତରତରୀ ନିକଟସ୍ଥ ଟୁଲୁଙ୍କଡ଼ାବ ଅଞ୍ଚଳରେ ଏହି ହାତବୁଣା ଲୁଗାକୁ କନ୍ଦା ମାଝୀ, ବୁଦିନି ମାଝୀ, ଦୁଖିରାମ ମାଝୀ, ଲକ୍ଷ୍ମୀଧର ଗିରି, କାର୍ତ୍ତିକ ଗିରି, ଗିରିଧାରୀ ମଢ଼େଇ, ଜୟନ୍ତୀ ମାଝୀ, ସାଲଗେରାମ ବାସ୍କେ ପ୍ରମୁଖ ବୁଣାକାରମାନେ ପରିବାର ପ୍ରତିପୋଷଣ ଉଦେଶ୍ୟରେ ଚଳାଇ ଆସୁଛନ୍ତି। ସେମାନେ ଦୈନିକ ମଜୁରୀ ଉଠାଇବା ବି କାଠିକର ପାଠ ହୋଇଥିବା ବେଳେ ସରକାରଙ୍କ ତରଫରୁ ଏଯାବତ୍‌ ତାଙ୍କୁ ପ୍ରୋତ୍ସାହନ ମିଳି ନଥିବା ଅଭିଯୋଗ ହୋଇଛି। ଟେକ୍ସଟାଇଲ ବିଭାଗପକ୍ଷରୁ ମିଳିଥିବା ୧୫ଟି କାଠ ତିଆରି ମେସିନରେ ଏମାନେ କାମ କରୁଛନ୍ତି। ସଜନାଗଡ଼ ସମିତି ଗୃହଟି ସମ୍ପ୍ରତି ବିପଦସଙ୍କୁଳ ଅବସ୍ଥା ରହିଥିବା ଦେଖାଯାଇଛି। କେଉଁ ମୁହୂର୍ତ୍ତରେ ଏହି ଗୃହଟି ଗଡ଼ିଯିବ ତାହା କହିହେଉନି। କବାଟ ଝରକା ନଥିବା ତଥା ଅବହେଳିତ ଅବସ୍ଥାରେ ଗୃହଟି ପଡ଼ିଥିବା ଯୋଗୁଁ ସେଠାରେ ସର୍ପଭୟ ମଧ୍ୟ ଦେଖାଦେଉଛି। ଖରା ବର୍ଷା, ଶୀତ କାକରରେ ସେମିତି ଏହି ବୁଣାକାରମାନେ ନିଜ ବୃତ୍ତିକୁ ବଞ୍ଚାଇ ଚାଲିଛନ୍ତି। ସେପଟେ ଏହି ସମିତି ନାଁରେ ପୂର୍ବରୁ ମୋଟ ୬୬ ଡିସିମିଲ ଜାଗା ରହିଥିବା ବେଳେ ସ୍ଥାନୀୟ ଜନୈକ ବ୍ୟକ୍ତି ଏହାକୁ ଜବରଦଖଲ କରି ବେଆଇନ ଗୃହନିର୍ମାଣ କରୁଥିବା ଅଭିଯୋଗ ହୋଇଛି। ଏହି ବେଉସାରେ ସରକାରୀ ପ୍ରୋତ୍ସାହନ ବିନା ଆମଦାନୀ ଆଠଣା, ଖର୍ଚ୍ଚ ଏକ ଟଙ୍କା ଭଳି ପରିସ୍ଥିତି ଉପୁଜିଥିବା ଦେଖି ୨ ବର୍ଷ ପୂର୍ବରୁ ନୀଳଗିରି ବିଧାୟକ ସୁକାନ୍ତ ନାୟକ ତାଙ୍କ ନିଜ ପକେଟରୁ ୨୫ ହଜାର ଟଙ୍କା ବୁଣାକାରଙ୍କୁ ଦାନ କରିଥିଲେ। ବୁଡ଼ି ଯାଉଥିବା ବେଳେ କୁଟାଖିଅକୁ ସାହା ଭଳି ବିଧାୟକଙ୍କ ଏହି ଦାନ ଅର୍ଥରେ ବୁଣାକାରମାନେ ସୂତା କିଣି କଷ୍ଟେମଷ୍ଟେ ବେଉସାକୁ ଚାଲୁ ରଖିଥିବା ଦେଖାଯାଇଛି। ସେପଟେ ଏହା ଏକ କ୍ଷୁଦ୍ର କାରଖାନା ତାଲିକାରେ ଯାଉଛି। ନୀଳଗିରି ମାଟିର ସନ୍ତାନ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଅଧୀନରେ ମଧ୍ୟ ଉକ୍ତ ବିଭାଗ ଅନ୍ତର୍ଭୁକ୍ତ। ଶ୍ରୀ ଷଡ଼ଙ୍ଗୀ ଏଥିପ୍ରତି ଦୃଷ୍ଟି ଦେଲେ ଅର୍ଥସଙ୍କଟ ତଥା ସରକାରୀ ପ୍ରୋତ୍ସାହନରୁ ବଞ୍ଚିତ ହୋଇ ବାଟବଣା ହୋଇଥିବା ନୀଳଗିରିର ଏହି ବୁଣାକାରମାନେ ବୃତ୍ତିକୁ ବଞ୍ଚାଇବା ସହ ନୀଳଗିରିକୁ ଏକ ନୂତନ ପରିଚୟ ଦେଇପାରନ୍ତେ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Comments are closed.