ଗୁଣିଗାରେଡ଼ି ସନ୍ଦେହରୁ ବର୍ବରତା : ବାପ-ଝିଅଙ୍କୁ ଗଛରେ ବାନ୍ଧି ପିଟିଲେ, ପିଆଇଲେ ଗୋବର ପାଣି

ନୀଳଗିରି : ସନ୍ଦେହରୁ ଘଟିଛି ସଇତାନି। ଗୁଣିଗାରେଡ଼ି ସନ୍ଦେହ କରି ବାପ ଝିଅଙ୍କୁ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହ ସେମାନଙ୍କୁ ଗୋବର ପାଣି ପିଆଇବା ଘଟଣା ଅଞ୍ଚଳରେ ବାଲେଶ୍ୱର ଜିଲାର ନୀଳଗିରି ଅଞ୍ଚଳରେ ହଟଚମଟ ସୃଷ୍ଟି କରିଛି।
ନୀଳଗିରି ଏନଏସି କାହାଳିଆ ପୋଖରୀସାହିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ଗାଁର ପର୍ଶୁରାମ ବାରିକ ନାମକ ଜଣେ ୮୦ବର୍ଷର ବୃଦ୍ଧ ଘରେ ବସିଥିଲେ। ଏତିକିବେଳେ ସେହି ଗାଁର ଯୋଗେନ୍ଦ୍ର ବାରିକ (୬୫), ଗୌରହରି ବାରିକ (୩୫), ତ୍ରିଲୋଚନ ବାରିକ (୩୦), ଲକ୍ଷ୍ମୀମଣି ବାରିକ (୨୫), ଶ୍ରବଣ ବାରିକ (୨୨), ନରେନ୍ଦ୍ର ବାରିକ (୬୦), ଶଶିଧର ବାରିକ (୩୬) ଓ ବିଶ୍ୱନାଥ ବାରିକ (୩୦) ପ୍ରମୁଖ ତାଙ୍କ ଘରେ ଅବାଧରେ ପଶି ଯାଇ ତୁମ ଘରୁ ଠାକୁରାଣୀ ବାହାର କରାଯିବ ବୋଲି କହିଥିଲେ। ଏଥିରେ ବୃଦ୍ଧ ଜଣକ ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ କହିଥିଲେ ଯେ, ଆମ୍ଭ ବୋହୁ ଲକ୍ଷ୍ମୀମଣି ବାରିକଙ୍କର ଜ୍ୱର ଛାଡୁନି, ତୁମ ଠାକୁରାଣୀ ଓ ଗୁଣିଗାରେଡ଼ିରେ ତୁରନ୍ତ ଭଲ କର ନଚେତ କାହାରିକୁ ଛାଡ଼ିବୁନି କହି ଧମକ ଦେଇଥିଲେ। ବୃଦ୍ଧଜଣକ ଏଥିରେ ପ୍ରତିବାଦ କରିଥିଲେ ହେଁ ଅଭିଯୁକ୍ତମାନେ ତାଙ୍କୁ ନିସ୍ତୁକ ମାଡ଼ମାରି ମୁହଁ ଫୁଲାଇ ଦେବା ସହ ଏକ ଗଛରେ ବାନ୍ଧି ଦେଇଥିଲେ। ଖବରପାଇ ତାଙ୍କ ଝିଅ ପୁଷ୍ପାଞ୍ଜଳି ସେଠାରେ ପହଞ୍ଚିବାରୁ ତାଙ୍କୁ ମଧ୍ୟ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଅଭିଯୁକ୍ତମାନେ ଦୀର୍ଘ ଘଣ୍ଟା ଧରି ଏଭଳି ବର୍ବରକାଣ୍ଡ ଭିଆଇବା ପରେ ଉଭୟ ବାପ ଝିଅଙ୍କୁ ଗୋବର ପାଣି ପିଆଇ ଦେବା ଘଟଣା ସାଧାରଣରେ ଉଦବେଗ ସୃଷ୍ଟି କରିଛି। ଏ ସମ୍ପର୍କରେ ସେମାନେ ନୀଳଗିରି ଥାନାରେ ଦ୍ୱାରସ୍ଥ ହୋଇଛନ୍ତି। ସେପଟେ ଆକ୍ରମଣକାରୀଙ୍କ ପକ୍ଷରୁ ମଧ୍ୟ ଏକ ପାଲଟା ଏତଲା ଦାଏର କରାଯାଇଛି। ତେବେ ଏହି ଘଟଣା ଜମିଜମା ସଂକ୍ରାନ୍ତୀୟ ଏବଂ ମୋକଦ୍ଦମା ଚାଲିଥିବା ସମ୍ପତ୍ତିରେ ବାପ ଝିଅ ଉଭୟେ ଗଛ କାଟିବାକୁ ଉଦ୍ୟମ କରୁଥିବା ଯୋଗେନ୍ଦ୍ର ବାରିକଙ୍କ ସ୍ତ୍ରୀ ଶାନ୍ତିଲତା (୫୫) ଏହାର ପ୍ରତିବାଦ କରିଥିଲେ। କିନ୍ତୁ ବାପଝିଅ କୁଆଡ଼େ ସେମାନଙ୍କୁ ଅଶ୍ଳୀଳ ବ୍ୟବହାର ପ୍ରଦର୍ଶନ କରି ଗୁଣିକରି ମାରିଦେବା ଧମକ ଦେଇଥିବା ଅଭିଯୋଗ ହୋଇଛି। ଥାନାରେ ଏନେଇ ପୃଥକ ଏତଲା ଦାଏର କରାଯାଇଛି। ନୀଳଗିରି ଆଇଆଇସି ମିନତି ବିଶ୍ୱାଳଙ୍କ ନିର୍ଦେଶ କ୍ରମେ ଉଭୟ ପକ୍ଷରୁ ୩ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇ ପଚରା ଉଚରା କରାଯାଉଛି। ନୀଳଗିରି ସହରରେ ଗୁଣିଗାରେଡ଼ିକୁ ନେଇ ଏଭଳି ବର୍ବରତା ଚର୍ଚ୍ଚାର ବିଷୟ ପାଲଟିଛି।

Comments are closed.